ଆଜି ଜାତୀୟ ଇଂଜିନିୟର୍ସ ଦିବସ ଉପଲକ୍ଷେ ଓଡିଶା ବିଜ୍ଞାନ ମଣ୍ଡଳ, ସମ୍ବଲପୁର ଆନୁକୁଲ୍ୟରେ ରେଢାଖୋଲ ସ୍ଥିତ ଭୀମଭୋଇ ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଦୁଇ ଦିବସୀୟ ଜାତୀୟ ସେମିନାରର ଉଦଘାଟନୀ ଉତ୍ସବରେ ଭାଗନେଇ ମୁଖ୍ଯ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଇଂଜିନିୟର ଓ ଜାତୀୟ ପ୍ରଯୁକ୍ତି ବିଦ୍ଯା ପ୍ରତିଷ୍ଠାନର ବରିଷ୍ଠ ପ୍ରଫେସର ଓ ଭିସୁଟ, ବୁର୍ଲାର ପ୍ରାକ୍ତନ କୁଳପତି ଡଃ ବଂଶୀଧର ମାଝି କହିଲେ, ଗୁଗଲ ଆପଣଙ୍କୁ ତଥ୍ଯ ଦେଇପାରେ, ହେଲେ ଜ୍ଞାନ ଓ ପ୍ରଜ୍ଞା ଲାଭ କରିବା ପାଇଁ ଆପଣଙ୍କୁ ଶିକ୍ଷକ ପାଖକୁ ଯିବାକୁ ହେବ। ଆମ ସ୍ନାୟୁତନ୍ତ୍ର ଆମକୁ ବାସ୍ତବରେ ପ୍ରଶିକ୍ଷଣ ଦେଇଥାଏ। ଆମ ବୁଦ୍ଧି ଅମୂଲ୍ଯ ସଂପଦ। କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟ  ଆମ ଭବିଷ୍ଯତର ପ୍ରଯୁକ୍ତି ବିଦ୍ଯା। ଏହା ଚର୍ମ ଓ ରକ୍ତ କର୍କଟ, ଅସ୍ତି ଚିକିତ୍ସା, ସ୍ନାୟବିକ ଅସଂଗତିର କାରଣ ନିରୁପଣ ଓ ନିରାକରଣ ଦିଗରେ ଦିଗବାରେଣୀ ପରି କାମକରୁଛି। ମୁଖ୍ଯ ବକ୍ତା ଭାବେ ଯୋଗ ଦେଇ ରାଷ୍ଟୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ପ୍ରତିଷ୍ଠାନ (ନାଇଜର) ଭୁବନେଶ୍ୱରର ପ୍ରଫେସର ଓ ଅନ୍ତରାଷ୍ଟୀୟ ଖ୍ଯାତି ସଂପନ୍ନ କଣିକା ବିଜ୍ଞାନୀ ଡଃ ବେଦାଙ୍ଗ ମହାନ୍ତି କହିଲେ ଯଦି ପାଣି ସାଧାରଣତଃ ତରଳ ଅବସ୍ଥାରେ ରହୁ ନଥାନ୍ତା ପୃଥିବୀରେ ଜୀବନର ପରିକଳ୍ପନା କରାଯାଇପାରନ୍ତା ନାହିଁ, ଯଦି ବୃହସ୍ପତି ଓ ଶନି ଗ୍ରହ ଆମ ସୌରମଣ୍ଡଳରେ ନଥାନ୍ତେ ଗ୍ରହାଣୁ, ଉଲକା  ପ୍ରତିଦିନ ପୃଥିବୀ ପୃଷ୍ଠକୁ ମାଡ କରି ଧନଜୀବନ କ୍ଷତିର କାରଣ ହେଉ ଥାନ୍ତା, ଯଦି ଇଲେକ୍ଟ୍ରନର ବସ୍ତୁତ୍ୱ ଶୂନ ହୋଇଥାନ୍ତା, ନା ପରମାଣୁ ଥାନ୍ତା, ନା ଅଣୁ, ନା ଏ ସଚରାଚର ସ୍ଥାବର, ଜଙ୍ଗମ ଗଠନ ହୋଇଥାନ୍ତା। ତେଣୁ ସ୍ରଷ୍ଟାଙ୍କର ଏ ସର୍ଜନା ନିର୍ଦ୍ଦିଷ୍ଟ ଓ ସୁନିୟନ୍ତ୍ରିତ। ବିଜ୍ଞାନ ଚକ୍ଷୁରେ ଏ ସୌନ୍ଦର୍ଯ୍ୟ ଅବଲୋକନ କରିହେବ। କାର୍ଯ୍ଯକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ସୁରେନ୍ଦ୍ର ନାରାୟଣ ପ୍ରଧାନ କହିଲେ  ପଦାର୍ଥ ବିଜ୍ଞାନ, ମୌଳିକ ବିଜ୍ଞାନର

