ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯାଜପୁର ଜିଲ୍ଲା ଗସ୍ତ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ା ଗସ୍ତ କରି ବାସ୍ତବ ସ୍ଥିତି ଅନୁଧ୍ୟାନ ଓ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଗିରୀଶ ଏସଏନ, ବିଭାଗୀୟ ନିର୍ଦ୍ଦେଶକ ବୀନିତ ଭରଦ୍ବାଜ ଓ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ସହିତ ଘରକୁ ଘର ବୁଲି ନଗଡ଼ାବାସୀଙ୍କ ଭଲମନ୍ଦ ବୁଝିଛନ୍ତି । ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ଉପସ୍ଥିତ ରହି ନଗଡା ଅଂଚଳରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମର୍କରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଛନ୍ତି ।
ମୁଖ୍ୟ ଶାସନସଚିବ ମନୋଜ ଆହୁଜା ଦିନିକିଆ ଯାଜପୁର ଗସ୍ତରେ ଆସି ଫେରିଛନ୍ତି । ଗତକାଲି ମଧ୍ୟାହ୍ନରେ ଆହୁଜା ପ୍ରଥମେ ସୁକିନ୍ଦାରେ ପହଞ୍ଚି ନଗଡା଼ ଅଭିମୁଖେ ଯାଇଥିଲେ । ସେଠାରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦି କ୍ଷେତ୍ରରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଏଥିସହିତ ନଗଡା଼ ବାସୀଙ୍କ ରହିଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ପରେ ସିଏସ୍ ଆହୁଜା ଦେଓଗାଁ ସ୍ଥିତ ଆଦିବାସୀ ଛାତ୍ରାବାସ, ଚିଙ୍ଗୁଡ଼ିପାଳ ସ୍ଥିତ ଆବାସିକ ବିଦ୍ୟାଳୟ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କାଳିଆପାଣି ଓ ମଙ୍ଗଳପୁର ଆଦି ବିଭିନ୍ନ ସ୍ଥାନକୁ ଯାଇ ଅନେକ ଗୁଡ଼ିଏ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି ସନ୍ଧ୍ୟାରେ ଭୁବନେଶ୍ୱର ଫେରିଯାଇଥିଲେ । ମୁଖ୍ୟ ଶାସନସଚିବଙ୍କ ଏହି ଗସ୍ତ ସମୟରେ ପଞ୍ଚାୟତିରାଜ ବିଭାଗର ସଚିବ ଓ ନିର୍ଦ୍ଦେଶକଙ୍କ, ଯାଜପୁର ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍
ନିର୍ଦ୍ଦେଶକ, ଜିଲ୍ଲା ଶିକ୍ଷା ଅଧିକାରୀ, ବନବିଭାଗ ଅଧିକାରୀ ଓ ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ସାମିଲ ରହିଥିଲେ ।
ସେପଟେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, "ମୁଁ ନଗଡା ରେ ପହଂଚିବା ପରେ ଅଙ୍ଗନବାଡି କେନ୍ଦ୍ର, ସ୍କୁଲର ଶିକ୍ଷା, ସ୍ୱାସ୍ଥ୍ୟ ଅନୁଧ୍ୟାନ କରିଛି l ବିଶେଷ ଭାବରେ ଏହି ଅଞ୍ଚଳରେ ରହୁଥୁବା ସମସ୍ତ ମହିଳା ସୁଭଦ୍ରା ଯୋଜନାରେ ପାଇଥିବା ଟଙ୍କାକୁ ରୋଜଗାରକ୍ଷମ ହେବା ପାଇଁ ବିଭିନ୍ନ ଯୋଜନା ବିନିଯୋଗ କରିଥିବା ଜାଣିବାକୁ ପାଇଁ ଖୁସି ଲାଗିଲା l ତେବେ ଏହି ଅଞ୍ଚରେ ଆହୁରୀ ବିକାଶ ଆବଶ୍ୟକ ଥିବାବେଳେ କିଭଳି ଜମି ପଟ୍ଟା ପାଇବେ ସେଥିପାଇଁ ଜିଲ୍ଲାପାଳ ସହିତ ଆଲୋଚନା କରିଛି l"
