ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ଘୋଷଯାତ୍ରା । ରଥ ପଥ ସବୁକିଛି ପ୍ରସ୍ତୁତ । ତେବେ ବିଧି ଅନୁଯାୟୀ ଆଜି ନେତ୍ରୋତ୍ସବ ଦିନ ମହାପ୍ରଭୁଙ୍କ ତିନି ରଥକୁ ରଥ ଖଳାରୁ ଦକ୍ଷିଣ ମୋଡ କରାଯାଇ ରଥତ୍ରୟକୁ ଶ୍ରୀମନ୍ଦିର ସିଂହଦ୍ଵାର ଚକଡା଼ରେ ଲଗାଯାଇଛି । ହରିବୋଲ ହୁଳହୁଳି ପ୍ରକମ୍ପିତ ହୋଇଛି ଚର୍ତୁଦିଗ । ଅପେକ୍ଷା କେବଳ ସେହି ସ୍ବର୍ଣ୍ଣିମ ସମୟକୁ...ରଥରେ ବିରାଜମାନ ହେବେ ମହାପ୍ରଭୁ । କୋଟି କୋଟି ଭକ୍ତ ଚାତକ ଭଳି ଚାହିଁ ରହିଛନ୍ତି ।
ଆଜି ମହାପ୍ରଭୁଙ୍କ ନେତ୍ରୋତ୍ସବ ସହିତ ନବ ଯୌବନ ଦର୍ଶନ ଥିଲା । ଅଣସରର ୧୫ ଦିନ ପରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ସକାଳ ୭ଟା ୪୦ରେ ନବ ଯୌବନ ଦର୍ଶନ ଆରମ୍ଭ ହୋଇଥିଲା । ପ୍ରଥମେ ଟିକେଟ କରିଥିବା ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ପରେ ସକାଳ ୮ ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ତେବେ ଦିନ ୧୦ ଟା ୩୦ ଯାଏ ଏହି ଦର୍ଶନ ବ୍ୟବସ୍ଥା କରାଯାଇଥିଲା । ତେବେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ ପାଇଁ ଭାରତର କୋଣ ଅନୁକୋଣରୁ ଭକ୍ତ ଆସିଥିଲେ । ଦୀର୍ଘ ସମୟ ଧରି ବ୍ୟାରିକେଡ଼ରେ ରହି ଶୃଙ୍ଖଳିତ ଭାବେ ଦର୍ଶନ କରିଥିଲେ । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ଭକ୍ତ ପ୍ରବେଶ କରି ଉତ୍ତର ଦ୍ଵାର ପଟେ ପ୍ରସ୍ଥାନ କରିଥିଲେ ।
ଆସନ୍ତାକାଲି ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ଏଥି ପାଇଁ ସବୁ ପ୍ରସ୍ତୁତି
ଶେଷ ହୋଇଛି । ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ୬ଟା ରେ ମଙ୍ଗଳ ଆଳତି ନୀତି ପରେ ମଈଲମ, ତଡ଼ପ ଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟ ପୂଜା ସହିତ ଅନ୍ୟାନ୍ୟ ନୀତି କାନ୍ତି ବଢ଼ିବା ପରେ ସକାଳ ୮ ଟାରେ ମହାପ୍ରଭୁଙ୍କ ସକାଳ ଧୂପ (ଖେଚୁଡ଼ି ଭୋଗ) ନୀତି ଅନୁଷ୍ଠିତ ହେବ । ପରେ ସକାଳ ୯ଟାରେ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ପରେ ସକାଳ ୯ଟା ୩୦ରେ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ । ଦିନ ୧୨ ଟା ୩୦ରେ ପହଣ୍ଡି ଶେଷ ନେଇ ନୀତି ନିର୍ଘଣ୍ଟ ହୋଇଛି । ଏହା ପରେ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିବା ପରେ ଅପରାହ୍ନ ୨ଟା୩୦ ରୁ ୩ଟା୩୦ ମଧ୍ୟରେ ଛେରାପହଁରା, ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା ପରେ ଅପରାହ୍ନ ୪ଟାର ରଥ ଟଣା ନେଇ ନୀତି ନିର୍ଘଣ୍ଟ ହୋଇଛି।
