ବ୍ରହ୍ମପୁର: ଗୋପାଳପୁର ବେଳାଭୂମିରେ କ୍ର
ାଇମବ୍ରାଞ୍ଚ ଟିମ୍ । ଆଜି(ବୁଧବାର) ଯୁବତୀ ଗଣଦୁଷ୍କର୍ମ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଆଇ.ଜି ଏସ ସାଇନୀଙ୍କ ସମେତ ଚାରି ଜଣିଆ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଗତକାଲି(ମଙ୍ଗଳବାର) ଗୋପାଳପୁର ଗଣଦୁଷ୍କର୍ମ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ପୋଲିସ ଡିଜି ୱାଇ.ବି ଖୁରାନିଆ ।
ଆଜି(ବୁଧବାର) ମଧ୍ୟାହ୍ନରେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି କ୍ରାଇମବ୍ରାଞ୍ଚ ଆଇ.ଜି ଏସ ସାଇନୀଙ୍କ ସମେତ ଚାରି ଜଣିଆ ଟିମ । ଛାତ୍ରୀଙ୍କୁ ଗୋପାଳପୁର ବେଳାଭୂମିର ପାନ୍ଥ ନିବାସ ପଟକୁ ରହିଥିବା ଯେଉଁ ନିଛାଟିଆ ସ୍ଥାନରେ ଗଣଦୁଷ୍କର୍ମ କରାଯାଇଥିଲା । ସେହି ସ୍ଥାନରେ ତଦନ୍ତ କରିଛନ୍ତି କ୍ରାଇମବ୍ରାଞ୍ଚର ଆଇଜି ଓ ତାଙ୍କ ଟିମ୍ ।
ତେବେ ଏହି ଘଟଣାରେ ଗତକାଲି(ମଙ୍ଗଳବାର) ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚର ସି.ଏ.ଡବଲ୍ୟୁ ଓ ସି.ଡବ୍ଲୁ ଟିମର ଆଇ.ଜି ଏସ.ସାଇନିଙ୍କ ନେତୃତ୍ୱରେ ହେବ ବୋଲି କୁହାଯାଇଥିଲା । ଗତକାଲି ମଧ୍ୟ କ୍ରାଇମବ୍ରାଞ୍ଚର ଟିମ୍ ଗୋପାଳପୁର ଥାନାରେ ପହଞ୍ଚି ପୋଲିସ ଅଧିକାରୀଙ୍କ ସହି ଆଲୋଚନା କରିବା ପରେ କୋର୍ଟଚାଲାଣ ହୋଇଥିବା ଗିରଫ ଅଭିଯୁକ୍ତଙ୍କ ସହିତ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ ।
ତେବେ ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ ଟିମ ଆବଶ୍ୟକ ପଡିଲେ ପୀଡିତା ଛାତ୍ରୀଙ୍କ ସହିତ ତାଙ୍କ ପୁରୁଷ ବନ୍ଧୁଙ୍କୁ ପଚରାଉଚରା କରିପାରନ୍ତି ବୋଲି କୁହାଯାଉଥିବା ବେଳେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣିବ କି ନାହିଁ ତାହାକୁ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେପଟେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।