ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା 2025 ଦ୍ବିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କର ଶୃଙ୍ଖଳିତ ନୀତି, ଜନଗହଳି ନିୟନ୍ତ୍ରଣ, ବିଭିନ୍ନ ବିଭାଗର ସେବା ନେଇ ପୁରୀ ଟାଉନ ହଲ୍ ଠାରେ ଅନୁଷ୍ଠିତ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ସହ ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ସମୟରେ ୩୬୫ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ୩୦୦ ଅଧିକ ଡାକ୍ତର ନିୟୋଜିତ ହେବେ। AI ସିସିଟିଭି କ୍ୟାମେରା ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥା ନିୟନ୍ତ୍ରଣ କରାଯିବ। ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ କମାଣ୍ଡ ସେଣ୍ଟର ସହ ସବୁ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ହୋଇ ୱାର ରୁମ୍ ହେବ। ସେହିପରି ୨୩୦ ରୁ ୨୫୦ ଅଧିକ ବସ ଚଳାଚଳ କରିବ। ବୈଠକରେ ବିଦ୍ୟୁତ୍, ସ୍ଵାସ୍ଥ୍ୟ ଓ ପରିମଳ ବିଭାଗକୁ ନେଇ ସରଗରମ ଆଲୋଚନା ହୋଇଥିଲା।


ଥଣ୍ଡା ଜ୍ବର ହୋଇଥିଲେ ପୁରୀ ରଥଯାତ୍ରାକୁ ଆସିବା ମନା । ଏନେଇ ଭକ୍ତଙ୍କୁ ଅନୁରୋଧ କଲେ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ । ରଥଯାତ୍ରାରେ ସାମିଲ ହେଉଥିବା ବ୍ୟକ୍ତି ମାସ୍କ୍ ପିନ୍ଧିବାକୁ ପରାମର୍ଶ ଦେଲେ ମନ୍ତ୍ରୀ । କୋଭିଡ କଟକଣା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ମାର୍ଗ ଦର୍ଶିକା ଆସିନାହିଁ ତଥାପି ରାଜ୍ୟରେ କୋଭିଡ ସଂକ୍ରମଣ ବଢୁଥିବା ଦେଖି ଆଜି ସମନ୍ବୟ ବୈଠକରେ ନିବେଦନ କରିଛନ୍ତି ମନ୍ତ୍ରୀ

ସ୍ବାସ୍ଥ୍ୟ ସଚିବଙ୍କ ପରାମର୍ଶ ମାନିବାକୁ ନିବେଦନ କରିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି ‘‘କୋଭିଡର ସାଧାରଣ ନିୟମ ମାନିବାକୁ ଆମେ ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ଜଣାଉଛୁ । ଏହାକୁ ନେଇ ଆମେ ଆଗକୁ ଆଡଭାଇଜରୀ ଜାରି କରିବୁ । ସମଗ୍ର ଭକ୍ତ ସମାଜ ମାସ୍କ ବ୍ୟବହାର କଲେ କୋଭିଡ ବିପତ୍ତି ରହିବ ନାହିଁ ବୋଲି ଆମେ ସମସ୍ତଙ୍କୁ ଅନୁରୋଧ କରିବୁ’’ ।

ଆସନ୍ତା ଜୁନ ୨୬ ରୁ ୯ ଜୁଲାଇ ପର୍ଯ୍ୟନ୍ତ ପୁରୀ ପୌରାଞ୍ଚଳରେ ବ୍ୟକ୍ତିଙ୍କ ପିଛା ୫ ଲକ୍ଷ ଟଙ୍କାର ବୀମା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୈଠକରେ ସୂଚନା ଦେଇଥିଲେ। ରଥ ଯାତ୍ରା ଉତ୍ସବ ସମୟ ଭିତରେ ଯଦି କୌଣସି ଅଘଟଣରେ କାହାର ମୃତ୍ୟୁ ହୁଏ ବୀମା କମ୍ପାନୀ କ୍ଷତିପୂରଣ ରାଶି ପ୍ରଦାନ କରିବ ।

ତେବେ ରଥଯାତ୍ରା ଦ୍ବିତୀୟ ସମନ୍ୱୟ ବୈଠକରେ ବିଭିନ୍ନ ବିଭାଗ ଗୁଡିକ ଦେଇଥିବା ପ୍ରତିଶ୍ରୁତି ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଆଇନ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ନିଯୋଗର ସେବାୟତ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି, ବରିଷ୍ଠ ଓ ସଚେତନ ନାଗରିକ ମାନେ ବୈଠକରେ ଉପସ୍ଥିତ ଥିଲେ।


0 Comments