କଟକ: ଆସନ୍ତା 21ରୁ ମାଟ୍ରିକ ପରୀକ୍ଷା । ମଝିରେ ଆଉ ମାତ୍ରେ ଦିନେ । ଏଥର ପରୀକ୍ଷା ଦେବେ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ । ଏଥର ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ପ୍ରସ୍ତୁତି ଜୋରଦାର କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ମାଟ୍ରିକ ପରୀକ୍ଷା ପାଇଁ ଚୟନ ହୋଇଥିବା କମାଣ୍ଡ ସେଣ୍ଟର ତଥା ନୋଡାଲ୍ ସେଣ୍ଟର ଓ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ଭିଡିଓ ସିଧା ପ୍ରସାରଣ ହେବ । ଏଥିପାଇଁ ବୋର୍ଡ କର୍ତ୍ତୃପକ୍ଷ ଓ ଦାୟିତ୍ୱରେ ଥିବା ଅନ୍ୟ ଅଧିକାରୀ ୬ ଶହ କେନ୍ଦ୍ରରେ ଭିଡିଓ ଲାଇଭ୍ ବ୍ୟବସ୍ଥାର ଅନୁଧ୍ୟାନ କରିବେ ।
ଆସନ୍ତା 21 ତାରିଖରୁ ରାଜ୍ୟରେ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ଯାହା ମାର୍ଚ୍ଚ 6 ପର୍ଯ୍ୟନ୍ତ ଚାଲିବ । ମାଟ୍ରିକ ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଏକା ସାଙ୍ଗରେ ହେବ । ମୋଟ ୩୧୩୩ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ହେବ । ମୋଟ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବାକୁ ଯାଉଛନ୍ତି । ରାଜ
ୟର ୩ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରର ହଲ୍ ସିସିଟିଭି ଫୋକସରେ ରହିଥିବା ବେଳେ ଏଥିରେ ୨୮୬ଟି ସମ୍ବେଦଶୀଳ ପରୀକ୍ଷା କେନ୍ଦ୍ର ଓ ୩୧୪ଟି ନୋଡାଲ୍ ସେଣ୍ଟରରେ ଭିଡିଓ ଲାଇଭ ହେବ । ଲାଇଭ୍ ଭିଡିଓର ଅନୁଧ୍ୟାନ ଲାଗି ବୋର୍ଡ କାର୍ଯ୍ୟାଳୟରେ କଣ୍ଟ୍ରୋଲ୍ ରୁମ୍ କରାଯାଇଛି ।
ପରୀକ୍ଷା ପରିଚାଳନା କରିବା ପାଇଁ ବୋର୍ଡ ପକ୍ଷରୁ ଚୟନ ହୋଇଥିବା କମାଣ୍ଡ ସେଣ୍ଟର୍ ତଥା ନୋଡାଲ୍ ସେଣ୍ଟର୍ ଓ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଭିଡିଓ ସିଧା ପ୍ରସାରଣ ବା ଲାଇଭ୍ ଷ୍ଟ୍ରିମିଙ୍ଗ୍ ବ୍ୟବସ୍ଥା ଅନୁଧ୍ୟାନ ଲାଗି ଆଜି ଠାରୁ ପରୀକ୍ଷା ମୂଳକ ଭାବେ ପ୍ରଦର୍ଶନ କରାଯାଇଛି ବା ଡ୍ରାଏ ରନ ହେବ । ବୋର୍ଡ କର୍ତ୍ତୃପକ୍ଷ ଓ ଦାୟିତ୍ୱରେ ଥିବା ଅନ୍ୟ ଅଧିକାରୀମାନେ ୬ ଶହ କେନ୍ଦ୍ରରେ ଭିଡିଓ ଲାଇଭ୍ ବ୍ୟବସ୍ଥାର ଅନୁଧ୍ୟାନ କରିବେ । ଦୁଇ ଦିନ ଧରି ପରୀକ୍ଷାମୂଳକ ଭାବେ ଏହା ଅନୁଧ୍ୟାନ କରାଯିବ ।
