ଯାଜପୁର: ସାଧାରଣ ନିର୍ବାଚନ ନିଜର ଓ ଦଳର ପରାଜୟର 3 ମାସ ନିରବତା ପରେ ମୁହଁ ଖୋଲିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ମୋହନ ସରକାର ଓ ଶାସକ ଦଳ ବିଜେପି ଉପରେ ବର୍ଷିଛନ୍ତି ପ୍ରଣବ । ଯାଜପୁରର ଦଶରଥପୁରରେ ଆୟୋଜିତ ଦଳର ପଦଯାତ୍ରାରେ ଦେଇଛନ୍ତି ଅନେକ ରାଜନୈତିକ ବୟାନ । ଯାଜପୁରରେ ପ୍ରଣବଙ୍କ ମନ୍ତବ୍ୟ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ପ୍ରଣବଙ୍କ ବୟାନର ବିଭିନ୍ନ ଦିଗ ବାହାର କରୁଛନ୍ତି ବିରୋଧୀ ଓ ରାଜନୀତି ସମୀକ୍ଷକ । ଯାଜପୁରରେ ଉପନିର୍ବାଚନ କରି କ୍ଷମତାକୁ ଫେରିବାକୁ ପ୍ରଣବ ଚେଷ୍ଟା କରୁଥିବା କଥା ଚର୍ଚ୍ଚା ଆରମ୍ଭ ହୋଇଛି ।

ପ୍ରଣବ କହିଛନ୍ତି, "ନିର୍ବାଚନ ସରିବାକୁ ଚାରି ମାସ ହେଲାଣି । ଏହା ସହ ନିର୍ବାଚନ ପୂର୍ବର ଦୁଇ ମାସ ହେଲା ମିଡ଼ିଆରେ ଗୋଟିଏ ନା ବବି ଦାସ । ଏ ଗୋଟିଏ ଲୋକ ନାଁ କହିଲେ ଟିଆରପି ବଢିବ । ଆଉ କାହା ନାଁ'ରେ ଟିଆରପି ନାହିଁ । ମୋତେ ନେଇ ଅନେକ ଚର୍ଚ୍ଚା, ଆଲୋଚନା ହୋଇଛି । ମୋ ନେତା ମୋତେ କିଛି କହୁନାହାନ୍ତି । ମୋ ଦଳ ମୋତେ କିଛି କହୁନାହିଁ । ନିର୍ଦ୍ଦିଷ୍ଟ ଗଣମାଧ୍ୟମ ମୋତେ କେତେବେଳେ ପାର୍ଟିର ସର୍ବସ୍ବ କରିଦେଉଛନ୍ତି, ଆଉ କେତେବେଳେ ପାର୍ଟିରୁ ବାହାର କରିଦେଉଛନ୍ତି । ଅଶୋକ ଦାସର ପୁଅ ବିଜୁ ଓ ନବୀନ ପଟ୍ଟନାୟକଙ୍କ ଦାୟାଦ ଭାଙ୍ଗିବାର ପ୍ରଶ୍ନ ଉଠୁନାହିଁ । ବିଜୁ ପଟ୍ଟନାୟକଙ୍କ ସ

ିତ ଥିବାରୁ ରାଜନୈତିକ ଆକ୍ରୋଶରେ ବାପା 29 ମାସ ଜେଲ ଯାଇଥିଲେ । ମୁଁ ଚାରି ବର୍ଷ ଜେଲ ଯିବା ପାଇଁ ରାଜି ଅଛି । ଯେତେ ଯାହା କଲେ ନବୀନ ପଟ୍ଟନାୟକ ପାଖରୁ ମତେ କେହି ଦୂରେଇ ପାରିବେ ନାହିଁ । ଯୋଜନା କରି ଜେଲରେ ଭର୍ତ୍ତି ଦ୍ୱାରା ମୋତେ ଭାଙ୍ଗିବାର ଚାନ୍ସ ନାହିଁ । କାରଣ ନବୀନ ପଟ୍ଟନାୟକ ଓ ଦଳର ସମର୍ଥକ ମୋ ପଛରେ ଅଛନ୍ତି । ଡରିବାର ନାହିଁ ।"

