ଭୁବନେଶ୍ବର: ଖୁବଶୀଘ୍ର ବଦଳି ପାରେ 'ମିଶନ ଶକ୍ତି'ର ନାମ । 'ମିଶନ ଶକ୍ତି' ବଦଳରେ ହୋଇ ପାରେ 'ସୁଭଦ୍ରା ଶକ୍ତି' । 'ସୁଭଦ୍ରା ଶକ୍ତି ମେଳା' ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏପରି ସଙ୍କେତ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଅନ୍ୟପଟେ ମହିଳାଙ୍କୁ ସଶକ୍ତ ବନାଇବାକୁ ଆଉ ଏକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି 'ସୁଭଦ୍ରା ଶକ୍ତି ମେଳା ୨୦୨୫'। ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଏଭଳି ଏକ ମେଳା ନୂଆ ସରକାରଙ୍କ ଦ୍ଵାରା ଆୟୋଜନ ହେବାକୁ ଯାଉଛି । ମହିଳାଙ୍କୁ ଦୀର୍ଘମିଆଦୀ ବ୍ୟବସ୍ଥାରେ ସ୍ୱାବଲମ୍ବୀ କରିବା ଓ ତାଙ୍କ ଏକ ସ୍ୱତନ୍ତ୍ର ବଜାର ଯୋଗାଇ ଦେଇ ରୋଜଗାରକ୍
ଷମା କରିବାକୁ ଏହି ମେଳାର ଆୟୋଜନ କରାଯାଉଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ମେଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀଙ୍କ ଅଂଶଗ୍ରହଣ କରିବା ସହ ପ୍ରାୟ ୩୦୦ ରୁ ଅଧିକ ଷ୍ଟଲ ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ପ୍ରଦର୍ଶନୀ ହେବା ସହିତ ବିକ୍ରି ହେବ। ଫେବୃଆରୀ 22ରୁ ମାର୍ଚ୍ଚ 2ତାରିଖ 9 ଦିନ ଧରି ଏହି ମେଳା ଚାଲିବ । ଭବ୍ୟ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ଏବଂ ଅର୍ଗାନିକ୍ ଉତ୍ପାଦ ପ୍ରଦର୍ଶିତ ହେବ । ଯାହା ଦର୍ଶକମାନଙ୍କୁ ମିଶନ ଶକ୍ତି ମହିଳାମାନଙ୍କର ସୃଜନଶୀଳତା, ଦକ୍ଷତା ଏବଂ ଉଦ୍ୟୋଗିତା ଦେଖୁବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।
300 ରୁ ଅଧିକ ଷ୍ଟଲରେ ପ୍ରାୟ 700 SHG ମହିଳା ନିଜର ଉତ୍ପାଦ ବିକ୍ରି କରିବେ । 200 ପ୍ରକାରରୁ ଅଦିକ ହସ୍ତଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଏବଂ ଘରୋଇ ଆବଶ୍ୟକୀୟ ସାମଗ୍ରୀ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଏବଂ ୱେଲନେସ୍ ଉତ୍ପାଦ, ଜୈବିକ ଖାଦ୍ୟ ସାମଗ୍ରୀ, ମସଲା, ମିଷ୍ଟାନ୍ନ ଏବଂ ମିଲେଟ୍-ଭିଭିକ ବ୍ୟଞ୍ଜନ ପର୍ଯ୍ୟନ୍ତ, ଉଚ୍ଚ ଗୁଣବତ୍ତା ଏବଂ ଦୀର୍ଘସ୍ଥାୟୀ ଉତ୍ପାଦଗୁଡ଼ିକ ପ୍ରଦର୍ଶିତ ହେବ। ଏହି କାର୍ଯ୍ୟକ୍ରମ ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ କ୍ରେତା, ବ୍ୟବସାୟ ଏବଂ ବଜାର ସହିତ ସଂଯୋଗ କରିବ । ଯାହା ସେମାନଙ୍କର ବ୍ୟବସାୟ ସମ୍ପ୍ରସାରଣ କରିବା ସହ, ଆର୍ଥିକ ଅଭିବୃଦ୍ଧି ଏବଂ ନେଟୱାର୍କିଂ ସୁଯୋଗ ପାଇଁ ଦ୍ବାର ଖୋଲିବ ।
ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏକ ସଙ୍ଗେ ଚାରି ଗୋଟି ସ୍ଥାନ ପୁରୀ, ମାଲକାନଗିରି, ସମ୍ୱଲପୁର ଏବଂ ବଲାଙ୍ଗୀରରେ ଆଞ୍ଚଳିକ ମେଳା ମଧ୍ଯ ଆୟୋଜିତ ହେବ । 'ସୁଭଦ୍ରା ଶକ୍ତି ମେଳା ୨୦୨୫' ମହିଳା ସଶକ୍ତିକରଣ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରତି ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ ଅଟେ । ଜନତା ମୈଦାନରେ ଲାଗିବାକୁ ଥିବା ଏହି ମେଳାରେ ସୁଭଦ୍ରା ଯୋଜନାରେ ଅର୍ଥ ପାଇଁ ବ୍ୟବସାୟ ଆରମ୍ଭ କରିଥିବା କିଛି ମହିଳାଙ୍କ ପାଇଁ ସ୍ପେଶାଲ ଷ୍ଟଲ ମଧ୍ୟ ଲାଗିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।