ଯାଜପୁର: ଯାଜପୁରରେ ନିୟନ୍ତ୍ରଣକୁ ଆସୁନି ଝାଡାବାନ୍ତି । ମାଡୁଛି ହଇଜା । ଗତକାଲି(ମଙ୍ଗଳବାର) ଯାଜପୁର ମେଡିକାଲରେ ଆଉ 2 ଜଣଙ୍କ ମୃତ୍ୟୁ ଅଭିଯୋଗ ଆସିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ସ୍ଥିତି ଅନୁଧ୍ୟାନ କରିଛି । ସେହିପରି ଆଉ 16 ହଇଜା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସରକାରୀ ଭାବେ ଯାଜପୁର ଜିଲ୍ଲାରେ ଡାଇରିଆ ମୃତ୍ୟୁ

ସଂଖ୍ୟା 6ରେ ପହଞ୍ଚିଛି । 10ଟି ବ୍ଲକ୍ ଓ ଦୁଇଟି ମ୍ୟୁନିସିପାଲଟି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା 2 ହଜାର ଟପିଥିଲା ବେଳେ ଅନେକ ରୋଗୀ ସୁସ୍ଥ ହୋଇଘରକୁ ଫେରିଛନ୍ତି । ଜିଲ୍ଲାର 13 ଗୋଟି ମେଡିକାଲରେ 196 ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ,

ଯାଜପୁର ଜିଲ୍ଲାରେ 37ଟି ହଇଜା ସାମ୍ପଲ ଟେଷ୍ଟିଂରୁ 16ଟି ପଜିଟିଭ ଚିହ୍ନଟ ହୋଇଛି । ଏନେଇ ଯାଜପୁର ଟାଉନ କାର୍ଯ୍ୟାଳୟରେ ସିଡିଏମଓ ବିଜୟ ମିଶ୍ର ସୂଚନା ଦେଇଛନ୍ତି l ସେ କହିଛନ୍ତି, ‘ଗତ କିଛିଦିନ ହେବ ଜିଲ୍ଲାରେ ଡାଇରିଆ ରୋଗୀଙ୍କ ସଂଖ୍ୟା କମିବାକୁ ଲାଗିଛି l ସେପଟେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଇଜା ଚିହ୍ନଟ ପାଇଁ 49ଟି ନମୁନା ଯାଇଥିବା ବେଳେ 37ଟି ପରୀକ୍ଷା କରାଯାଇଥିବା ବେଳେ 16 ଚିହ୍ନଟ ହଇଜା ପଜିଟିଭ ଚିହ୍ନଟ ହୋଇଛି ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଟିମ ଆଜି(ବୁଧବାର) ଯାଜପୁର ମେଡ଼ିକାଲକୁ ଗସ୍ତ କରି ଆକ୍ରାନ୍ତ ମାନଙ୍କ ହିଷ୍ଟ୍ରି ସଂଗ୍ରହ କରିବା ସହିତ ମେଡ଼ିକାଲ ଅଫିସର, ଡାକ୍ତର ଓ ନର୍ସଙ୍କ ସହ ଆଲୋଚନା କରିଥିଲେ। ମୃତକ ପରିବାରକୁ ଯାଇ ପଚର ଉଚରା କରିବା ସହ ଅଧିକ ଆକ୍ରାନ୍ତ ହୋଇଥିବା ଅଞ୍ଚଳ ପରିଦର୍ଶନ କରିଥିଲେ ଏବଂ ସ୍ଥିତି ପରିଖିଥିଲେ । ଏହାପରେ ଯାଜପୁର ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ମଧ୍ୟ ଏଠାକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ ।

ତେବେ ଆଜି ଜିଲ୍ଲାରେ ନୂଆ ଆକ୍ରାନ୍ତ ଭର୍ତ୍ତି ହେବା ସଂଖ୍ୟା ହ୍ରାସ ପାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆଜି ନୂଆ କେସ ଭାବେ ସମୁଦାୟ 36ଜଣ ଆକ୍ରାନ୍ତ ଜିଲ୍ଲାର 13 ଗୋଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ତନ୍ମଧ୍ୟରୁ 9ଜଣ ନୂଆ ଯାଜପୁର ରୋଡ ସିଏଚସିରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଯାଜପୁର ରୋଡ ମେଡିକାଲରେ ମୋଟ 10 ଜଣ ଚିକିତ୍ସିତ ହେଉଥିବା ବେଳେ ଜିଲ୍ଲାରେ ମୋଟ 196ଜଣ ଡାଇରିଆ ରୋଗୀ ଜିଲ୍ଲା ହେଡ଼କ୍ଵାଟର ସମେତ 13ଗୋଟି ଚିକିତ୍ସିତ ହେଉଛନ୍ତି ।

0 Comments