ଭୁବନେଶ୍ବର: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ 3 ଗିରଫ । ଗିରଫ ମାନେ ହେଲେ ଜୀବନ ରାଉତ, ରଶ୍ମୀ ମହାପାତ୍ର ଓ ଦେବାଶିଷ ପ୍ରଧାନ । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ଡିସିପି ଜଗମୋହନ ମୀନା ।

ବିଏମସି ଅଫିସ ଚାମ୍ବରରେ ଜନ ଶୁଣାଣି ସମୟରେ ହଠାତ୍‌ ପଶି ଆସିଥିଲେ କିଛି ଦଳୀୟ କର୍ମୀ। କେହି କିଛି ବୁଝିବା ପୂର୍ବରୁ ବିଏମସି କାର୍ଯ୍ୟାଳୟ ବାହାରେ ତଳେ ପକାଇ ଗୋଇଠା ବିଧା ମାଡ କରିଥିଲେ । ବିଜେପି କର୍ପୋରେଟର ଜୀବନ ରାଉତଙ୍କ ଉପସ୍ଥିତିରେ କମିଶନର ରତ୍ନାକର ସାହୁଙ୍କ କଲର ଧରି ଘୋଷାଡ଼ି ଆଣି ମାଡ ମାରିଥିବା ରତ୍ନାକର ସାହୁ ଅଭିଯୋଗ କରିଛନ୍ତି। ଦଳୀୟ କର୍ମୀଙ୍କ ଏଭଳି ଅଚାନକ ଆକ୍ରମଣକୁ ନେଇ ଅପ୍ରୀତିକର ପରିସ୍ଥିତି ହେବାରୁ ବିଏମସି ଅଫିସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ କହିବା ମୁତାବକ ପ୍ରତି ସୋମବାର ପରି ବିଏମସି କାର୍ଯ୍ଯାଳୟରେ ଚାଲିଥିଲା ଅଭିଯୋଗ ଶୁଣାଣି। କମିଶନରଙ୍କ ଅନୁପସ୍ଥିତିରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣୁଥିଲେ। ୫ ଜଣ ଯୁବକ ରତ୍ନାକର ସାହୁଙ୍କ ଚାମ୍ବରକୁ ଧସେଇ ପଶିଥିଲେ। ବିଜେପି ନେତାଙ୍କୁ କଣ କହିଲେ ବୋଲି ପ୍ରଶ୍ନ କରିଥିଲେ। ଗୋଟିଏ ୱାର୍ଡର ସ୍ବଚ୍ଛ ସାଥୀ ଓ ସୁପରଭାଇଜରଙ୍କ ଅଭିଯୋଗକୁ ନେଇ ତଦନ୍ତ କରୁଥିଲେ ଏଡିସି। ତଦନ୍ତ ରିପୋର୍ଟ

ଦେଲେ କି ନାହିଁ କହି ବିଜେପି ନେତାଙ୍କୁ କାହିଁକି ଦୁବ୍ଯବହାର କଲେ ବୋଲି କହି ୫ ଜଣ ଯୁବକ ଅତର୍କିତ ରତ୍ନାକର ସାହୁଙ୍କୁ ଆକ୍ରମଣ କରିଥିଲେ ।

ଏ ଘଟଣା ପରେ ଆଇନର ଆଶ୍ରୟ ନେବେ ବୋଲି ଏଡିସି କହିଛନ୍ତି । ଦିନ ଦି ପ୍ରହରରେ ପଶି ବିଏମସି କାର୍ଯ୍ଯଳୟରେ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ପରେ ଅନ୍ଯ କର୍ମଚାରୀ ମାନେ ଅସୁରକ୍ଷିତ ମଣି ଧାରଣାରେ ବସିଛନ୍ତି। ଆକ୍ରମଣକାରୀଙ୍କୁ ଗିରଫ କରିବା ସହ ଦୁଷ୍ଟାନ୍ତମୂଳକ କାର୍ଯ୍ଯନୁଷ୍ଠାନ ନେବାକୁ ଦାବି କରିଛନ୍ତି କର୍ମଚାରୀ।

ଏହାସହ ବିଏମସି କାର୍ଯ୍ଯଳୟରେ ଏଡିସିଙ୍କୁ ଆକ୍ରମଣ ପରେ ଖାରବେଳନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଏଠି ପ୍ରଶ୍ନ ଉଠୁଛି କିଏ ସେହି ୫ ଜଣ ଦୁବୁର୍ତ୍ତ ? ବିଏମସି କାର୍ଯ୍ଯଳୟରେ ପଶି ଆକ୍ରମଣ କରିବା ଲାଗି ସେମାନଙ୍କୁ କିଏ ଦେଇଥିଲା ସାହସ ? ସରକାରୀ ଅଫିସର ଏଭଳି ଖୁଲମଖୁଲା ମାଡ ମାରିବା ପାଇଁ ଏତେ ସାହସ ପାଉଛନ୍ତି କେଉଁଠି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ଏହି ଆକ୍ରମଣ ଘଟଣାକୁ ଦୃଢ ଭାଷାରେ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହା ସହ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦାବି କରିଛନ୍ତି ।

 

0 Comments