ତେବେ ସବୁଠୁ ବଡ କଥା ହେଉଚି ଚଳିତ ବର୍ଷ ସମ୍ପୂର୍ଣ୍ଣ ଏଆଇ କ୍ୟାମେରା ଓ ଡ୍ରୋନ ମାଧ୍ୟମରେ ରଥଯାତ୍ରା ଭିଡ ନିୟନ୍ତ୍ରଣ, ଟ୍ରାଫିକ ପରିଚଳନା ହେବ। ଏଥି ପାଇଁ ପୁରୀ ଟାଉନ୍ ଥାନାରେ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟୋଲରୁମ୍ସ୍ ସ୍ଥାପନ କରାଯାଇଛି । ଯେଉଁ ଠାରେ ଏଆଇ କ୍ୟାମେରା ଦ୍ଵାରା ଚାଲିଥିବା ଲାଇଭ ଷ୍ଟ୍ରିମିଙ୍ଗକୁ ଦେଖି ହେବ । ଯାହା ଫଳରେ ଯେଉଁ ଅଞ୍ଚଳରେ ଅତ୍ୟଧିକ ଭିଡ଼ ହୋଇଛି, ଟ୍ରାଫିକ ଜାମ ସ୍ଥିତି ରହିଛି ତାହାକୁ ଠାବ କରାଯାଇ ଉକ୍ତ ସ୍ଥାନରେ ଥିବା ପୋଲିସ୍ ଅଧିକାରୀଙ୍କୁ ଜଣାଇ ଦିଆଯିବ । ଫଳରେ ଭିଡ଼କୁ ନେଇ ଦଳା ଚକଟା ସ୍ଥିତି ଉପୁଜିବ ନାହିଁ ।
ମହାପ୍ରଭୁଙ୍କ ରଥ ଯାତ୍ରାକୁ ନେଇ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଉତ୍କଣ୍ଠା । ମହାପ୍ରଭୁ ନିଜେ ଭକ୍ତଙ୍କୁ ଦର୍ଶନ ଦେବା ବଡଦାଣ୍ଡକୁ ଆସି ରଥରେ ବିରାଜମାନ କରିବେ । ଭକ୍ତ ମାନେ ମହାପ୍ରଭୁଙ୍କ ରଥକୁ ଟାଣି ଟାଣି ଗୁଣ୍ଡିଚା ମନ୍ଦିରରେ ନିକଟରେ ଲଗାଇବେ । ତେବେ ଚଳିତ ବର୍ଷ ରଥଯାତ୍ରାରେ 10 ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବା ନେଇ ଅନୁମାନ କରାଯାଉଛି । ଏଣୁ ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନା ବେଶ୍ ଚାଲେଞ୍ଜ ହେବ ପୋଲିସ୍ ଓ ପ୍ରଶାସନ ପାଇଁ ।
ତେବେ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ଆୟୋଜନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୮ଟି ଭାଗରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ବିଭକ୍ତ କରାଯାଇଛି । ଶ୍ରୀମନ୍ଦିର ଭିତର ଓ ବାହାର, ରଥର ଭିତର କର୍ଡ଼ନ ଓ ବାହାର କର୍ଡନ, ଭିଡ ନିୟନ୍ତ୍ରଣ, ଟ୍ରାଫିକ, ସମୁଦ୍ର ପଥ ସୁରକ୍ଷାକୁ ନେଇ ସବୁ ବ୍ୟବସ୍ଥା ହୋଇଛି । ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ରୁମ୍ କରାଯାଇଛି ।
ଭୁବନେଶ୍ଵର ଉତ୍ତରା ଛକରୁ ପୁରୀ, ପୁରୀ କୋଣାର୍କ ରାସ୍ତା ସହିତ ପୁରୀ ସହରରେ 275ଟି ଏଆଇ କ୍ୟାମେରା ଲଗାଯାଇଛି। ଆଣ୍ଟି ଡ୍ରୋନ ବ୍ୟବସ୍ଥା, ଡଗ ସ୍କ୍ୱାର୍ଡ ସହିତ ଆତଙ୍କବାଦୀ ଆକ୍ରମଣ କୁ ପ୍ରତିହତ କରିବା ପାଇଁ ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ ମୁତୟନ ରହିବେ । ମୋଟ୍ ୨୦୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସୁରକ୍ଷା ପାଇଁ ମୁତୟନ ହେବେ । ବିଏସଏଫ୍, ଆରଏଏଫ୍, ସିଆରପିଏଫ୍ ର ଆଠ କମ୍ପାନୀ ଫୋର୍ସ ମୁତୟନ ରହିବେ । ସମୁଦ୍ର ତଟରେ ମେରାଇନ ପୋଲିସ୍, କୋଷ୍ଟ ଗାର୍ଡ ଓ ନେଭି ମଧ୍ୟ ପଇଁତରା ମାରିବେ ।