କେନ୍ଦୁଝର: ଲୁଗା ଶୁଖାଇବା ବେଳେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଆ ଓ ୨ ବର୍ଷର ଶିଶୁ ପୁତ୍ରଙ୍କ ମୃତ୍ୟୁ ହୋଇଛି । ସେପଟେ ବୋହୁ ଓ ନାତିଙ୍କୁ ବଞ୍ଚାଇବାକୁ ଯାଇ ଶାଶୁ ଗୁରୁତର ଆହତ ହ
ୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କ ଅବସ୍ଥା ଏବେ ଅତି ସଂକଟାପର୍ଣ୍ଣ ରହିଛି । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବାଂଶପାଳ ବଜାରରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସେପଟେ ଏନେଇ ମୁଖ୍ୟମନ୍ତ୍ରୀ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ, ଆଜି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବାଂଶପାଳ ବଜାରର ସୌମ୍ୟ ରଞ୍ଜନ ବେହେରାଙ୍କ ପତ୍ନୀ କଳ୍ପନା ମହାକୁଡ଼ (୨୩) ନିଜ ଘର ଅଗଣାରେ ଲୁଗା ଶୁଖାଉଥିଲେ । ଏତିକି ବେଳେ ପାଖରେ ଯାଇଥିବା ଇଲେକ୍ଟ୍ରି ତାରଟି ଲୁଗା ଶୁଖାଉଥିବା ତାର ସହିତ ରଷ୍ଟ ହୋଇ ବିଦୁତ୍ ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ କଳ୍ପନାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ଓ ସେ ଚିତ୍କାର କରି ଉଠିଥିଲେ । ପାଖରେ ଥିବା ତାଙ୍କର ୨ ବର୍ଷର ଶିଶୁ ପୁତ୍ର (ସୁଭ୍ରଜିତ ବେହେରା) ମାଆର ଚିତ୍କାର ଶୁଣି କଳ୍ପନାଙ୍କୁ ଧରି ନେଇଥିଲା । ଫଳରେ ଘଟଣାସ୍ଥଳରେ ମାଆ ଓ ଶିଶୁ ପୁତ୍ର ଦୁହିଁଙ୍କର ମୃତ୍ୟ ଘଟିଛି । ଏହି ସମୟରେ କଳ୍ପନାଙ୍କ ଶାଶୁ ଶାନ୍ତିଲତା ବେହେରା ପାଖକୁ ଯାଇ ବୋହୁ ଏ ନାତିକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ତାଙ୍କୁ ମଧ୍ଯ ବିଦ୍ୟୁତ ଆଘାତ ଲାଗିଥିଲା ।
ଏନେଇ ଜଣାପଡ଼ିବା ପରେ ପରିବାର ଲୋକେ ଓ ସ୍ଥାନୀୟ ଲୋକ ତୁରନ୍ତ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବାଂଶପାଳ ମେଡିକାଲକୁ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ଉଭୟ ମାଆ ଓ ପୁଅଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ସେପଟେ ଗୁରୁତର ଶାଶୁ ଶାନ୍ତିଲତାଙ୍କ ଅବସ୍ଥା ସଙ୍କଟପର୍ଣ୍ଣ ହେବାରୁ ତାଙ୍କୁ ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।