ପୁରୀ: ଆଡପ ମଣ୍ଡପରେ କାଳିଆ ସାଆନ୍ତ । ସରିଛି ଅପେକ୍ଷା ଭକ୍ତ ପାଇଛନ୍ତି ଆଡପ ଅବଢା । ଆଡପ ଅବଢା ପାଇଁ ଭକ୍ତ ବେଶ ଖୁସି ପ୍ରକାଶ କରିଛନ୍ତି । ଆଡ଼ପ ମଣ୍ଡପରେ ମହାପ୍ରଭୁ ଥିବାରୁ ଗୁଣ୍ଡିଚା ମନ୍ଦିରରେ ଯେଉଁ ଅବଢ଼ା ବାହାରେ ତାହାକୁ ଆଡ଼ପ ଅବଢ଼ା କୁହାଯାଏ ।ଏଥର ଅବଢା ଜୈବିକ ଚାଉଳରେ ପ୍ରସ୍ତୁତ କରାଯାଇଛି ।
ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଆଡ଼ପ ମଣ୍ଡପରେ ବିଜେ କରି ଭକ୍ତଙ୍କୁ ଆଡ଼ପ ଦର୍ଶନ ଦେଉଛନ୍ତି । ସେପଟେ ଆଜି ପ୍ରଥମ ଆଡ଼ପ ଅବଢ଼ା ଭକ୍ତଙ୍କୁ ମିଳିଛି । ଆଡ଼ପ ମଣ୍ଡପରେ ମହାପ୍ରଭୁ ଥିବାରୁ ଗୁଣ୍ଡିଚା ମନ୍ଦିରରେ ଯେଉଁ ଅବଢ଼ା ବାହାରେ ତାହାକୁ ଆଡ଼ପ ଅବଢ଼ା କୁହାଯାଏ । ଭକ୍ତ ମାନେ ନିଜ ପିତୃ ପୁରୁଷଙ୍କୁ ତୃପ୍ତ କରିବା ପାଇଁ ଏହି ଆଡ଼ପ ଅବଢ଼ା ବ୍ରାହ୍ମଣଙ୍କୁ ଭୋଜନ କରାଇଥାନ୍ତି । ଏହା ଛଡା ଭକ୍ତ ମାନେ ନିଜ ପରିବାର ଓ ନିଜ ବନ୍ଧୁ ମାନଙ୍କୁ ଆଡ଼ପ ଅବଢ଼ା ସେବନ କରେଇ ଥାଆନ୍ତି । ଏଣୁ ପ୍ରଥମ ଆଡ଼ପ ଅବଢ଼ା ପାଇ ଭକ୍ତ ବେଶ୍ ଖୁସି ପ୍ରକାଶ କରିଛନ୍ତି । ସେପଟେ ଚଳିତ ବର୍ଷ ଆଡ଼ପ ଅବଢ଼ା ମଧ୍ୟ ସ୍ବତନ୍ତ୍ର । ଜୈବିକ ଚାଉଳ (ବିନା ରାସାୟନିକ ସାରରେ ପ୍ରସ୍ତୁତ ଚାଉଳ)ରେ ଆଡ଼ପ ଅବଢ଼ା ପ୍ରଥମ କରି ପ୍ରସ୍ତୁତ କରାଯାଇଛି ।
ମହାପ୍ରଭୁଙ୍କ କୋଠ ଭୋଗ ସମ୍ପୂର୍ଣ୍ଣ ଜୈବିକ ଚାଉଳରେ ପ୍ରସ୍ତୁତ ହୋଇଛି ।
ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ‘ଖେଚେଡ଼ି, ଅନ୍ନ, ବିଭିନ୍ନ ପିଠା ଭୋଗ ପ୍ରସ୍ତୁତ ହୋଇଛି ଜୈବିକ କଳା ଜିରା ଚାଉଳରେ । ୨୧ କୁଇଣ୍ଟାଲ ଜୈବିକ ଚାଉଳ ଯୋଗାଇ ଦେଇଛି କୃଷି ବିଭାଗ । କିନ୍ତୁ ଏହି ଚାଉଳରୁ ପ୍ରସ୍ତୁତ ମହାପ୍ରସାଦ ଦର ଅଧିକ ରହିବ ନାହିଁ । ଭକ୍ତଙ୍କୁ ସୁହାଇଲା ଭଳି ଦର ରହିବ ।’
ସକାଳୁ ମଙ୍ଗଳ ଆଳତି ନୀତି ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡା ଯାଇଥିଲା । ମନ୍ଦିର ବାହାରୁ ଭକ୍ତଙ୍କୁ ଧାଡ଼ିରେ ପ୍ରବେଶ କରାଯାଉଛି । ମନ୍ଦିର ଭିତରେ ମଧ୍ୟ ଶୃଙ୍ଖଳିତ ଦର୍ଶନ ପାଇଁ ଅଭିଜ୍ଞ ପୋଲିସ ଅଧିକାରୀ ନିୟୋଜିତ କରାଯାଇଛି । ଭକ୍ତଙ୍କ ଭିଡ ନିୟନ୍ତ୍ରଣ ଏହି ଅଧିକାରୀ କରିବେ । ମହାପ୍ରଭୁଙ୍କ କୃପାରୁ ଅତି ଶୃଙ୍ଖଳାରେ ଦର୍ଶନ ଚାଲିଛି । ସାଧାରଣ ଦର୍ଶନ ସହ ଭକ୍ତ ମାନଙ୍କ ପାଇଁ ଟିକେଟ ଦର୍ଶନ (ପରିମାଣିକ) ବ୍ୟବସ୍ଥା ରହିଛି । ଆମର ପ୍ରଥମିକତା ରହିଛି ଭକ୍ତଙ୍କ ସୁରକ୍ଷା । ଭକ୍ତ ମାନେ ଭଲରେ ଦର୍ଶନ ପାଇଁ ଜଗମୋହନ ଭିତରେ କାଠ ରାମ୍ପ ବ୍ୟବସ୍ଥା ହୋଇଛି ।’