ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ । ଯାହା ଚର୍ଚ୍ଚା ହେଉଥିଲା ତାହା ହିଁ ହେଲା । ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା । ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁ ଘୋଷଣା କରାଯାଇଛି । ଆସନ୍ତାକାଲି(ଗୁରୁବାର) ମଧ୍ୟା
ହ୍ନ 12ଟା 35ରେ ମୁଖ୍ୟମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଏହାସହ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିବେ । ସେପଟେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ରେଖାଙ୍କ ବାସଭବନରେ ସମର୍ଥକଙ୍କ ଭିଡ଼ ଜମିଛି । ଛୁଟିଛି ଶୁଭେଚ୍ଛାର ସୁଅ ।
ଚଳିତ 2025 ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶାଲିମାର ବାଗ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ରେଖା । ନିଜ ବିଜୟର ଶ୍ରେୟ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେବା ସହ କହିଥିଲେ ଯେ, ଦିଲ୍ଲୀର ଲୋକ ବିକାଶ ଆଶାରେ ରହିଛନ୍ତି ।
1993ରେ ରେଖା ପ୍ରଥମ କରି ନିଜର ରାଜନୈତିକ କ୍ୟାରିୟର ABVPରୁ ଆରମ୍ଭ କରିଥିଲେ । 1996-1997ରେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟ ଛାତ୍ର ସଂଘ (DUSU) ଅଧ୍ୟକ୍ଷ ହୋଇଥିଲେ । 2007 ଓ 2012ରେ ଉତ୍ତର ପିତମପୁରାରେ (ୱାର୍ଡ-54)ରୁ ନିଗମ ପରିଷଦ ଭାବେ ନିଯୁକ୍ତ ହୋଇଥିଲେ । ଏହାପରେ 2022ରେ ଦିଲ୍ଲୀ ନଗର ନିଗମର ମେୟର ପ୍ରାର୍ଥୀ ଭାବେ ବିଜେପିରୁ ନିର୍ବାଚନ ଲଢିଥିଲେ । ଚଳିତ ନିର୍ବାଚନରେ ପ୍ରଥମ କରି ସେ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି । ଶାଲିମାର ବାଗ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ହୋଇଥିବା ରେଖାଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଘୋଷଣା କରାଯାଇଛି ।
ବିଧାୟକ ପରଭେଶ ବର୍ମା, ସତୀଶ ଉପାଧ୍ୟାୟ, ଆଶିଷ ସୁଦ, ଜିତେନ୍ଦ୍ର ମହାଜନ, ବିଜେନ୍ଦ୍ର ଗୁପ୍ତା, ଅଭୟ ବର୍ମା, ରେଖା ଗୁପ୍ତା ଏବଂ ଶିଖ୍ ରାୟଙ୍କ ଭିତରୁ କାହା ନାଁ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା । ଚର୍ଚ୍ଚାର ଆଗରେ ଥିଲା ରେଖାଙ୍କ ନାଁ । ଏପରିକି ବିଜେପି ଆଶ୍ଚର୍ଯ୍ୟଜନକ ଭାବେ କାହାକୁ ବି ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିପାରେ ବୋଲି ମଧ୍ୟ କୁହାଯାଉଥିଲା । ହେଲେ ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁରେ ମୋହର ମାରିଛି ଦଳ ।