ପୁରୀ: ପୁଣି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ଗୁରୁବାର ୧୮ ତାରିଖରେ ପୁଣିଥରେ ଖୋଲାଯିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ଏନେଇ ଶୁଭବେଳା ମଧ୍ୟ ଧାର୍ଯ୍ୟ କରାଯାଇଛି । ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଶୁଭବେଳା ରହିଥିବାବେଳେ ଏହି ସମୟ ଭିତରେ ଖୋଲାଯିବ ଭିତର ରତ୍ନଭଣ୍ଡାର । ପୂର୍ବରୁ ଯେଉଁ ଏସ୍‌ଓପି ରହିଛି, ସେହି ଏସ୍‌ଓପି ଆଧାରରେ ହିଁ ରତ୍ନଭଣ୍ଡାର ଖୋ

ଲାଯିବ । ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ସେହିପରି ରତ୍ନଭଣ୍ଡାର ଖୋଲିବା ପାଇଁ ଯେଉଁ କମିଟି ଗଠନ କରାଯାଇଛି, ସେମାନେ କୌଣସି ସ୍ବର୍ଣ୍ଣ ଅଳଙ୍କାର କିମ୍ବା ପଦାର୍ଥ ପରିଧାନ କରି ସେହିଦିନ ଶ୍ରୀମନ୍ଦିର ଭିତରକୁ ଯିବେନାହିଁ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି । ଗତ ୧୪ ତାରିଖରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ତାଲା ଭଙ୍ଗା ଯାଇ ନୂତନ ତାଲା ପକାଯାଇଥିଲା । ରତ୍ନଭଣ୍ଡାରରେ ପକାଯାଇଥିବା ଦୁଇଟି ନୂତନ ଚାବି ଟ୍ରେଜେରୀରେ ରହିଥିବାବେଳେ ୧୮ ତାରିଖରେ ଟ୍ରେଜେରୀରୁ ଏହି ଚାବି ଆସି ଖୋଲାଯିବ । ସେହିପରି ୧୮ ତାରିଖରେ ତିନି ରଥ ଉପରେ ମହାପ୍ରଭୁଙ୍କର ଅଧରପଣା‌ ନୀତି ଥିବାବେଳେ ସେହିଦିନ ରତ୍ନଭଣ୍ଡାର ଖୋଲାଯିବାକୁ ଥିବାରୁ ସାଧାରଣ ଦର୍ଶନାର୍ଥୀଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯିବ ନାହିଁ । ସକାଳ ୮ଟାରୁ ଏହି କଟକଣା ଲଗାଯିବ ବୋଲି ବୈଠକ ଶେଷ ପରେ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

ପ୍ରକାଶ ଥାଉ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ, ଗତ 14 ତାରିଖ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିଲା । ମାର୍ଗଦର୍ଶିକା ଅନୁସାରେ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯାଇଥିଲା । ବାହାର ରତ୍ନଭଣ୍ଡାରରେ 3ଟି ଚାବି ରହିଥାଏ । ଗୋଟିଏ ଚାବି ଶ୍ରୀମନ୍ଦିର ପ୍ରଶାସନ ନିକଟରେ, ଗୋଟିଏ ଚାବି ଭଣ୍ଡାର ମେକାପ ଏବଂ ଶେଷ ଚାବି ଗଜପତି ମହାରାଜଙ୍କ ପ୍ରତିନିଧିଙ୍କ ନିକଟରେ ଥାଏ । ଏହି ତିନୋଟି ଚାବି ବ୍ୟବହାର କରି ବାହାର ରତ୍ନଭଣ୍ଡାର ଖୋଲାଯାଇଥିଲା । ବାହାର ରତ୍ନ ଭଣ୍ଡାରରେ ଥିବା ସମସ୍ତ ଅଳଙ୍କାର ଏବଂ ଜିନିଷପତ୍ରକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ ଭାବେ ଚାଙ୍ଗଡା ଏବଂ ଫୁଲ ଘରକୁ ସ୍ଥାନାନ୍ତର କରାଯାଇଥିଲା । ସେହି ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ପରମ୍ପରାଗତ ବ୍ୟବସ୍ଥା ଅନୁସାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ବନ୍ଦ କରାଯାଇଥିଲା ।

0 Comments