ବ୍ରହ୍ମପୁର: "ଯେତେ ବଡ ପ୍ରଭାବୀ ହୁଅନ୍ତୁ ନା କାହିଁକି, ଦୁର୍ନୀତିର ଚେର, ଚୋରା ଖଣି କାରବାରର ଚେର, ଯେତେଦୂର ପର୍ଯ୍ୟନ୍ତ ଲମ୍ବି ଥାଉ ନା କାହିଁକି ଏହାର ତଦନ୍ତ ହେବ । କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।" ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଓ କୋଇଡ଼ା ତହସିଲ ଅଞ୍ଚଳରେ ହୋଇଥିବା ବ୍ୟାପକ ବେଆଇନ ଖଣି ଉତ୍ତୋଳନ ଓ କାରବାରର ତଦନ୍ତ ଭିଜିଲାନ୍ସ ଦ୍ବାରା କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ଏସ୍‌ଆଇଟି (SIT) ଗଠନ କରାଯାଇଛି । ରାଜ୍ୟର ଖଣି ଦୁର୍ନୀତିରେ ଯେଉଁମାନେ ସଂପୃକ୍ତ ଥାଆନ୍ତୁ ନାଁ କାହିଁକି ସମସ୍ତେ ତଦନ୍ତ ପରିସରକୁ ଆସିବେ । " ବ୍ରହ୍ମପୁରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା 

ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ଜଙ୍ଗଲ ଓ ପରିବେଶ

ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ବିଭାଗୀୟ ଅଧିକାରୀଙ୍କ ସହିତ ବେଆଇନ ଖଣି ଉତ୍ତୋଳନ ସ୍ଥାନକୁ ଗସ୍ତ କରିଥିଲେ । ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି " ରାଜ୍ୟରେ ଖଣି ମାଫିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଡା ନିର୍ଦ୍ଦେଶ ରହିଛି । ସୁନ୍ଦରଗଡ଼ ଜିଲ୍ଲାର ଖଣି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୁଦ୍ଧରେ ବିଶେଷ କରି ଖଣି ଦୁର୍ନୀତି ସମ୍ପର୍କରେ ସବୁବେଳେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଆସିଛନ୍ତି । ଖଣି ଦୁର୍ନୀତିର ମୂଳୋତ୍ପାଟନ କରାଯିବ ବୋଲି ସେ ବାରମ୍ବାର କହିଆସିଛନ୍ତି ।"

ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଜେନା ଏହି ଘଟଣାକୁ ଗୁରୁତ୍ବ ସହ ଗ୍ରହଣ କରିବା ସହ ଦୋଷୀ ଯେ କେହି ବି ହୋଇଥାନ୍ତୁ ନା କାହିଁକି ସମସ୍ତଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଖଣି ମନ୍ତ୍ରୀ କହିଛନ୍ତି " ସୁନ୍ଦରଗଡ଼ ଜିଲ୍ଲା ହେମଗିରି ତହସିଲରେ ୨୨ଟି ଖଣିରୁ ବେଆଇନ ଭାବେ ୯୮୪୩ ମେଟ୍ରିକ୍ ଟନ୍‌ରୁ ଅଧିକ ପରିମାଣର କୋଇଲା ଉତ୍ତୋଳନ କରାଯାଇଥିବା ନଜରକୁ ଆସିଛି । ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ । ଏହି ଖଣିଗୁଡ଼ିକ ମଧ୍ୟରୁ ୧୪ଟି ଖଣି ଗୋପାଳପୁର ଗ୍ରାମରେ, ୩ଟି ରନ୍‌ସୋରା ଗ୍ରାମରେ ଏବଂ ୫ଟି ଭୋଗରାକଚର ଗ୍ରାମରେ ଅବସ୍ଥିତ । ଏଗୁଡ଼ିକ ମୁଖ୍ୟତଃ ଜଙ୍ଗଲ କିସମର ଜମି । ଏଥିସହିତ ହେମଗିରିର ଜାମଖାନି ସଂରକ୍ଷିତ ଜଙ୍ଗଲ ଏବଂ ଭୋଗରାକଚର ଗ୍ରାମରେ ବେଆଇନ ଭାବେ କୋଇଲା ଗଚ୍ଛିତ କରାଯିବାର ସୂଚନା ମିଳିଛି । "

କୋଇଡ଼ା ତହସିଲ ଅନ୍ତର୍ଗତ ମାଲଦା, ପଟାବେଡ଼ା, ସାନପୁଟୁଳି, କୋଲମଙ୍ଗ ଏବଂ ରୁସିବେଣୁଆ ଠାରେ ୪୭ଟି ମାଙ୍ଗାନିଜ୍, ତିନୋଟି ଲୌହ ଖଣିରୁ ବେଆଇନ ଭାବେ ମାଙ୍ଗାନିଜ୍ ଓ ଲୁହା ପଥର ଉତ୍ତୋଳନ କରାଯାଉଥିବାର ନଜରକୁ ଆସିଛି । ମୋଟ ୫୦ଟି ଖଣି ମଧ୍ୟରୁ ୧୬ଟି ପଟାବେଡ଼ା ଗ୍ରାମରେ, ୧୦ଟି ମାଲଦା ଗ୍ରାମରେ, ୨୦ଟି କୋଲମଙ୍ଗ ଗ୍ରାମରେ ଏବଂ ଅବଶିଷ୍ଟ ଚାରୋଟି ସାନପୁଟୁଳି ଓ ରୁସିବେଣୁଆ ଗ୍ରାମରେ ରହିଛି । ଏସବୁ ଖଣିରୁ ୨୦ ହଜାର ମେଟ୍ରିକ୍ ଟନ୍‌ରୁ ଅଧିକ ମାଙ୍ଗାନିଜ ଓର୍ ଏବଂ ୧୨୦୦ ମେଟ୍ରିକ୍ ଟନ୍‌ରୁ ଊର୍ଦ୍ଧ୍ୱ ପରିମାଣର ଲୁହାପଥର ବେଆଇନ ଭାବେ ଉତ୍ତୋଳନ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩୭ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହି ବେଆଇନ ଖଣି ଉତ୍ତୋଳନ ଖଣି ଓ ଖଣିଜ ପଦାର୍ଥର ବିକାଶ ଏବଂ ନିୟନ୍ତ୍ରଣ (MMDR) ନିୟମ ଖିଲାପ କରୁଥିବାରୁ ଖଣିମାଫିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ତଦନ୍ତ ପ୍ରକ୍ରିୟାକୁ କ୍ରିୟାଶୀଳ କରିବା ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦିଆଯାଇଥିବା ଖଣି ମନ୍ତ୍ରୀ ସୂଚନା ଦେଇଛନ୍ତି ।

0 Comments