ହାଇଦ୍ରାବାଦ: ହାଇଦ୍ରାବାଦର ପଶାମିଲାରାମ ଶିଳ୍ପାଞ୍ଚଳରେ ଆଜି (ସୋମବାର) ଏକ ଭୟାବହ ବିସ୍ଫୋରଣ ସହ ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣରେ 13 ଜଣ କର୍ମଚାରୀ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବେଳେ 12 ଜଣ ଗୁରୁତର ରହିଛନ୍ତି । ଏହି ଦୁଃଖଦ ଘଟଣାରେ ପ୍ରଧାନମନ୍ତ୍ରୀ ଶୋକ
ପ୍ରକାଶ କରିଛନ୍ତି ।
ଅଗ୍ନିଶମ ବିଭାଗ ସୂଚନା ଅନୁଯାୟୀ ପଶାମିଲାରାମ ଶିଳ୍ପାଞ୍ଚଳରେ ଅବସ୍ଥିତ ସିଗାଚୀ ଫାର୍ମା କମ୍ପାନୀର ରିଆକ୍ଟରରେ ବିସ୍ଫୋରଣ ଘଟିଥିଲା । ଘଟଣାସ୍ଥଳରେ ହିଁ 5ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁକୁ ମିଶାଇ ବର୍ତ୍ତମାନ ସୁଦ୍ଧା 13 ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ 12 ଜଣ କର୍ମଚାରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ସିଗାଚି ଫାର୍ମା କମ୍ପାନୀର ରିଆକ୍ଟରରେ ଘଟିଥିବା ବିସ୍ଫୋରଣ ଏତେ ଭୟାନକ ଥିଲା ଯେ, ଏହାର ପାଖାପାଖି ଅଞ୍ଚଳରେ ଥିବା କର୍ମଚାରୀ ମାନେ 100 ମିଟର ଦୂରକୁ ଛିଟିକି ପଡିଥିଲେ । ଫାର୍ମା କମ୍ପାନୀର ଉତ୍ପାଦନ ୟୁନିଟଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେବା ସହ ଏହା ଥିବା ଅଟ୍ଟାଳିକାଟି ବିସ୍ଫୋରଣ ଯୋଗୁଁ ଭୁଷୁଡି ପଡିଛି । ଏହାର ନିକଟବର୍ତ୍ତୀ ଘରଟି ମଧ୍ୟ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଥିଲେ । ଏହା ସହିତ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ସହାୟତା ରାଶି ଏବଂ ଆହତଙ୍କ ପରିବାରକୁ 50 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଯୋଗାଇ ଦିଆଯିବ ବୋଲି କହିଥିଲେ ।
ସଙ୍ଗାରେଡ୍ଡୀ ଜିଲ୍ଲାପାଳ ଏବଂ ଏସପି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ତଦାରଖ କରିବା ଜାରି ରଖିଛନ୍ତି । ଏହି ଅଘଟଣ ସମ୍ପର୍କରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏପରି ଦୁର୍ଘଟଣା କାହିଁକି ଘଟିଲା ଏବଂ ସବୁ ସୁରକ୍ଷା ମାନ ଗୁଡିକର ସଠିକ ଯାଞ୍ଚ କରାଯାଉଥିଲା କି ନାହିଁ ଏହା ସମ୍ପର୍କରେ ତଦନ୍ତ କରାଯିବ ବୋଲି ଅଧିକାରୀ ମତ ପ୍ରକାଶ କରିଛନ୍ତି ।