ପୁରୀ: ସରିଲା ନବ ଦିନାତ୍ମକ ଯାତ୍ରା । ଶରଧାବାଲିରୁ ବଡ଼ ଦେଉଳ ବାହୁଡ଼ିଲେ ଚତୁର୍ଦ୍ଧାମୁରତି । ବାହୁଡ଼ା ଦଶମୀରେ ଶ୍ରୀମନ୍ଦିର ଫେରିଛନ୍ତି ତିନି ଦିଅଁ । ପ୍ରଥମେ ବେଗେ ବେଗେ ବଡ଼ ଠାକୁର ବଳଭଦ୍ର ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ପଛେ ପଛେ ପହଞ୍ଚିଥିଲେ ସାନ ଭଉଣୀ । ଏହାପରେ ଗହଳି ଧରି ସିଂହଦ୍ବାରରେ ପହଞ୍ଚିଥିଲେ ହଟିଆ ଠାକୁର କାଳିଆ ସାଆନ୍ତ । ଭକ୍ତି ଓ ଭାବରେ ଭିଜିଲା ଶ୍ରୀକ୍ଷେତ୍ର । ସଭିଏଁ ହେଲେ ଏକାକାର । ଏହାସହିତ ଶେଷ ହୋଇଛି ଶ୍ରୀବିଗ୍ରହଙ୍କ ନବଦିନାତ୍ମକ ଯାତ୍ରା ।

ତିନି ରଥକୁ ଆଜ୍ଞାମାଳ ବିଜେ ପରେ 12ଟାରେ ଆରମ୍ଭ ହୋଇଥିଲା ପହଣ୍ଡି । ନିର୍ଦ୍ଧାରତି ସମୟ ପୂର୍ବରୁ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କ ବାହୁଡା ପହଣ୍ଡି । ଧାଡି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିଜେ କରିବା ପରେ ମଦନ ମୋହନ ଧାଡି ପହଣ୍ଡିରେ ଆସିଥିଲେ । ଏହାପରେ ମୁଣ୍ଡରେ ଟାହିଆ ଲଗାଇ ଝୁଲି ଝୁଲି ଧାଡି ପହଣ୍ଡିରେ ଆସିଥିଲେ ବଡ଼ ଠାକୁର ବଳଭଦ୍ର । ପରେ ପରେ ହଳଦୀ ମୁଖି ଦେବୀ ସୁଭଦ୍ରାଙ୍କ ଶୂନ୍ୟ ପହଣ୍ଡି ହୋଇଥିଲା । ଦେବୀ ସୁଭଦ୍ରା ରଥରେ ବିଜେ କରିବା ପରେ ଆରମ୍ଭ ହୋଇଥିଲା ଭାବ ବିନୋଦିଆ କାଳିଆର ପହଣ୍ଡି । ଟାହିଆ ପିନ୍ଧି ଝୁଲି ଝୁଲି ଭକ୍ତଙ୍କ ଗହଣରେ ରଥ ଅଭିମୁଖେ ଆସିଥିଲେ ଜଗତର ନାଥ । ଚକା ଆଖିରେ ଲାଖି ଯାଇଥିଲା ଭକ୍ତର ଆଖି । ଝୁଲି ଝୁଲି ଆସି ନନ୍ଦିଘୋଷରେ ବିଜେ କରିଥିଲେ କାଳିଆ ସାଆନ୍ତ ।

ବେଗି ବେଗି ଆସି ପ୍ରଥମେ ବଡ଼ ଠାକୁର ଶ୍ରୀମନ୍ଦ

ର ନିକଟରେ ପହଞ୍ଚିଥିଲେ । ତାଙ୍କ ପଛକୁ ଦେବୀ ସୁଭଦ୍ରା ମଧ୍ୟ ବଡ଼ଦେଉଳରେ ପହଞ୍ଚିଥିଲେ । ଶେଷରେ କାଳିଆ ସାଆନ୍ତଙ୍କ ରଥ ଶ୍ରୀମନ୍ଦିର ନିକଟରେ ଲାଗିଥିଲା । ତାଳଧ୍ବଜ ଓ ଦର୍ପଦଳନ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ନନ୍ଦିଘୋଷ ମରିଚିକୋଟ ପର୍ଯ୍ୟନ୍ତ ହୋଇଥିଲା । କୁହାଯାଏ କାଳିଆ ଭାବର ଠାକୁର । ଭକ୍ତଙ୍କ ଗହଳିରେ ରହିବାକୁ ସର୍ବଦା କାଳିଆର ମନ । ନବଦିନାତ୍ମକ ଯାତ୍ରା ସରିଆସୁଥିବାରୁ ଧିରେ ଧିରେ ଗଡୁଥିଲା ନନ୍ଦିଘୋଷ । ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀନାରାୟଣ ଭେଟ ପରେ କାଳିଆର ରଥ ଶ୍ରୀମନ୍ଦିର ନିକଟରେ ଲାଗିଥିଲା ।

ଚଳିତ ବର୍ଷ ବାହୁଡ଼ା ଯାତ୍ରାର ଦିନକ ପରେ ଅନୁଷ୍ଠିତ ହେବ ସୁନାବେଶ । ପ୍ରତି ବର୍ଷ ବାହୁଡ଼ା ପରଦିନ ସୁନାବେଶ ହୋଇଥାଏ। କିନ୍ତୁ ଚଳିତବର୍ଷ ବାହୁଡ଼ାର ଗୋଟିଏ ଦିନ ପରେ ଅର୍ଥାତ ବୁଧବାର ସୁନାବେଶ ଅନୁଷ୍ଠିତ ହେବାକୁ ଯାଉଛି । ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ସିଂହଦ୍ଵାରଠାରେ ଦଣ୍ଡାୟମାନ ଥିବା ତିନିରଥ ଉପରେ ଆକର୍ଷଣୀୟ ସୁନାବେଶ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କ ସମ୍ମୁଖରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ସୁନାବେଶ ସାମଗ୍ରୀ ଭଣ୍ଡାର ଘରୁ ପାଳିଆ ମେକାପ, ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ, ପୋଲିସ, ମନ୍ଦିର ଅଧିକାରୀ ତଥା ଗାରଦ କର୍ମଚାରୀମାନଙ୍କ ସହାୟତାରେ ତିନିରଥ ଉପରକୁ ଆସିଥାଏ । ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରଭୃତି ସେବକମାନେ ଉପସ୍ଥିତ ରହି ଶ୍ରୀବିଗ୍ରହମାନଙ୍କ ସୁନାବେଶ କରିଥାନ୍ତି।


0 Comments