ମୋହନ ସରକାରକୁ ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରଣବ । ପ୍ରଣବ ପ୍ରଶ୍ନ କହିଛନ୍ତି, "କାହିଁକି ଏତେ ଆଟାର୍କ ? ଯାଜପୁରର ବିକାଶ କରିବା କଣ ମୋର ଭୁଲ ? ବିଜେପି ପାୱାରରେ ଅଛି କାମ କରୁ । ଓଡ଼ିଶାରେ ଯାଇକି କାମ କରିବାକୁ ଦଳ ମୋତେ କହିଲା । ମୁଁ ସାରା ରାଜ୍ୟରେ ନବୀନ ପଟ୍ଟନାୟକ ପାଇଁ କାମ କଲି । ପାର୍ଟି ଓ ଓଡିଶା ପାଇଁ କାମ କଲି । ମୋର ପ୍ରାପ୍ୟ ମୁଁ କୌଣସି କ୍ଷମତା ନ ନେଇ କହିଲି ମୋ ଯାଜପୁରକୁ ବିକାଶ କରନ୍ତୁ । ଯାହା ମାଗିଛି ଦେଇଥିବାରୁ ନବୀନଙ୍କୁ ଧନ୍ୟବାଦ । ଯାଜପୁରର ବିକାଶ କରିବା ଯଦି ପାପ, ତାହାଲେ ମୁଁ ହଜାରେ ପାପ କରିବି । ଯାଜପୁର ବିକାଶ ପାଇଁ ଯଦି ମୁଁ ଭୁଲ କରିଛି ତାହେଲେ ହଜାର ଭୁଲ କରିବି । ବିଜେପି ଓ ଗଣମାଧ୍ୟମ ଚକ୍ରାନ୍ତରେ ଯାଜପୁର ବିକାଶ ବନ୍ଦ ହେବ ନାହିଁ ।"

ପ୍ରଣବ ପ୍ରକାଶ ଦାସ ନିର୍ବାଚନ ଲଢ଼ିବା ପ୍ରସଙ୍ଗ ଯୁକ୍ତିଯୁକ୍ତ ନୁହେଁ । ଏହି ଘଟଣାକୁ ନେଇ ଆଜି (ଗୁରୁବାର) ଏଭଳି ପ୍ରତିକ୍ରିୟା ରଖିଲେ ବିଧାୟିକା ସୁଜାତା ସାହୁ । ଗତକାଲି (ବୁଧବାର) ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ତଥା ବବିଙ୍କ ଭାଷଣକୁ ନେଇ ପ୍ରତିକ୍ରିୟା ଦେଲେ ଯାଜପୁର ବିଧାୟିକା ସୁଜାତା ସାହୁ l ବିଧାୟିକା ସାହୁଙ୍କ କହିବା କଥା, "ଉପନିର୍ବାଚନ ଏକ ଗୁଜବ । ବିଜେଡିରେ ଫାଟ ସୃଷ୍ଟି କରିବା ପାଇଁ କିଛି କୁଚକ୍ରୀଙ୍କ ଏହା ଚକ୍ରାନ୍ତ ।" ବିଧାୟିକା ପୁଣି କହିଛନ୍ତି, ମୋର ନେତା ପ୍ରଣବ ପ୍ରକାଶ ଦାସ ସେଭଳି କୌଣସି ମନ୍ତବ୍ୟ ଦେଇନାହାନ୍ତି l ଆଉ ମୋର ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ କି ଉପ ନିର୍ବାଚନ ହେବାର ନାହଁ l

ପ୍ରଣବ ଗତକାଲି ଲୋକଙ୍କ ସେବା ଓ ଯାଜପୁରର ସ୍ୱାର୍ଥ ପାଇଁ ଲଢେଇକୁ ଓହ୍ଲାଇବେ ବୋଲି କହିଥିବା ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ବବି ଦାସ କୌଣସି ବିଧାୟକ ହେବାକୁ ଆଶାୟୀ ନାହାନ୍ତି ବୋଲି କହିଛନ୍ତି । ସେ କ୍ଷମତା ଠାରୁ ବାହାରେ ରହି ବିଜେଡି ପାଇଁ କାଯ୍ୟ କରିପାରିବେ । ଲଢ଼ିବେ ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼ିବେ ବୋଲି କହିବା ସହ ଏଥିପାଇଁ କର୍ମୀ ମାନଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ l ଉପନିର୍ବାଚନକୁ ନେଇ ଏମିତି ଆଶା ଆଶଙ୍କାରେ ପାଇଁ କହିନଥିବା ସହ ଉପନିର୍ବାଚନ ପଶ୍ନ ଉଠୁନି ବୋଲି ବିଧାୟିକା କହିଥିଲେ । ତେବେ ଗତ କିଛିଦିନ ହେବ ଯାଜପୁରେ ଉପ ନିର୍ବାଚନ ହେବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି l ସେପଟେ ଏହି ଚର୍ଚ୍ଚାକୁ ନେଇ ବିଜେପି ବେଶ ଉତ୍ସାହିତ ହେଉଥିବା ଦେଖିବାକୁ ମିଳୁଛି l ତେବେ ଉପ ନିର୍ବାଚନ ହେଲେ ବିଜେପି ବହୁ ଭୋଟରେ ଜିତିବ l ଏଥିସହିତ ଜିଲ୍ଲା ବିଜେଡିର ଗଡ଼ ହେବ ବୋଲି ବିଜେପି ସାଧାରଣ ସମ୍ପାଦକ କହିଛନ୍ତି ।

0 Comments