ପୁରୀ: ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଜଷ୍ଟିସ ବିଶ୍ବନାଥ ରଥଙ୍କ ନେତୃତ୍ବାଧୀନ 11ଜଣିଆ ଉଚ୍ଚସ୍ତରୀୟ କମିଟି ତତ୍ତ୍ବାବଧାନରେ ଆଜି ଦୀର୍ଘ 46 ବର୍ଷ ପରେ ‘ରତ୍ନଭଣ୍ଡାର’ ଖୋଲାଯାଇଛି । ଉଭୟ ବାହାର ଓ ଭିତର ଭଣ୍ଡାର ଖୋଲି ତଦାରଖ କରିଛି ମନିଟରିଂ କମିଟି । ଆଜି ନିର୍ଦ୍ଧାରିତ ସମୟ ଅପରାହ୍ନ 1ଟା 28 ମିନିଟରେ ପ୍ରଥମେ ବାହାର ‘ରତ୍ନଭଣ୍ଡାର’ ଖୋଲାଯିବା ପରେ ପରବର୍ତ୍ତୀ ସମୟରେ ଭିତର ଭଣ୍ଡାର ମଧ୍ୟ ଖୋଲାଯାଇଛି ।

ବାହାର ଭଣ୍ଡାରରୁ ରତ୍ନ ଅଳଙ୍କାର ବାହାର କରାଯାଇ ଶ୍ରୀମନ୍ଦିର ଭିତର ବେଢାରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରିତ କରାଯାଇଛି । ପରେ ଏହାକୁ ପୁନଃ ସିଲ୍‌ କରାଯାଇଛି । ସେହିପରି ଭିତର ଭଣ୍ଡାରର ତାଲା ନଖୋଲିବାରୁ ଏହାକୁ ଭାଙ୍ଗିବାକୁ ପଡ

ିଛି । ଭିତର ଭଣ୍ଡାର ଖୋଲାଯାଇଥିଲେ ମଧ୍ୟ ସମୟ ଅଭାବରୁ ଅଳଙ୍କାର ସ୍ଥାନାନ୍ତରଣ କରାଯାଇ ପାରିନାହିଁ । ପୁନଃ ଏହାକୁ ନୂଆ ତାଲାରେ ସିଲ୍‌ କରାଯାଇଛି । ଆସନ୍ତାକାଲି ବାହୁଡାଯାତ୍ରା ଥିବା ବେଳେ ନୀଳଦ୍ରୀବିଜେ ପର୍ଯ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କର ବହୁ ନୀତିକାନ୍ତି ରହିଛି । ଭିତର ଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପାଇଁ ‘ନିଳାଦ୍ରୀବିଜେ’ ପରେ ପୁଣି ସମୟ ଧାର୍ଯ୍ୟ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ବାହୁଡା ଓ ପରବର୍ତ୍ତୀ ନୀତିକାନ୍ତି ପାଇଁ ଏହି ପ୍ରକ୍ରିୟା ବନ୍ଦ ରହିବ । ପରେ କମିଟି ପୁଣି ଏକ ତାରିଖ ଚୂଡାନ୍ତ କରିବ । ଭିତର ଭଣ୍ଡାରରୁ ଅଳଙ୍କାର ବାହାର କରି ପ୍ରଥମେ ଅସ୍ଥାୟୀ ଷ୍ଟ୍ରଙ୍ଗରେ ରୁମରେ ରଖାଯିବ । ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ‘ଏଏସଆଇ’ ଦ୍ବାରା ଭିତର ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରାଯିବା ପରେ ନବୀକରଣ ମଧ୍ୟ କରାଯିବ । ପୁନଶ୍ଚ ଅଳଙ୍କାରଗୁଡିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମରୁ ଭଣ୍ଡାରକୁ ସ୍ଥାନାନ୍ତରିତ କରାଯିବା ପରେ ଗଣତି ଓ ମଣତି ପ୍ରକ୍ରିୟା ଆରମ୍ଭ ହେବ ।’

କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି, ‘‘ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ଏସଓପି ଅନୁସାରେ, ସମସ୍ତ କାର୍ଯ୍ୟ ଶେଷ ହୋଇଛି । ବାହାର ଭଣ୍ଡାର ସ୍ଥାନାନ୍ତରଣ ଶେଷ ହୋଇଛି । ଭିତର ଭଣ୍ଡାର ତାଲା ଟ୍ରେଜେରୀରୁ ନିଆଯାଇଥିବା ଚାବିରେ ଖୋଲିଲା ନାହିଁ । ତାକୁ ଏସଓପି ଅନୁସାରେ, ଭାଙ୍ଗିବାକୁ ପଡିଲା । ବାହାର ଭଣ୍ଡାରର ସମ୍ପୂର୍ଣ୍ଣ ସ୍ଥାନାନ୍ତର ଶେଷ ହୋଇଛି । ଭିତର ଭଣ୍ଡାର ସ୍ଥାନାନ୍ତରଣ ପ୍ରକ୍ରିୟା ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହେବା ପରେ ଶେଷ ହେବ । ତେଣୁ ଏସଓପି ମୁତାବକ ତାଲା ଭାଙ୍ଗି ଅନୁଧ୍ୟାନ କଲା ପରେ ପୁନଃ ଉଭୟ ଭିତର ଓ ବାହାର ଭଣ୍ଡାରକୁ ସିଲ କରି ନୂତନ ଚାବିକୁ ଜିଲ୍ଲା ଟ୍ରେଜେରୀକୁ ପଠାଯାଇଛି ।’’

ଆଜି ଦିନ ତମାମ ସାପ ବାହାରିବା ଭୟ ଲାଗି ରହିଥିବା ବେଳେ ସେପରି କୌଣସି ଅଘଟଣ ସାମ୍ନାକୁ ଆସିନି । ଅନୁଧ୍ୟାନ କମିଟି ସଦସ୍ୟ ବାହାରକୁ ଆସିବାର କିଛି ଘଣ୍ଟା ପୂର୍ବରୁ ସ୍ନେକ ହେଲ୍ପଲାଇନ ଟିମର ସଦସ୍ୟମାନେ ମଧ୍ୟ ବାହାରକୁ ଆସିଥିଲେ । ଆଜି ଭଣ୍ଡାର ଖୋଲାଯିବା ଓ ପ୍ରାଥମିକ ପ୍ରକ୍ରିୟା ପ୍ରାୟତଃ ଶୃଙ୍ଖଳିତ ଭାବେ ଶେଷ ହୋଇଥିବା ବେଳେ ଭଣ୍ଡାରରେ ଥିବା ଦୁର୍ମୂଲ୍ୟ ଅଳଙ୍କାର ସମ୍ପର୍କରେ ସ୍ପଷ୍ଟ ସୂଚନା ପାଇଁ ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ।

0 Comments