ଭୁବନେଶ୍ବର: ଆଜି ଦିନିକିଆ ଯାଜପୁର ଜିଲ୍ଲା ଗସ୍ତ ସାରି ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ହେବାପରେ ଯାଜପୁର ଜିଲ୍ଲାକୁ ଏହା ତାଙ୍କର ପ୍ରଥମ ଗସ୍ତ ଥିଲା । ବଡ଼ଚଣା ବ୍ଲକ ଅନ୍ତର୍ଗତ ସମିଆ ପଞ୍ଚାୟତ ବୁଢାକେନ୍ଦୁଆ ଖେଳ ପଡିଆ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ଆଦିବାସୀ ସମ୍ପ୍ରଦାୟର ଜଗୁ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଭୋଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରସଙ୍ଗ ଉଠାଇ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ମୁଖ୍ୟମନ୍ତ୍ରୀ ।
24 ବର୍ଷର ବିଜେଡି
ସରକାରକୁ ଏହି କାର୍ଯ୍ୟକ୍ରମରେ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । 3ଟି ପରିବାରକୁ ଟାର୍ଗେଟ କରି ମୋହନ । ଏହି ପରିବାର ବିରୁଦ୍ଧରେ ଭୋଟ ଦେଇ ଉଚିତ ଜବାବ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଯାଜପୁର ଜିଲ୍ଲାରେ ଶିଳ୍ପ ଓ ଖଣିଖାଦାନ ଭରପୁର ଥିବାବେଳେ ଏହି ତିନୋଟି ପରିବାର ପାଇଁ ଆଖିଦୃଶିଆ ବିକାଶ ହେଇପାରିନାହିଁ । ଏହି ଜିଲ୍ଲା ଏକ ବିକଶିତ ଜିଲ୍ଲା ହେଇଥିବାବେଳେ ଆଜି ବି ଅନେକ ଲୋକ ଗରିବ । ତେବେ ବିଗତ ସରକାର ଯେଭଳି ସାଧାରଣ ଲୋକଙ୍କୁ ଅବହେଳା କରିଛନ୍ତି ତା ଏହି ସରକାରରେ କରାଯିବନି । ସାଧାରଣ ଲୋକଙ୍କ ବିକାଶ ପାଇଁ ସରକାର ସବୁବେଳେ ଆଗକୁ ଆସିବେ ସରକାର ।"
ଏହାସହ ବିଜେଡି ସରକାରରେ ନାରୀଙ୍କୁ ସମ୍ମାନ କଥା କହି ଧର୍ମଶାଳା ବ୍ଲକର ପିଇଓ ସ୍ମିତାରାଣୀ ସନ୍ଦେହଜନକ ମୃତ୍ୟୁ କଥା ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, "ବିଜେଡି ମହିଳାଙ୍କୁ କିଭଳି ସମ୍ମାନ ଦେଉଥିଲେ 2/3 ବର୍ଷ ତଳୁ ଦେଖିଛନ୍ତି । ଯେଉଁମାନେ ମା'ଙ୍କୁ ସମ୍ମାନ ଦେଉଥିବା କଥା କହୁଥିଲେ ସେମାନେ ସ୍ମିତାରାଣୀଙ୍କୁ ହତ୍ୟା କଲେ । ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ 24 ବର୍ଷର ବିଜେଡି ସରକାର ନେତାଙ୍କୁ ଘଣ୍ଟ ଘୋଡାଇଲେ । ଏହି ଘଟଣାର ପୁଣି ତଦନ୍ତ ହେବ ।"
ଦୀର୍ଘ 24 ବର୍ଷ ଶାସନ କରି ବିଜେଡି ସରକାର ବିକାଶ ନୁହେଁ ବିନାଶ କରିଛି । ଜିଲ୍ଲାରେ ଏତେ ଖଣିଖାଦାନ ଥିବାବେଳେ ନଗଡ଼ାରେ ଯେଭଳି ଅପପୃଷ୍ଟି ଯୋଗୁ 15 ନିରୀହ ଶିଶୁ ମୃତ୍ୟୁ ବରଣ କଲେ ସେଥିପାଇଁ ବିଗତ ସରକାର ଦାୟୀ" ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଖୁବଶୀଘ୍ର ନଗଡାକୁ ଯିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଭଳି କହି ବିଜେଡିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଏହାକୁ କାଉଣ୍ଟର କରି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି, "ଜାତୀୟ ହାରରେ ଓଡି଼ଶା ବଳକା ଖାଦ୍ୟ ରାଜ୍ୟରେ ପରିଣତ ହୋଇଛି। ୨୦୧୬ମସିହାରେ ନଗଡାରେ ୩୩୫ଟି ପରିବାର ରହୁଥିବା ବେଳେ ଏବେ ସେଠାରେ ୬୮୭ଟି ପରିବାର ରହୁଛନ୍ତି । ନଗଡାରେ ୨୦୧୬ ମସିହାରେ ୪୪ ଜଣ ପିଲାଙ୍କ ଦୁର୍ବଳ ସ୍ବାସ୍ଥ୍ୟ ଥିବାବେଳେ ଏବେ ସେଥିରେ ପରିବର୍ତ୍ତନ ହୋଇଛି । ମାଇନର ସ୍କୁଲ ପ୍ରତିଷ୍ଠା ହୋଇଛି। ବିକାଶ ପାଇଁ ଜଙ୍ଗଲ ଅନୁମତିର ଆବଶ୍ୟକତା ରହିଛି । ରାଜ୍ୟ ସରକାର କେନ୍ଦ୍ରରୁ ଏହି ଅନୁମତି ଆଣନ୍ତୁ । ମେଡିକାଲ ଟିମ ଯାଇପାରୁନଥିଲା। ଏବେ ସପ୍ତାହକୁ ୨ ଥର ଟିମ ଯାଉଛି । ଆଦିବାସୀ ମୁଖ୍ୟମନ୍ତ୍ରୀ ହିସାବରେ ସେ ବିକାଶ କରନ୍ତୁ । ଯଦି ଯାଜପୁରକୁ 3 ପରିବାର ଲୁଟିଛନ୍ତି ମୁଖ୍ୟମନ୍ତ୍ରୀ ତଥ୍ୟ ସହକାରେ ଉପସ୍ଥାପିତ କରନ୍ତୁ ।"