ଲକ୍ଷ୍ନୌ: ପ୍ରଭୁ ରାମଲାଲାଙ୍କର ପରମଭକ୍ତ ତଥା ରାମ ଜନ୍ମଭୂମୀ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କର ପରଲୋକ ହୋଇଛି । 87 ବର୍ଷ ବୟସରେ ଆଜି ତାଙ୍କ ବିୟୋଗ ହୋଇଥିବା ଖବର ପ୍ରସାରିତ ହେବା ପରେ ସମଗ୍ର ଦେଶ ଓ ବିଶେଷ ଭାବେ ସନ୍ଥ ସମ୍ପ୍ରଦାୟରେ ଗଭୀର ଶୋକ ପ୍ରକାଶ ପାଇଛି । ବାରାଣସୀରେ ଜୁନା ଆଖଡ଼ାର ଅନ୍ତର୍ଜାତୀୟ ସଭାପତି ମହନ୍ତ ପ୍ରେମଗିରି ମହାରାଜ ଏବଂ ଅଖିଳ ଭାରତୀୟ ସନ୍ଥ ସମିତିର ସାଧାରଣ ସମ୍ପାଦକ ସ

୍ୱାମୀ ଜିତେନ୍ଦ୍ରାନନ୍ଦ ସରସ୍ୱତୀଙ୍କ ସମେତ ଅନ୍ୟ ବରିଷ୍ଠ ସାଧୁ ସନ୍ଥମାନେ ଆଚାର୍ଯ୍ୟ ଦାସଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ।

1992 ପରଠାରୁ ଦୀର୍ଘ 34 ବର୍ଷ ଧରି ସେ ରାମଲାଲାଙ୍କ ପୂଜକ ଥିଲେ । ବାବ୍ରି ମସଜିଦ ଭାଙ୍ଗିବା ପରଠାରୁ ସେ ଅସ୍ଥାୟୀ ତମ୍ବୁରେ ସ୍ଥାପିତ ରାମଲାଲାଙ୍କ ପୂଜାର୍ଚ୍ଚନାର ସମ୍ପୂର୍ଣ୍ଣ ଦାୟିତ୍ବ ନେଇଥିଲେ । ପରେ 2024 ମସିହାରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯାଇ ରାମଲାଲାଙ୍କୁ ବିରାଜମାନ କରାଯିବା ପରେ ତାଙ୍କୁ ପ୍ରଧାନ ପୂଜକ ଭାବେ ଦାୟିତ୍ବ ନ୍ୟସ୍ତ କରିଥିଲା ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ । ପ୍ରାଣ ପ୍ରତିଷ୍ଠା ପରି ଭବ୍ୟ ସମାରୋହରେ ତାଙ୍କର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ଥିଲା । ଆଧ୍ୟାତ୍ମିକତା କ୍ଷେତ୍ରରେ ତାଙ୍କୁ ଲକ୍ଷ ଲକ୍ଷ ସନାତନୀ ଅନୁସରଣ କରିବା ସହ ତାଙ୍କ ମାର୍ଗଦର୍ଶନ ଲୋଡୁଥିଲେ ।

ବାରାଣସୀର ମହାକୁମ୍ଭରୁ ଆସିଥିବା ଜୁନା ଆଖାଡାର ବରିଷ୍ଠ ସନ୍ଥ ତଥା ଆଖାଡାର ଅନ୍ତର୍ଜାତୀୟ ସଭାପତି ମହନ୍ତ ପ୍ରେମଗିରି ମହାରାଜ କହିଛନ୍ତି, ‘‘ଆଚାର୍ଯ୍ୟ ଦାସଙ୍କର ମର୍ତ୍ତ୍ଯ ମଣ୍ଡଳରୁ ବିଦାୟ ଅତ୍ୟନ୍ତ ଦୁଃଖଦ ଘଟଣା । କିନ୍ତୁ ମର୍ତ୍ତ୍ୟପୁରୀରେ କେହି ସଶରୀରରେ ସର୍ବଦା ରହିପାରିବେ ନାହିଁ । କିନ୍ତୁ ସତ୍ୟେନ୍ଦ୍ର ଦାସଜୀ ଜଣେ ଉତ୍ତମ ସନ୍ଥ ଥିଲେ । ସେ ରାମ ମନ୍ଦିରର ପ୍ରଧାନ ପୂଜାରୀ ଥିଲେ । ଲକ୍ଷ ଲକ୍ଷ ଲୋକେ ତାଙ୍କୁ ଅନୁସରଣ କରୁଥିଲେ । ତାଙ୍କୁ ନିଜ ଚରଣରେ ସ୍ଥାନ ଦେବା ପାଇଁ ଆମେ ପରମେଶ୍ବରଙ୍କୁ ପ୍ରାର୍ଥନା କରୁଛୁ ।"

ସେହିପରି ଅଖିଳ ଭାରତୀୟ ସନ୍ଥ ସମିତିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସ୍ୱାମୀ ଜିତେନ୍ଦ୍ରାନନ୍ଦ ସରସ୍ୱତୀ ମଧ୍ୟ ଆଚାର୍ଯ୍ୟଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । କହିଛନ୍ତି, ୧୯୯୨ ମସିହାରେ ବିବାଦୀୟ ଢାଞ୍ଚା ଭାଙ୍ଗିବା ପରେ ସତ୍ୟେନ୍ଦ୍ର ଦାସଜୀ ପ୍ରଭୁ ରାମଙ୍କ ପୂଜା ଓ ଦେଖାଶୁଣା କରିବାର ଦାୟିତ୍ୱ ଗ୍ରହଣ କରିଥିଲେ । ସେ ନିରନ୍ତର ଭାବରେ ଦୀର୍ଘ 34 ବର୍ଷ ଧରି ରାମଲାଲଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ।

0 Comments