ପୁରୀ : ଶେଷ ହୋଇଛି ବହୁ ପ୍ରତୀକ୍ଷିତ ରତ୍ନଭଣ୍ଡାର ମରାମତି। ମୋଟ ୯୫ ଦିନରେ ୩୩୨ ଘଣ୍ଟା ୪୭ ମିନିଟ କାମ କରାଯାଇଛି। ଏବେ ଶ୍ରୀମନ୍ଦିରର ବାହାର ଓ ଭିତର ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ। ମହାପ୍ରଭୁଙ୍କ ଅପାର କରୁଣା, ଆଶୀର୍ବାଦ ଯୋଗୁ ଧାର୍ଯ୍ୟ ନୀଳାଦ୍ରି ବିଜେ ପୂର୍ବରୁ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ।
ସୋମବାର ସିଂହଦ୍ୱାର ସମ୍ମୁଖରେ ରଥାରୁଢ ଠାକୁରଙ୍କର ଅଧରପଣା ନୀତି ଚାଲିଥିବା ବେଳେ ସନ୍ଧ୍ୟାରେ ଗଣମାଧ୍ୟମକୁ ରତ୍ନଭଣ୍ଡାର ମରାମତି ପୂର୍ଣ୍ଣାଙ୍ଗର ସୂଚନା ପ୍ରଦାନ କରିଥିଲେ ମୁଖ୍ୟ ପ୍ରଶାସକ। ରତ୍ନଭଣ୍ଡାର ମରାମତି ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇ ଡ. ପାଢୀ କହିଥିଲେ, ମହାପ୍ରଭୁଙ୍କ ଆଶୀର
ବାଦ ଯୋଗୁ ନୀଳାଦ୍ରି ବିଜେ ପୂର୍ବରୁ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଏଏସ୍ଆଇ ଦ୍ୱାରା ଶେଷ ହୋଇଛି। ପ୍ରାୟ ୨୦୦ ବର୍ଷ ପର୍ଯ୍ୟନ୍ତ ରତ୍ନଭଣ୍ଡାର ସୁରକ୍ଷିତ ବୋଲି କୁହାଯାଇପାରିବ। ତେବେ ନିଷ୍ପତ୍ତି ଅନୁଯାୟୀ, ୨୦୧୪ ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ସେହିଦିନ ବାହାର ଭଣ୍ଡାରଘରୁ ରତ୍ନ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତର କରାଯାଇଥିଲା।
ଏସ୍ଓପି ଅନୁଯାୟୀ, ପ୍ରଥମେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ରୁ ଭିତର ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର କରାଯିବ। ଜଉମୁଦ ଦିଆଯାଇ ଏହାର ଚାବି ଟ୍ରେଜେରୀରେ ରହିବ। ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ରୁ ଅଳଙ୍କାର ବାହାର ଭଣ୍ଡାରକୁ ସ୍ଥାନାନ୍ତର ପରେ ଏହାର ଚାବି ସିଲ୍ କରାଯାଇ ରଖାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଗଣତି ମଣତି ହେବ। ୧୯୭୮ ମସିହା ତାଲିକା ସହ ମେଳ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଡ. ପାଢୀ।