ଚେର । କାର୍ଯ୍ଯକ୍ରମରେ ସଭାପତିତ୍ୱ କରି ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ, ଝାରସୁଗୁଡାର ପ୍ରାକ୍ତନ ଅଧ୍ଯକ୍ଷ ଲେପ୍ଟନାଣ୍ଟ ବିଭୁତି ଭୂଷଣ ଦାଶ କହିଲେ ବିଜ୍ଞାନ ମନସ୍କତା ଭୌତିକ ବିକାଶର ଚାବିକାଠି, ଭୌତିକ ବିକାଶ ଆଧୁନିକ ସଭ୍ଯତାର ଲକ୍ଷ୍ଯ ଓ ଉଦ୍ଦେଶ୍ଯ। ମହାବିଦ୍ୟାଳୟ ଅଧ୍ଯକ୍ଷ ଦିଲ୍ଲିପ କୁମାର ଦାଶ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପ୍ରତିଭାଗୀ ମାନଙ୍କୁ ଉତ୍ସାହିତ କରିଥିଲେ।ସେମିନାରର ସଂଗଠନ ସଂପାଦକ ଓ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନର ବିଭାଗର ବିଭାଗୀୟ ମୁଖ୍ଯ ଅରୁଣ କୁମାର ଶାସନି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ସେମିନାରର ଆବାହକ ଓ ଓଡିଶା ବିଜ୍ଞାନ ମଣ୍ଡଳ(ବିଜ୍ଞାନ ଭାରତୀ)ର ପ୍ରାନ୍ତ ସହ ସଂଗଠନ ସଂପାଦକ ଡଃ ଗୌରୀଶଙ୍କର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ। ବିଭିନ୍ନ ଟେକ୍ନିକାଲ ସତ୍ରରେ ଡଃ ବେଦାଙ୍ଗ ମହାନ୍ତି କି' ନୋଟ ବ୍ଯାଖ୍ଯାନରେ ଡଃ ବେଦାଙ୍ଗ ମହାନ୍ତି ଦୃଶ୍ୟମାନ ବ୍ରହ୍ମାଣ୍ତର ମୌଳିକ ଉପାଦାନ ଶୀର୍ଷକରେ ବକ୍ତବ୍ଯ ପ୍ରଦାନ କରିଥିବା ବେଳେ ଡଃ ବଂଶୀଧର ମାଝି ପ୍ରଯୁକ୍ତି ବିଦ୍ଯାରେ କୃତ୍ରିମ ବୁଦ୍ଧିମତାର ବ୍ଯବହାର ଶୀର୍ଷକରେ ପ୍ଲେନାରୀ ବକ୍ତବ୍ଯ ପ୍ରଦାନ କରିଥିଲେ। ଅରୁଣ ଶାସିନି ନିମନ୍ତ୍ରିତ ବକ୍ତବ୍ଯ ପ୍ରଦାନ କରିଥିବା ବେଳେ ପନ୍ଦରଟି ମୌଖିକ ବକ୍ତବ୍ଯ ପ୍ରଦାନ କରାଯାଇ ଥିଲା। ମଣ୍ଡଳର ଜିଲ୍ଲା ସହ ସଂଯୋଜକ ଉଦୟନାଥ ପ୍ରଧାନ ଓ ମହାବିଦ୍ୟାଳୟର ଅଧ୍ଯାପକ, ଅଧ୍ଯାପିକା ମାନେ କାର୍ଯ୍ଯକ୍ରମ ସଂଯୋଜନା କରିଥିଲେ। ଅନ୍ଯମାନଙ୍କ ମଧ୍ଯରେ ଅଧ୍ଯାପକ ରାଜେନ୍ଦ୍ର କୁମାର ବିଶ୍ୱାଳ,ଅଧ୍ଯାପକ ଅଞ୍ଜନ କୁମାର ମିଶ୍ର, ଅଧ୍ଯାପକ ଅକ୍ଷୟ କୁମାର କର, ଅଧ୍ଯାପକ ଅମୀୟ ରଞ୍ଜନ ବାରିକ, ମନୋରଞ୍ଜନ ମହାନ୍ତ, ଦିଲ୍ଲିପ କୁମାର ପ୍ରଧାନ, ଖଗ ବେହେରା,   ଗୋବିନ୍ଦ ଅଗ୍ରୱାଲ, ଶିବରାମ ସାହୁ, ରମାକାନ୍ତ ମହାନନ୍ଦ, ଶରତ ପ୍ରଧାନ, ଶଙ୍କର ପୃଷ୍ଟି,  ଅଧ୍ଯାପକ ସୁଶାନ୍ତ ନନ୍ଦ, ଅଧ୍ଯାପିକା ଦିପିକା ଜେନା, ମୋତିଲାଲ ପ୍ରଧାନ, ଈଶ୍ବର କୁମାର ବେହେରା, ପତିନପାବନ ନାୟକ, ଅଶୋକ ଧଳ ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ।

0 Comments