ଗାନ୍ଧୀନଗର: ଗୁଜୁରାଟର ଭଡୋଦରା ଜିଲ୍ଲାରେ ଏକ ପୁରୁଣା ବ୍ରିଜ ଭାଙ୍ଗିଯିବାରୁ ପାଖାପାଖି 10 ଜଣଙ୍କ ମୃତ୍ୟୁ ଘଟିଛି । ଆଜି (ସୋମବାର) ସକାଳ ସମୟରେ ଏକ 40 ବର୍ଷ ପୁରୁଣା ବ୍ରିଜ ଭାଙ୍ଗିଯିବାରୁ କେତେକ ଗାଡି ନଦୀର

ଖସିପଡିଥିଲା। ଫଳରେ ବହୁ ବ୍ୟକ୍ତି ଗୁରୁତର ଭବେ ଆହତ ହୋଇଛନ୍ତି । ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ପୋଲିସର ସୂଚନା ଅନୁଯାୟୀ ସୋମବାର ସକାଳ ସମୟ ସାଢେ 7ଟା ବେଳେ ଗମ୍ଭୀରା ବ୍ରିଜର ଏକ ସ୍ଲାବ ଖସିପଡିବାରୁ ପାଖାପାଖି 5 ରୁ 6ଟି ଗାଡି ଏପରିକି 2ଟି ବଡ ଟ୍ରକ ଏବଂ କେତେକ ଭ୍ୟାନ ମଧ୍ୟ ମହିସାଗର ନଦୀରେ ପଡିଯାଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ଭଡୋଦରା ଜିଲ୍ଲାରେ ଦୁଃଖଦ ପୋଲ ଭୁଶୁଡ଼ିବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି(PMNRF)ରୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏହା ସହିତ, ପ୍ରତ୍ୟେକ ଆହତ ବ୍ୟକ୍ତିଙ୍କୁ 50,000 ଟଙ୍କା ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି । PMO X ମାଧ୍ୟମରେ କହିଥିଲେ, "ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ମୋର ସମବେଦନା । ଆହତମାନଙ୍କ ଶୀଘ୍ରତମ ଆରୋଗ୍ୟ କାମନା କରୁଛି ।"

ଏନଡିଆରଏଫ (NDRF)ର ଏକ ଦଳ ଘଟଣା ସ୍ଥଳରେ ପହଞ୍ଚିଛି । ଏହା ସହ ଭଡୋଦରା ଅଗ୍ନିଶମ ବିଭାଗ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

1986 ମସିହାରେ ଗମ୍ଭୀରା ବ୍ରିଜର ନିର୍ମାଣ କରାଯାଇଥିଲା । ଗୁଜୁରାଟ ଓ ସୌରାଷ୍ଟ୍ର ଅଞ୍ଚଳକୁ ଏହା ସଂଯୋଗ କରେ । 832 ମିଟର ଦୀର୍ଘ ଓ 7.5 ମିଟର ପ୍ରଶସ୍ଥ ଏହି ବ୍ରିଜରେ 23ଟି ସ୍ତମ୍ଭ ରହିଥିଲା । ଏହି ବ୍ରିଜ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଗୁଜୁରାଟ ଓ ସୌରାଷ୍ଟ୍ର ଅଞ୍ଚଳରେ ଟ୍ରାଫିକ ସମସ୍ୟା ଦେଖାଦେବ ।

0 Comments