କଟକ: ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା ଖାତା ଦେଖା ପ୍ରକ୍ରିୟା। 45ଟି ମୂଲ୍ୟାୟନ କେନ୍ଦ୍ରରେ ସବଜେକ୍ଟିଭ୍ ପରୀକ୍ଷାର ଖାତା ଦେଖା କାର୍ଯ୍ୟ ହେବ । 12 ହଜାର 8ଶହ ହାଇସ୍କୁଲ୍ ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନରେ ନିୟୋଜିତ ହୋଇଛନ୍ତି । ମୂଲ୍ୟାୟନ ବ୍ୟବସ୍ଥାରେ ସ୍ବଚ୍ଛତା ବଜାୟ ରଖିବା ଓ ତ୍ରୁଟିଶୂନ୍ୟ କରିବା ଲାଗି ବୋର୍ଡ କର୍ତ୍ତୃପକ୍ଷ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଖାତା ଦେଖା କାର୍ଯ୍ୟ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ପ୍ରାୟ 12

ଦିନ ବ୍ୟାପୀ ମୂଲ୍ୟାୟନ ଚାଲିବ। ଖାତା ଦେଖାରେ ନିୟୋଜିତ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ଏହି ସମୟରେ କେନ୍ଦ୍ର କ୍ୟାମ୍ପସ୍ ବାହାରକୁ ଯାଇପାରିବେ ନାହିଁ। ସେହିପରି କେନ୍ଦ୍ରକୁ ମୋବାଇଲ୍ ନେବା ମଧ୍ୟ ବାରଣ ରହିଛି। ଏଥିରେ ଖିଲାପି କଲେ ସମ୍ପୃକ୍ତ ମୂଲ୍ୟାୟନକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି।

ମୂଲ୍ୟାୟନ ପରେ ପ୍ରତିଦିନ ମାର୍କ ଅପଲୋଡ୍ କରାଯିବ । ଯଦି ପ୍ରଥମ ଦିନ ଅପଲୋଡ଼ ନ ହୁଏ, ତେବେ ତାହାର ପରଦିନ ମଧ୍ୟ ଅପଲୋଡ଼ ହୋଇ ପାରିବ। ମାର୍କ ଅପଲୋଡ୍ କରିବା ପୂର୍ଵରୁ ଦୁଇଟି ପର୍ଯ୍ୟାୟରେ ଏହାକୁ ଯାଞ୍ଚ କରାଯିବ। ଚେକର ଏବଂ ମେକର ଵ୍ୟଵସ୍ଥାକୁ କଡାକଡି ଭାବରେ ପାଳନ କରାଯିବ । ଗୋଟିଏ ଖାତାର ମାର୍କକୁ ଅପଲୋଡ଼ କରିବା ବେଳେ ତନ ତନ କରି ଯାଞ୍ଚ କରାଯିବ। ଗୋଟିଏ ମୂଲ୍ୟାୟନକୁ ଦୁଇ ଜଣ ଅଲଗା ଅଲଗା କରି ଡ଼ାକିବେ। ଯାହା ଦ୍ୱାରା ତ୍ରୁଟିଶୁନ୍ୟ ହେବ। ଯଦି ପ୍ରଭେଦ ପରିଲକ୍ଷିତ ହୁଏ,ତେବେ ଅନଲାଇନ ପ୍ରକ୍ରିୟାରେ ଏହାର ଯାଞ୍ଚ କରାଯିବ। ଏଥିଲାଗି ବୋର୍ଡ ପକ୍ଷରୁ ୩ ଶହ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟୋଜିତ କରାଯାଇଛି।

ମାଟ୍ରିକ୍ ପରୀକ୍ଷାର୍ଥୀମାନେ ୬ଟି ବିଷୟରେ ୬୦୦ ନମ୍ବରରେ ପରୀକ୍ଷା ଦେଇଥିଲେ ହେଁ ଏଥି ମଧ୍ୟରୁ ୫୦ ନମ୍ବର ସବଜେକ୍ଟିଭ୍ ଓ ୫୦ ନମ୍ବର ଅବଜେକ୍ଟିଭ୍ ପ୍ରଶ୍ନରେ ପରୀକ୍ଷା ଦେଇଥିଲେ । ମାଟ୍ରିକ୍ ସହ ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍ ବା ଏସ୍ଓଏସ୍ ସି ପରୀକ୍ଷାର ମୂଲ୍ୟାୟନ ମଧ୍ୟ ଏକା ସହିତ କରାଯିବ । ଚଳିତବର୍ଷ ୫ ଲକ୍ଷ ୨୨ ହଜାର ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ତେବେ ସାମାଜିକ ବିଜ୍ଞାନ ପରୀକ୍ଷାର ପ୍ରଶ୍ନପତ୍ରରେ ଯେଉଁ ତ୍ରୁଟି ରହିଥିଲା ସେଥିପାଇଁ ବୋର୍ଡ ପଦକ୍ଷେପ ନେଇଥିବା ଉପସଭାପତି କହିଛନ୍ତି। କିନ୍ତୁ କେଉଁ ପ୍ରକାର ପଦକ୍ଷେପ ନିଆଯାଇଛି ସେନେଇ ଏହାକୁ ସାର୍ବଜନୀନ କରାଯିବ ନାହିଁ।ବରଂ ଫଳ ପ୍ରକାଶ ପରେ ଏନେଇ ସୂଚନା ଦିଆଯିବ ବୋଲି ଉପସଭାପତି କହିଛନ୍ତି । ତେବେ ଆସନ୍ତା ମେ ପ୍ରଥମ ସପ୍ତାହରେ ପରୀକ୍ଷାଫଳ ପ୍ରକାଶ ପାଇଁ ବୋର୍ଡ ଯୋଜନା ରଖିଛି।


0 Comments