ଭୁବନେଶ୍ବର: ଝିଅକୁ ଉଚ୍ଚ ଶିକ୍ଷା ପାଇଁ ନେପାଳରୁ ଓଡ଼ିଶାକୁ ପଠାଇଥିଲେ ପରିବାର । ରବିବାର ସଂନ୍ଧ୍ୟାରେ ହଠାତ ଫୋନ ଆସିଲା ଝିଅ ଆଉ ନାହିଁ । ଏହି ଖବର ଶୁଣିବା ପରେ ଭୁବନେଶ୍ବରେ ପହଞ୍ଚି କୋହଭରା କଣ୍ଠରେ ନ୍ୟାୟ ଦାବି କରିଛନ୍ତି ମୃତ ନେପାଳୀ ଛାତ୍ରୀଙ୍କ ବାପା । ଅନ୍ୟପେଟ ଘରୋଇ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇଛି । ଘଟଣାରେ ଏଯାବତ 5 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଆମେ ପ୍ରତି ଦୁଇ ଘଣ୍ଟାରେ ନେଉଛୁ ରିପୋର୍ଟ ।
ମୃତ ଛାତ୍ରୀଙ୍କ ବାପା କହିଛନ୍ତି, ''ଘଟଣା ସମ୍ବନ୍ଧରେ ଆମକୁ କିଛି ବି ଜଣାନଥିଲା । ଆମକୁ କେବଳ ଫେନ କରିକି କୁହାଗଲା ଯେ ଏଠାକୁ ଆସିବାକୁ । ଏଠାକୁ ଆସିବା ପରେ ଆମ ଝିଅ ବିଷୟରେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଜାଣିଲୁ । ଏହା ପୂର୍ବରୁ ଆମକୁ କିଛିବି ଜଣାନଥିଲା । ଆମକୁ ଝିଅର ମୃତ୍ୟୁ ନେଇ ରବିବାର ସନ୍ଧ୍ୟାରେ ଫୋନ ଆସିଥିଲା । ଏହା ପୂର୍ବାରୁ 2.51 ମିନିଟରେ ମୋ ଝିଅ ତା ମାଆ ସହ କଥା ହୋଇଥିଲା । ଝିଅ କହି
ିଲା ଆମର ପ୍ରୋଗ୍ରାମ ଅଛି । ସେ ସମୟରେ ସେ ପୁରା ଠିକ ଥିଲା । କହିଥିଲା ଆସିବା ପରେ ଫୋନ କରିବ । କଲେଜ କର୍ତ୍ତୃପକ୍ଷ ଓ ପୋଲିସ ପ୍ରଶାସନ ଆମକୁ ସହଯୋଗ କରୁଛନ୍ତି । ଆଉ କାହା ସହ ଏମିତି ଘଟଣା ନଘଟୁ । ଆମକୁ ଏବେ ନ୍ୟାୟ ଦରକାର ।''
ନେପାଳ ଛାତ୍ରୀଙ୍କ ମୃତ୍ୟୁ ଓ ଉତ୍ତେଜନା ଘଟଣାର ଛାନଭିନ କରିବାକୁ ଘରୋଇ ବିଶ୍ବବିଦ୍ୟାଳୟରେ ପହଞ୍ଚିଛନ୍ତି ନେପାଳ କନସଲେଟ । ନେପାଳ ଦୂତାବାସର ଦୁଇ ଜଣିଆ କନସଲେଟ ଟିମ୍ ପହଞ୍ଚିବା ପରେ ସେମାନେ ତନାଘନା ଆରମ୍ଭ କରିଛନ୍ତି । କେଉଁଠି ନେପାଳୀ ଛାତ୍ରୀ ଜୀବନ ହାରିଥିଲେ, କେଉଁଠି ଛାତ୍ରଛାତ୍ରୀଙ୍କ ଉତ୍ତେଜନା ଦେଖାଦେଇଥିଲା। ଏନେଇ ପୁରା କ୍ୟାମ୍ପସ ବୁଲି ପଚରାଉଚରା କରୁଛନ୍ତି । ବର୍ତ୍ତମାନ କେତେ ଜଣ ନେପାଳ ଛାତ୍ରଛାତ୍ରୀ କ୍ୟାମ୍ପସେର ଅଛନ୍ତି ଓ କେତେ ଜଣ ଫେରିଯାଇଛନ୍ତି ତାହା ମଧ୍ୟ ପଚାରି ବୁଝୁଛନ୍ତି ।
