ବ୍ୟୁରୋ - ବିଜେପି ନେତ୍ରୀ ରେଖା ଗୁପ୍ତା ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଉପ ରାଜ୍ୟପାଳ ଭିକେ ସକ୍ସେନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ୬ ଜଣ ବିଜେପି ବିଧାୟକ କ୍ୟାବିନେଟ ସଦସ୍ୟ ଭାବେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ରେଖା ପ୍ରଥମଥର ପାଇଁ ବିଧାୟକ ହୋଇଛନ୍ତି। ନିକଟରେ ଶେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶାଲିମାର ବାଗରୁ ରେଖା ୨୯ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। ବିଜେପି ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ଦଖଲ କରିଥିବା ବେଳେ ଫଳାଫଳ ପ୍ରକାଶ ପାଇବାର ୧୧ ଦିନ ପରେ ରେଖା ଗୁପ୍ତା ଓ ତାଙ୍କ କ୍ୟାବିନେଟ ସହଯୋଗୀମାନେ ରାମଲୀଲା ମୈଦାନରେ ଶପଥ ନେଇଛନ୍ତି।
ଶପଥ ପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଦିଲ୍ଲୀ ବିଜୟର ବିନ୍ଧାଣୀ ବୈଜୟନ୍ତ ପଣ୍ଡାଙ୍କ ସମେତ ଏନଡିଏ ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ରେଖା ପ୍ରଥମ
ର ବିଧାୟକ ହୋଇଥିଲେ ହେଁ ବିଜେପି ଦିଲ୍ଲୀରେ ମହିଳା କାର୍ଡ ଖେଳି ତାଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ସବୁଠାରୁ ଚର୍ଚ୍ଚାରେ ଥିବା ପରବେଶ ବର୍ମା ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ରେଖା ଗୁପ୍ତା ହେଉଛନ୍ତି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାନେତ୍ରୀ। ସେ ଗୁରୁବାର ଦିଲ୍ଲୀର ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ପୂର୍ବରୁ ବିଜେପିର ସୁଷମା ସ୍ୱରାଜ, କଂଗ୍ରେସର ଶିଲା ଦୀକ୍ଷିତ ଓ ଆମ ଆଦମୀ ପାର୍ଟିର ଆତିଶୀ ଦିଲ୍ଲୀର ମହିଳା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।
୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ସେ ଆପ୍ର ବନ୍ଦନା କୁମାରୀଙ୍କୁ ୨୯ ହଜାରରୁ ଅଧିକ ଭୋଟରେ ଶାଲିମାର ବାଗ ଆସନରେ ପରାସ୍ତ କରିଥିଲେ। ୨୦୧୫ ଓ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ସେ ଶାଲିମାର ବାଗରୁ ଲଢ଼ିଥିଲେ। କିନ୍ତୁ ତାଙ୍କୁ ଦୁଇ ଥର ଯାକ ବନ୍ଦନା କୁମାରୀ ପରାସ୍ତ କରିଥିଲେ। ଏଥର କିନ୍ତୁ ବିଜୟୀର ବଡ଼ ବିଜୟ ସହ ଶାଲିମାର ବାଗରେ ରେଖା ବିଜୟ ବାନା ଉଡ଼ାଇଥିଲେ।