ଭୁବନେଶ୍ବର: ରଥଟଣାରେ ବିଳମ୍ବ ଓ ନନ୍ଦିଘୋଷ ନଗଡ଼ିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ । ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୋହନ ସରକାର ବ୍ୟାପକ କଡ଼ନ ପାସ ବାଣ୍ଟି ଥିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛି ବିଜେଡି । ଜଗନ୍ନାଥପ୍ରେମୀଙ୍କର ଏହି ପବିତ୍ର ଉତ୍ସବରେ ବାରମ୍ବାର ଅଘଟଣ ଚିନ୍ତା ଓ ଦୁଃଖର ବିଷୟ ବୋଲି କହିଛନ୍ତି ବିରୋଧୀ ଦଳ ନେତା ।
ରଥ ଟଣାରେ ବିଳମ୍ବ ଓ ନନ୍ଦିଘୋଷ ରଥ ସିଂହଦ୍ୱାରରେ ଅଟକି ରହିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆରେ ପୋଷ୍ଟ କରି ନବୀନ କହିଛନ୍ତି, ‘ନନ୍ଦିଘୋଷ ରଥ ଟଣାରେ ଅଯଥା ବିଳମ୍ବ ପାଇଁ ପ୍ରଶାସନକୁ ଦୋଷାରୋପ କିମ୍ବା ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଚାହୁଁନାହିଁ । ଜଗନ୍ନାଥପ୍ରେମୀଙ୍କ ଏହି ପବିତ୍ର ଉତ୍ସବରେ ଯେଉଁ ଅଘଟଣ ଘଟିଛି, ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନକରି ରହି ହେଉନାହିଁ । ଗତବର୍ଷ ଆଡ଼ପ ପହଣ୍ଡି ବେଳେ ବଳଭଦ୍ର ପଡ଼ିଯିବା ଘଟଣାକୁ ଏଯାଏଁ କେହି ଭୁଲି ପାରୁନାହୁଁ । ଏବର୍ଷ ସମସ୍ତେ ଦେଖିଲେ ନନ୍ଦିଘୋଷ ରଥ ସିଂହଦ୍ୱାର ସାମ୍ନାରେ ସନ୍ଧ୍ୟା 7:45 ପର୍ଯ୍ୟନ୍ତ ଅଟକି ରହିଥିଲା । ଦିନ ଶେଷ ହେବା ପୂର୍ବରୁ ମାତ୍ର କିଛି ମିଟର ଗଡ଼େଇ ଦିଆଗଲା । ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଅନନ୍ୟ ଉତ୍ସବ ଦେଖିବାକୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ଏହା ସମ୍ପୂର୍ଣ୍ଣ ନିରାଶ ଓ ହତାଶ କରିଛି । ଭିଡ଼ ନିୟନ୍ତ୍ରଣରେ ଅପାରଗତା ହେତୁ ଶହ ଶହ ଭକ୍ତ ଆହତ ହୋଇଛନ
ତି । ରଥଯାତ୍ରାରେ ହୋଇଥିବା ଭୟଙ୍କର ବିଭ୍ରାଟ ପାଇଁ ଦାୟୀ ସମସ୍ତଙ୍କୁ ମହାପ୍ରଭୁ କ୍ଷମା କରନ୍ତୁ । ସରକାରରେ ଥିବା ସମସ୍ତଙ୍କ ମନରେ ଗଭୀର ଆତ୍ମଚିନ୍ତନ ଆଣିବ । ଚକା ଆଖି ସବୁ ଦେଖୁଛି ।’
ଏନେଇ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ‘ରାଜ୍ୟ ସରକାରଙ୍କ ତରଫରୁ ଚଳିତ ରଥଯାତ୍ରାର ଆୟୋଜନ ପୂର୍ବ ବର୍ଷ ଅପେକ୍ଷା ଅଧିକ ଭଲ ହୋଇଥିଲା । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ହୋଇଥିଲା । କିନ୍ତୁ ତା' ସତ୍ତ୍ୱେ ମହାପ୍ରଭୁଙ୍କ ରଥ ଚାଲିଲା ନାହିଁ । ମହାପ୍ରଭୁ କଣ ଏମିତି ଲୀଳା କଲେ ରଥ ଗଡ଼ିଲା ନାହିଁ ? ଗତକାଲି ରଥ ଟଣାରେ ବିଭ୍ରାଟ ଦେଖା ଦେଇଛି । ତାହାଲେ ଏହା କଣ ପ୍ରଭୁଙ୍କ ଇଚ୍ଛାରେ ହୋଇଛି ? ମୁଁ ଜଣେ ଜଗନ୍ନାଥ ବିଶ୍ଵାସୀ ଭକ୍ତ । ମୋ ମନରେ ନାନାଦି ପ୍ରଶ୍ନ ସୃଷ୍ଟି ହୋଇଛି । ଗତ 50/60 ବର୍ଷ ଭିତରେ ରଥକୁ ନେଇ ଏଭଳି ବିଭ୍ରାଟ ହୋଇନାହିଁ କିମ୍ବା ଏ ବର୍ଷ ପରି ଦୃଷ୍ଟାନ୍ତ ନାହିଁ । ଗତବର୍ଷ ରଥଯାତ୍ରାରେ ବଳଭଦ୍ରଙ୍କ ପ୍ରତି ଯେଉଁ ଅସମ୍ମାନ ହେଲା, ଏଥିରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏପରି ଅବହେଳା ପାଇଁ ଚତୁର୍ଦ୍ଧାମୂର୍ତ୍ତିଙ୍କର କଣ ଅସନ୍ତୋଷ ଅଛି କି ? ମୋର ଅନୁରୋଧ ଆମର ଭୁଲ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ କିମ୍ବା ଗଜପତି ପ୍ରଭୁଙ୍କ ପାଖରେ କ୍ଷମା ମାଗି ଓଡିଶାବାସୀଙ୍କୁ ଅଧିକ କ୍ଷତିରୁ ରକ୍ଷା କରନ୍ତୁ ।’