ଚଳିତ ବର୍ଷ ପ୍ରଶ୍ନପତ୍ରର ଭାଇରାଲ ରୋକିବା ପାଇଁ ମାଟ୍ରିକ ପ୍ରଶ୍ନପତ୍ରରେ ୱାଟର ମାର୍କ, ଷ୍ଟାଟିକ କ୍ୟୁ ଆର କୋର୍ଡ ଓ ଡାଇନାମିକ କୋର୍ଡ ବ୍ୟବସ୍ଥା କରାଯାଇଛି । ପରୀକ୍ଷାର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ଜଣେ ଜଣେ ଅତିରିକ୍ତ ଏସପି ଓ ଜଣେ ଜଣେ ଡ଼ିଏସପିଙ୍କୁ ନୋଡାଲ ଅଫିସର ଦାୟିତ୍ୱ ଦିଆଯାଇଛି ।
ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା ଅନେକ ସମୟରେ ସାମ୍ନାକୁ ଆସେ । ଏଥର ଏସବୁ ଉପରେ ରୋକ ଲଗାଇବା ପାଇଁ କଡା ବ୍ୟବସ୍ଥା କରିଛି ବୋର୍ଡ । ତାହା ମଧ୍ୟରୁ ଏକ ବ୍ୟବସ୍ଥା ହେଉଛି ଡାଇନାମିକ କୋର୍ଡ଼ । ଏହା ଏକ ଅଭିନବ ବ୍ୟବସ୍ଥା ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଏହି କୋର୍ଡ ଵ୍ୟଵସ୍ଥା ପ୍ରତ୍ୟେକ ପ୍ରଶ୍ନପତ୍ରରେ ରହିବ । ଯିଏ ବି ଫଟୋ ଉଠାଇବ ଏହି କୋର୍ଡ ଦ୍ୱାରା ଜଣା ପଡିବ କି ଏହି ଖାତା କେଉଁ ଛାତ୍ର କିମ୍ବା ଛାତ୍ରୀଙ୍କର । କାରଣ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ରରେ ଭିନ୍ନ ଭିନ୍ନ ନମ୍ବର ରହିଛି । ଯାହାର ପ୍ରଶ୍ନପତ୍ର ବାହାରକୁ ଆସିବ ତାହା ସହଜରେ ଜଣା ପଡିବ । ଏହି କୋର୍ଡ ଏଭଳି ବ୍ୟବସ୍ଥା ମାଟ୍ରିକ ପରୀକ୍ଷାରେ ପ୍ରଥମ ଥର ପାଇଁ କରାଯାଇଛି ।
ଏନେଇ ମାଧ୍ୟମିକ ଶିକ୍ଷା ପରିଷଦର ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି, ‘ମାଟ୍ରିକ ପରୀକ୍ଷାର ସୁପରିଚାଳନା ପାଇଁ ସାରା ରାଜ୍ୟରେ ନିୟୋଜିତ ହେବେ ୬୦ ଜଣ ନୋଡାଲ ଅଫିସର । ପ୍ରତ୍ୟେକ ଜିଲ୍ଲାରେ ଜଣେ ଅତିରିକ୍ତ ଜିଲ୍ଲାପାଳ ଓ ଜଣେ ଡ଼ିଏସପି ରାଙ୍କର ଅଫିସର ଏହି ନୋଡାଲ ଅଫିସର ଦାୟିତ୍ୱରେ ରହିବେ । ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଁଚିବା, ପରୀକ୍ଷା ସେଣ୍ଟରରେ ସୁବ୍ୟବସ୍ଥିତ ପରୀକ୍ଷା ଓ ଉତ୍ତର ଖାତା ମୂଲ୍ୟାୟନ କେନ୍ଦ୍ରରେ ପହଁଚିବା ନୋଡାଲ ଅଫିସରଙ୍କ ତତ୍ତ୍ବାବଧାନରେ ହେବ ।