ପୁରୀ: ସମୁଦ୍ର କୂଳରେ ପର୍ଯ୍ୟଟକଙ୍କୁ ଅପ୍ୟାୟିତ କରିବା ପାଇଁ ଖୁବଶୀଘ୍ର ଖୋଲିବାକୁ ଯାଉଛି ବିଚ୍ ସାକ୍ସ । ସମୁଦ୍ର କୂଳରେ ଛୋଟ ଛୋଟ କୁଡ଼ିଆ କରାଯାଇ ମଦ

ବିକ୍ରୟ କରାଯିବ । ରାଜ୍ୟକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଶା ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ କଡ଼ା ବିରୋଧ କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ।

ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି, ପୁରୀ ବେଳାଭୂମିରେ ମଦ ବିକ୍ରି ଆଦୌ ଗ୍ରହଣ ଯୋଗ୍ୟ ନୁହେଁ। ପଞ୍ଚତୀର୍ଥ ମଧ୍ୟରେ ଅନ୍ୟତମ ମହୋଦଧି ଏକ ପବିତ୍ର ସ୍ଥାନ । ସେଠାରେ ମହାପ୍ରଭୁଙ୍କର ଅନେକ ନୀତିକାନ୍ତି ଅନୁଷ୍ଠିତ ହେଉଥିବା ବେଳେ ଗୋବର୍ଦ୍ଧନ ପୀଠ ପକ୍ଷରୁ ପ୍ରତିଦିନ ମହୋଦଧି ଆଳତୀ ଅନୁଷ୍ଠିତ ହେଉଛି । ହଜାର ହଜାର ଭକ୍ତ ପ୍ରତିଦିନ ମହୋଦଧିରେ ସ୍ନାନ କରି ନିଜକୁ ପବିତ୍ର ମନେ କରିଥାନ୍ତି । ଏଣୁ ପବିତ୍ର ମହୋଦଧି କୂଳରେ ପର୍ଯ୍ୟଟକଙ୍କୁ ଆପ୍ୟାୟିତ କରିବା ପାଇଁ ମଦ ଦୋକାନ ଖୋଲାଗଲେ ବ୍ୟାପକ ଅରାଜକତା ଏବଂ ଅଶାନ୍ତି ସୃଷ୍ଟି ହେବ। ଏହାଦ୍ବାରା ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକତା ବାତାବରଣ ନଷ୍ଟ ହେବ । ଏଣୁ ମହୋଦଧି କୂଳରେ ମଦ ଦୋକାନ ଖୋଲିବା ଅତ୍ୟନ୍ତ ନିନ୍ଦନୀୟ । ଏହାକୁ କେବେ ବି ସମର୍ଥନ କରାଯିବ ନାହିଁ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ଏଥିରେ ହସ୍ତକ୍ଷେପ କରିବା ସହ ଏହାକୁ ବନ୍ଦ କରିବା ଉଚିତ୍ । ନଚେତ୍ ଏହି ପ୍ରସଙ୍ଗକୁ ନେଇ ସରକାର ମଧ୍ୟ ଶାସନରୁ ବିତାଡିତ ହେବେ ।

ପୁରୀ ସମୁଦ୍ର କୂଳରେ ବିଚ୍ ସାକ୍ସ ଖୋଲିବା ତଥା ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ କଡ଼ା ବିରୋଧ କରିଛନ୍ତି ବିଭିନ୍ନ ସଙ୍ଗଠନ ଓ ଜଗନ୍ନାଥ ପ୍ରେମୀ । ସମୁଦ୍ର କୂଳ ସହିତ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ରକୁ ମଦ ମୁକ୍ତ କରିବା ପାଇଁ ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ ପକ୍ଷରୁ ଦାବି ହୋଇଛି । ରାଜ୍ୟ ସରକାର ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦୀପଦାନ କରାଯାଇ ବିରୋଧ ପ୍ରଦର୍ଶନ କରାଯାଇଛି ।

0 Comments