ପୁରୀ

: ପୁଣି ଶ୍ରୀମନ୍ଦିର ଭିତରୁ ସ୍ପାଏ କ୍ୟାମେରା ଜବତ । ସିଂହଦ୍ଵାର ଥାନା ପୋଲିସ ଶ୍ରୀମନ୍ଦିର ଭିତରୁ ସ୍ପାଏ କ୍ୟାମେରା ଜବତ କରିବା ସହ ଜଣକୁ ଅଟକ ରଖି ପଚରାଉଚରା କରୁଛି । ଅଟକ ଥିବା ବ୍ୟକ୍ତି ଜଣକ ଗୁଜରାଟର ବିପୁଲ୍ ପଟେଲ ବୋଲି ଜଣାପଡିଛି । ନିଜ ଚଷମାରେ ସ୍ପାଏ କ୍ୟାମେରା ଲଗାଇ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ ବିପୁଲ୍ । ତେବେ ଅଟକ ଥିବା ବ୍ୟକ୍ତିଙ୍କୁ ଟାଉନ ଥାନାକୁ ନିଆଯାଇ ପୋଲିସ ଅଧିକ ପଚରାଉଚରା ଜାରି ରଖିଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ସହ କେଉଁ ସେବକ ଯାଇଥିଲେ ନା ସେ ଏକୁଟିଆ ଏଭଳି କାର୍ଯ୍ୟ କରିଛନ୍ତି ସେନେଇ ପୋଲିସ ତଦନ୍ତ କରୁଛି ।

ତେବେ ଅଭିନବ ଉପାୟରେ ଶ୍ରୀମନ୍ଦିର ଭିତରେ ଫଟୋ ଓ ଭିଡିଓ ସ୍ପାଏ କ୍ୟାମେରାରେ ସମ୍ପୃକ୍ତ ବ୍ୟକ୍ତିଜଣକ କଏଦ କରିଥିବା ସନ୍ଦେହ କରାଯାଉଛି । ନିଜ ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଇ ଶ୍ରୀମନ୍ଦିରର ଭିତର ଭିଜୁଆଲ ଉତ୍ତୋଳନ କରାଯାଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।

ସେପଟେ ଗତ ୨୯ ତାରିଖରେ ପୁରୀ ଗଜପତି ନଗରର ଜଣେ ଯୁବକ ନିଜ ଚଷମାରେ ସ୍ପାଏ କ୍ୟାମେରା ଲଗାଇ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ । କିନ୍ତୁ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ପଚରାଉଚରା କରିବା ସହିତ କ୍ୟାମେରାରେ କୌଣସି ଫଟୋ କିମ୍ବା ଭିଡ଼ିଓ ଉତ୍ତୋଳନ ହୋଇନଥିବା ଜଣାପଡିଥିଲା । ପରେ ସମ୍ପୃକ୍ତ ଯୁବକକୁ ପୋଲିସ ତାଗିଦ୍ କରି ଛାଡି ଦେଇଥିଲା ।

0 Comments