ଅନ୍ୟପଟେ ଘରୋଇ ବିଶ୍ବବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା କର୍ମଚାରୀ ମାଡ଼ ମାରିବା ଘଟଣାରେ ପୋଲିସ ଏକ ଆଉ ଏକ ମାମଲା ରୁଜୁ କରିଛି। ୫୫/୨୫ଆଧାରରେ ଏକ କେସ କରି ଦୁଇ ଜଣ ସୁରକ୍ଷା କର୍ମୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍କଙ୍କୁ କୋର୍ଟ ଚାଲାଣ କରାଯାଇଛି । ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପ ଲାଇନ ନମ୍ବର କମିଶନରେଟ ପୋଲିସ ଜାରି କରିଛି । ଛାତ୍ରୀ ଆତ୍ମହତ୍ୟା ମାମଲାରେ ଗିରଫ ହେଲେ 5ଜଣ । ଦୁଇଜଣ ସିକ୍ୟୁରିଟି ଗାର୍ଡ ଏବଂ ତିନିଜଣ ନିର୍ଦ୍ଦେଶକ ଗିରଫ ହୋଇ ଜାମିନ ପାଇଛନ୍ତି।
ବିଧାନସଭାର ଶୂନ୍ୟକାଳରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପ୍ରସଙ୍ଗ ଉଠିଥିଲା । ନାଁ ନନେଇ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଅଭିଯୋଗ ଉଠାଇଥିଲେ ବରିଷ୍ଠ ବିଜେଡି ସଦସ୍ୟ ପ୍ରତାପ ଦେବ । ଏହାକୁ ନେଇ ପ୍ରତାପଙ୍କୁ ପାଲଟା ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ପରି, ମମିତା ମେହେର, ମାହାଙ୍ଗା ଡବଲ ମର୍ଡର କଥା ଉଠାଇ ଆଇନ ଶୃଙ୍ଖଳାର ପାଠ କିଏ ପଢ଼ାଉଛି ବୋଲି କହିଥିଲେ ଟଙ୍କଧର । ଅନ୍ୟପଟେ ଘରୋଇ ବିଶ୍ବବିଦ୍ୟାଳୟର ମୁଖ୍ୟଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ବିଜେପି ବିଧାୟକ ବାବୁ ସିଂହ । ଏହି ଘଟଣା ପାଇଁ ଖାଲି ଓଡିଶା ନୁହେଁ ଭାରତ ବର୍ଷକୁ ସାରା ବିଶ୍ୱରେ ନିନ୍ଦିତ ହେବାକୁ ପଡିଲା ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଏ ଘଟଣାର ନ୍ୟାୟିକ ତଦନ୍ତ କରାଯାଉ ବୋଲି ସେ କହିଛନ୍ତି ।
ନେପାଳ ଛାତ୍ରଛାତ୍ରୀଙ୍କୁ ମାଡ ମାରି ହଷ୍ଟେଲରୁ ତଡି ଦେବା ଘଟଣା ଓ ମୃତ ଛାତ୍ରୀଙ୍କୁ ଉଚିତ କ୍ଷତି ପୂରଣ ଦେବା ନିମନ୍ତେ ଆଜି ବିଶିଷ୍ଠ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ରାଜ୍ୟ ମାନବାଧିକାର କମିଶନ (OHRC)ରେ ଅଭିଯୋଗ ଦାଖଲ କରିଛନ୍ତି । କମିଶନ ଏହି ଅଭିଯୋଗକୁ ବିଚାର ନିମନ୍ତେ ଗ୍ରହଣ କରିଛନ୍ତି ।