ଧର୍ମଶାଳା: ହିମାଚଳ ପ୍ରଦେଶର ମୌସୁମୀ ବର୍ଷାର ତାଣ୍ଡବ । ତୁହାକୁ ତୁହା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ଥ କରିଦେଇଛି । କୁଲୁ ଜିଲ୍ଲା, କାଙ୍ଗଡ଼ା ଜିଲ୍ଲା ଓ ଧର୍ମଶାଳରେ ମୁଷଳଧାରାର ବର୍ଷା ହୋଇଛି । ବାଦଲଫଟା ବର୍ଷା ପରେ ଧର୍ମଶାଳାର ଖାନିଆରାରେ ଏକ ଘାଟିରେ ବନ୍ୟା ଆସିବାରୁ ଏକ ଜଳ ପ୍ରକଳ୍ପରେ ନିୟୋଜିତ 15 ରୁ ଅଧିକ ଶ୍ରମିକ ଭାସି ଯାଇଥିବା ଆଶଙ୍କା କରାଯାଉଛି। ସେହପରି 2 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି ।
ଧର୍ମଶାଳା ବିଧାୟକ ସୁଧୀର ଶର୍ମା ସୋସିଆଲ ମିଡିଆ ଏହି ସୂଚନା ଦେଇଛନ୍ତି । କାଙ୍ଗଡ଼ା କଲେକ୍ଟର ମଧ୍ୟ ଘଟଣାକୁ ନିଶ୍ଚିତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ ଅନ୍ୟ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ବନ୍ୟା ଆସିବା
ସମୟରେ ସମସ୍ତ ଶ୍ରମିକ ଏକ ଟିଣ ସେଡ୍ ରେ ଆଶ୍ରୟ ନେଇଥିଲେ। ଇନ୍ଦିରା ପ୍ରିୟଦର୍ଶିନୀ ଜଳ ପ୍ରକଳ୍ପ ଧର୍ମଶାଳାର ଖାନିଆରାର ସୌକାନି କା କୋଟ ଅଞ୍ଚଳରେ ଅବସ୍ଥିତ।
କାଙ୍ଗଡ଼ା ଜିଲ୍ଲା ଡେପୁଟି କମିଶନର ହେମରାଜ ବୈରୱା କହିଛନ୍ତି, ମାନୁନି ଖାଡ ନିକଟରେ ଏକ ଜଳ ବିଦ୍ୟୁତ୍ ପ୍ରକଳ୍ପ ଅଛି। ପ୍ରକଳ୍ପରେ କାମ କରୁଥିବା ଶ୍ରମିକମାନେ ଏହି ଘାଟି ନିକଟରେ ରହୁଥିଲେ। ପାଖରେ ଥିବା ନାଳରୁ ପାଣି ମଧ୍ୟ ମାନୁନି ଘାଟିରେ ପ୍ରବାହିତ ହେଉଛି। ବୁଧବାର ଦିନ ଲଗାତାର ବର୍ଷା ପରେ ହଠାତ୍ ଘାଟିର ଜଳସ୍ତର ବୃଦ୍ଧି ପାଇଲା ଏବଂ କିଛି ଲୋକ ଏଥିରେ ଫସିଗଲେ। ସେମାନଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଘୋଲତିର ପୋଲିସ ଷ୍ଟେସନର ପୋଲିସ ଫୋର୍ସ ଏବଂ ରୁଦ୍ରପ୍ରୟାଗରୁ ଏସଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ନଦୀର ପ୍ରବଳ ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ଏକ ଚ୍ୟାଲେଞ୍ଜ ହୋଇ ରହିଛି।
ବୁଧବାର ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ କ୍ଷୟକ୍ଷତି ଘଟିଛି। କୁଲୁ ଜିଲ୍ଲାର ଅନେକ ସ୍ଥାନରେ ବାଦଲଫଟା ବର୍ଷା ହୋଇଥିବାରୁ ଡ୍ରେନରେ ତିନି ଜଣ ଲୋକ ଭାସି ଯାଇଥିବା ଜଣାପଡିଛି। ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ, ଚାରୋଟି ଘର କ୍ଷତିଗ୍ରସ୍ତ ହୋଇଛି। ଏହା ବ୍ୟତୀତ, ବଞ୍ଜାର, ସାଇଞ୍ଜ, କାସୋଲ ଏବଂ ତୀର୍ଥନ ଉପତ୍ୟକାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରବଳ ବର୍ଷା ହେବାରୁ ଅନେକ ଯାନବାହନ ଭାସିଯାଇଛି।
ଅନ୍ୟପଟେ ମଣ୍ଡି ଜିଲ୍ଲାରେ ଜଳସ୍ତର ବୃଦ୍ଧି ପାଇବାରୁ ପାଣ୍ଡୋହ ଡ୍ୟାମର ତିନୋଟି ଗେଟ୍ ଖୋଲାଯାଇଛି। କୁଲୁ ଜିଲ୍ଲାର ସାଇଞ୍ଜ ଉପତ୍ୟକାରେ ବାଦଲଫଟା ବର୍ଷା ହେବା ପରେ ବ୍ୟାସ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବର୍ତ୍ତମାନ ପ୍ରତି ସେକେଣ୍ଡରେ ଡ୍ୟାମରୁ ୨୮,୭୨୫ କ୍ୟୁସେକ ପାଣି ଛଡ଼ାଯାଉଛି। ବ୍ୟାସ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ, ପାଣି ମଣ୍ଡି ସହରର ପ୍ରସିଦ୍ଧ ପଞ୍ଚବକ୍ତ୍ର ମହାଦେବ ମନ୍ଦିରର ପାହାଚ ବୁଡିଯାଇଛି। ଜିଲ୍ଲା ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି ଏ। ମଣ୍ଡି ଜିଲ୍ଲା ପ୍ରଶାସନ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ବ୍ୟାସ ନଦୀ କୂଳକୁ ନଯିବା ଏବଂ ସତର୍କ ରହିବାକୁ ନିବେଦନ କରିଛି। ଧର୍ମଶାଳାରେ ପ୍ରବଳ ବର୍ଷା ଯୋଗୁଁ ନଦୀ ଏବଂ ଝରଣାର ଜଳସ୍ତର ବୃଦ୍ଧି ପାଇଛି। ଏହା ବ୍ୟତୀତ ଧୌଳାଧର ପର୍ବତମାଳାରେ ହାଲୁକା ତୁଷାରପାତ ହୋଇଛି, ଯାହା ଫଳରେ ତାପମାତ୍ରାରେ ମଧ୍ୟ ହ୍ରାସ ହୋଇଥିବା ରେକର୍ଡ କରାଯାଇଛି ।