ଭୁବନେଶ୍ବର: ଉପର ଓ ତଳ ମୁଣ୍ଡରେ ବର୍ଷା ଯୋଗୁଁ ଉତ୍ତର ଓଡିଶାରେ ବନ୍ୟା ସୃଷ୍ଟି ହୋଇଛି । ସୁବର୍ଣ୍ଣରେଖା, ବୁଢାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ବିପତ୍ତି ସୃଷ୍ଟି କରିଛି । ଉଭୟ ଜିଲ୍ଲାରେ 6 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ବିଭିନ୍ନ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ ହୋଇଛନ୍ତି । ଆଗକୁ ଆଉ ଏକ ଲଘୁଚାପ ଥିବାରୁ ପରିସ୍ଥିତିକୁ ଜଟିଳ କରିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଏଥିପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

p>

ତିନିଦିନ ହେଲା ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱରେ ପ୍ରବାହିତ ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଇ ତଳିଆ ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଛି । ବିଶେଷ କରି ଏଥର ଦୁଇଟି ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ସଦର, ରେମୁଣା, ଜଳେଶ୍ବର, ଭୋଗରାଇ, ବସ୍ତା ଓ ବାଲିଆପାଳ ଆଦି ବ୍ଲକରେ ଲୋକମାନେ ପ୍ରଭାବିତ ହୋଇଛନ୍ତି । ବିଶେଷ କରି ଉତ୍ତର ବାଲେଶ୍ୱରରେ ଥିବା ଚାରୋଟି ବ୍ଲକ ଅଧିକ ପ୍ରଭାବିତ ହୋଇଥିବା ବେଳେ ରେମୁଣା ଓ ସଦର ବ୍ଲକରେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୁବର୍ଣ୍ଣରେଖାର ଜଳସ୍ତର ବୃଦ୍ଧି ଏବଂ ଝାଡ଼ଖଣ୍ଡ ଗଲୁଡ଼ିହିରୁ ପାଣି ଛାଡ଼ିବା ପରେ ବାଲେଶ୍ୱର ଜିଲ୍ଲାର ସମୁଦାୟ ୪୬ଟି ପଞ୍ଚାୟତର ଲୋକମାନେ ଅଧିକ ପ୍ରଭାବିତ ହୋଇଛନ୍ତି । ଜିଲ୍ଲାର ୬ଟି ବ୍ଲକରେ ମୋଟ ୧୭ଟି ଆଶ୍ରୟସ୍ଥଳୀ ହୋଇଥିବା ବେଳେ ୨ହଜାର ୯୧୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ୧୩ଟି ସ୍ଥାନରେ ରନ୍ଧା ଖାଦ୍ୟ ପ୍ରଶାସନ ତରଫରୁ ପ୍ରଦାନ କରାଯାଉଛି । ଯେଉଁଠି ସମୁଦାୟ ୨ ହଜାର ଦୁଇଶହ ଆଠ ଜଣ ଲୋକ ସୁରକ୍ଷିତ ଭାବେ ଆଶ୍ରୟ ନେଇ ରନ୍ଧା ଖାଦ୍ୟ ଖାଉଛନ୍ତି । ଅନ୍ୟପଟେ ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାରେ ଚାରୋଟି ଓଡ୍ରାଫ ଟିମ ନିୟୋଜିତ ଥିବା ବେଳେ ଆଉ ଦୁଇଟି ଅତିରିକ୍ତ ଟିମ କଟକରୁ ଆସୁଛନ୍ତି ।

ସେହିପରି ବନ୍ୟା ଯୋଗୁଁ ଏହି ଦୁଇ ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଉଭୟ କୃଷି ଓ ଉଦ୍ୟାନ କୃଷି ନଷ୍ଟ ହୋଇଛି । ଏଥିପାଇଁ ଚାଷୀ ଚିନ୍ତିତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ସରକାର ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ କରିବେ । ଉଭୟ ମୟୁରଭଞ୍ଜ ଓ ବାଲେଶ୍ୱରର 7 ଟି ଲେଖାଏଁ ବ୍ଲକ ସହ ସମୁଦାୟ 14 ବ୍ଲକ ପ୍ରଭାବିତ ହୋଇଛି । ବାଲେଶ୍ଵର ଜିଲ୍ଲାର ବସ୍ତା, ବାଲିଆପାଳ, ଜଳେଶ୍ବର, ଭୋଗରାଇ, ରେମୁଣା, ସଦର ପ୍ରଭାବିତ ହୋଇଛି । କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱରରେ ରନ୍ଧା ଖାଦ୍ୟ ଦିଆଯାଇଛି । ଆସନ୍ତା 7 ଦିନ ଯାଏଁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପାଣି ଛାଡିବା ପରେ ସାପ କାମୁଡିବା ଭୟ ରହିଛି । ସେଥିପାଇଁ CHC ଓ PHC ଗୁଡିକୁ ପର୍ଯ୍ୟାପ୍ତ ଆଣ୍ଟି ସ୍ନେକ ଭେନମ ଯୋଗାଇ ଦିଆଯାଇଛି ।

0 Comments