ମୁଖ୍ୟ ଶାସନ ସଚିବ ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସାଧାରଣ ସ୍ବାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅନୁଧ୍ୟାନ କରିଛନ୍ତି । ଉପର ନଗଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ସେ ଗ୍ରାଉଣ୍ଡ ଜିରୋ ସ୍ଥିତି ସମୀକ୍ଷା କରିଛନ୍ତି । ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଘର ବାବଦକୁ କିଛି ହିତାଧିକାରୀ ୬୦ ପ୍ରତିଶତ କାର୍ଯ୍ୟ ଦେଖି ମୁଖ୍ୟ ଶାସନ ସଚିବ ଉଦବେଗ ପ୍ରକାଶ କରିଛନ୍ତି । ଯଥାଶୀଘ୍ର ସଂପୂର୍ଣ୍ଣ ଘର ପାଇଁ ସେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଅଶୋକ କୁମାର ବେହୁରିଆ ଓ ବିଡିଓ ପ୍ରଦୀପ୍ତ କୁମାର ସେଠୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ବାସ୍ଥ୍ୟକେନ୍ଦ୍ର ନଯାଇ ନିଜ ଘରେ ସନ୍ତାନ ପ୍ରସବ କରି ପ୍ରତିଷେଧକ ଟିକା ନେଇନଥିବା ଶିକର ପ୍ରଧାନଙ୍କ ପତ୍ନୀ ସୁବାଙ୍କୁ ସ୍ବାସ୍ଥ୍ୟାବସ୍ଥା ବାବଦରେ ମୁଖ୍ୟ ଶାସନ ସଚିବ ପଚାରି ବୁଝିଛନ୍ତି ।
ଜଙ୍ଗଲ ଜମି ଅଧିକାର ଆଇନ ଆଧାରରେ ଚାଷଜମି ପଟ୍ଟା ପ୍ରଦାନ ପାଇଁ ଜିଲ୍ଲାପାଳ, ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ଡିଏଫଓ ଅନିଲ ରାୟ ଓ ଏସିଏଫ ସନ୍ତୋଷ କୁମାର ପତିଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।ଡିଇଓ ନିତ୍ୟାନନ୍ଦ ବାରିକ ଓ ବିଇଓ ନାରାୟଣ ଦାସଙ୍କୁ ନେଇ ନଗଡ଼ା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ ପରିଦର୍ଶନରେ ସ୍କୁଲ ପରିଚାଳନା ସମିତି ସଭାପତି କୃପା ପ୍ରଧାନ ଓ ଚୁକୁଲି ପ୍ରଧାନ ଜୁଆଙ୍ଗ ଭାଷାରେ ପାଠପଢ଼ା, ସ୍କୁଲ ପାଚେରି ଓ ଝରଣା ପାଣି ସଂରକ୍ଷଣ ବାବଦରେ ଦାବି କରିଛନ୍ତି । କେତେକ ପିଲା ସ୍କୁଲରେ ନିୟମିତ ଅନୁପସ୍ଥିତ ରହୁଥିବା ଜାଣି ଏଥିରେ ସୁଧାର ଆଣିବାକୁ ସେ ପରାମର୍ଶ ଦେଇଛନ୍ତି । ଦେଓଗାଁରେ ୩ ବର୍ଷ ଧରି ଅବ୍ୟବହୃତ ଥିବା ୨ ଶହ ଶଯ୍ୟା ବିଶିଷ୍ଟ ଆଦିବାସୀ ହଷ୍ଟେଲ ବୁଲି ତୁରନ୍ତ କାର୍ଯ୍ୟକ୍ଷମ ଦିଗରେ ଡିଡବ୍ଲ୍ୟୁଓ ଶରତ ଚନ୍ଦ୍ର ବେହେରା, ସ୍ବତନ୍ତ୍ର ଅଧିକାରୀ ସୁନାରାମ ସିଂହ ଓ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ କମଳ କୁମାର ସ୍ବାଇଁଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବ କାଳିଆପାଣି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ଏହାର ଉନ୍ନତୀକରଣ ପାଇଁ ସିଡିଏମଓ ଡା. ପ୍ରକାଶ ଚନ୍ଦ୍ର ବଳ, ଅଧୀକ୍ଷକ ଡା. ଜୟଦେବ ନନ୍ଦ ଓ ଡିପିଏମ ବିଶ୍ବରଞ୍ଜନ ରଥଙ୍କୁ ପରାମର୍ଶ ଦେଇଛନ୍ତି । ଡିଏସଡବ୍ଲୁଓ ପାର୍ବତୀ ସାହୁ, ଡିଏସଏସଓ ରବୀନ୍ଦ୍ରନାଥ ବେହେରା, ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ରାଧେଶ୍ୟାମ ବେହେରା, ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଅବିନାଶ ବାରିକ ଓ ଡିଏମଏଫ ଟିମ ଲିଡର ଡ. ସତ୍ୟ ସ୍ବରୂପ ପଣ୍ଡା ଓ ଆଶୀର୍ବାଦ ନାୟକ, ଓମ୍ବାଡସି ଶିକ୍ଷା ଅଧିକାରୀ ଦୀପକ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।