ଭୁବନେଶ୍ୱର: ନେପାଳୀ ଛାତ୍ରୀ ଜୀବନ ହାରିବା ମାମଲା । ଘରୋଇ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ହାଜିରା ନୋଟିସ । ଉଚ୍ଚସ୍ତରୀୟ କମିଟି ନିକଟରେ ହାଜର ହେବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି(ଶୁକ୍ରବାର) ସଂଧ୍ୟା ସାଢ଼େ ୬ଟାରେ ହାଜର ହେବା ପାଇଁ ନିର୍ଦ୍ଦେଶ ରହିଛି ।
ରାଜଧାନୀ ଭୁବନେଶ୍ୱର ସ୍ଥିତ ଘରୋଇ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କର ଜୀବନ ହାରିବା ମାମଲାରେ ନୂଆ ମୋଡ । ଘରୋଇ ବିଶ୍ୱବିଦ୍ଯାଳୟ
ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସରକାରଙ୍କ ପକ୍ଷରୁ ହାଜିରା ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ସଂଧ୍ୟା ସାଢ଼େ ୬ଟାରେ ଅତିଥି ଭବନରେ ଉଚ୍ଚସ୍ତରୀୟ କମିଟି ନିକଟରେ ସମସ୍ତ ତଥ୍ୟ ସହ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଚ୍ୟୁତ ସାମନ୍ତଙ୍କୁ ହାଜର ପାଇଁ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର ।
ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି," ଯେଉଁମାନେ ବିଶ୍ୱବିଦ୍ୟାଳୟ ଛାଡି ଯାଇଥିଲେ ସେମାନେ ଫେରୁଛନ୍ତି । ସେମାନଙ୍କର ଯାହା ଯାହା କଥା ରହିଛି, ତାହା ଆମେ ଶୁଣିଛୁ । ଛାତ୍ରଛାତ୍ରୀମାନଙ୍କର ମାନସିକତା ଓ ସେମାନଙ୍କ କ୍ୟାରିଅରକୁ ନେଇ କୌଣସି ପ୍ରକାର ଆଘାତ ଦିଆଯିବ ନାହିଁ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଛି । କଲେଜ କର୍ତ୍ତୃପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି ।
ଅଚ୍ୟୁତ ସାମନ୍ତଙ୍କୁ ନୋଟିସ ବାବଦରେ ମନ୍ତ୍ରୀ କହିଛନ୍ତି, "ଉଚ୍ଚସ୍ତରୀୟ କମିଟିଠାରୁ ଉଚ୍ଚରେ କେହି ନାହାନ୍ତି । ଆଇନ ଆଧାରରେ କାର୍ଯ୍ୟ କରାଯାଉଛି । ଆଇନଠୁ ଊର୍ଦ୍ଧ୍ବକୁ ଯାଇ କେହି ବର୍ତ୍ତିପାରିବେ ନାହିଁ । କମିଟିର ଯାହା ମନେ ହୋଇଥିବ, କମିଟି ଯାହା ପାଖରୁ ଉତ୍ତର ଶୁଣିବାକୁ ଚାହିଁଥିବା ସେମାନଙ୍କୁ ଡାକିବାରେ କୌଣସି ଅସୁବିଧା ନାହିଁ ।"
ସୂଚନାଯୋଗ୍ୟ, ଗତ ରବିବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ନେପାଳର ଏକ ଛାତ୍ରୀ ଜୀବନ ହାରିଥିଲେ । ଏହାପରେ କ୍ୟାମ୍ପସରେ ଚାପା ଉତ୍ତଜେନା ଦେଖିବାକୁ ମିଳିଥିଲା । ଘରୋଇ ବିଶ୍ବବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା କର୍ମଚାରୀ ମାଡ଼ ମାରିବା ଅଭିଯୋଗ ଆସିଥିଲା । ତେବେ ମାମଲାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର । ଏକ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିବା ସହ ମାମଲାର ତଦନ୍ତ ଜାରି ରହିଛି । ନେପାଳ ସରକାର ମଧ୍ୟ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଅନ୍ୟପଟେ ଏହି ମାମଲାରେ ସମ୍ପୃକ୍ତ ଛାତ୍ରକୁ ଗିରଫ କରାଯାଇଛି । ଆଉ ମଧ୍ୟ ବିଶ୍ୱବିଦ୍ଯାଳୟର ଦୁଇଜଣ ସିକ୍ୟୁରିଟି ଗାର୍ଡ ଏବଂ ତିନିଜଣ ନିର୍ଦ୍ଦେଶକ ଗିରଫ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କୁ ଜାମିନ ମିଳିଥିଲା ।