ସମ୍ବଲପୁର: ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ମହିଳା ପୋଲିସ IICଙ୍କୁ ମାଡ଼ ମରା ଅଭିଯୋଗ ମାମଲାରେ ଆଗୁଆ ଜାମିନ ଆବେଦନକୁ ଖାରଜ
ଲେ ସୁପ୍ରିମକୋର୍ଟ । ଜଷ୍ଟିସ ହୃଷିକେଷ ରୟ ଏବଂ ଜଷ୍ଟିସ ଏସଭିଏନ ଭଟ୍ଟିଙ୍କୁ ନେଇ ଗଠିତ ବେଞ୍ଚରେ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ହୋଇଥିଲା । ବେଞ୍ଚ ଆଗୁଆ ଜାମିନ ଆବେଦନ ଖାରଜ କରିବା ସହ କହିଛନ୍ତି, ‘ନେତୃତ୍ବରେ ଥିବା ବ୍ୟକ୍ତିଙ୍କ ସର୍ବସାଧାରଣରେ ଉଦାହରଣ ସୃଷ୍ଟି କରିବା ଜରୁରୀ ।’
ଘଟଣାଟି ଥିଲା 2023 ମସିହା ଫେବୃଆରୀ 15 ତାରିଖର । ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ବେଳେ ପୋଲିସ ଓ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ । ଏହି ସମୟରେ ବିଜେପି ନେତା ଜୟନାରାୟଣ ମିଶ୍ର, ମହିଳା ଆଇଆଇସି(IIC) ଅନିତା ପ୍ରଧାନଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ଏତଲା ଦେଇଥିଲେ ମହିଳା ଆଇଆଇସି ।
ଏହି ମାମଲାରେ ଜୟନାରାୟଣ ଗତ 2023 ମସିହା ଫେବୃଆରୀ 16ରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଥିଲେ । ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ସୁପ୍ରିମକୋର୍ଟରେ ମଧ୍ୟ ଜୟନାରାୟଣଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ ହୋଇଛି ।
ଏନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ‘ସୁପ୍ରିମକୋର୍ଟଙ୍କ ଅର୍ଡର ମୁଁ ଏ ପର୍ଯ୍ୟନ୍ତ ଦେଖିନାହିଁ । ପରବର୍ତ୍ତୀ ପଦକ୍ଷେପ କଣ ହେବ ତାହା ମୋ ଓକିଲ ନିଷ୍ପତ୍ତି ନେବେ । ଯେହେତୁ ସେମାନଙ୍କର କ୍ଷମତା ଅଛି ସେମାନେ କେସ୍ ଦେଇ ଦେଲେ । କେସ କରିବା ପାଇଁ ଷଡଯନ୍ତ୍ର ତିଆରି କରାଯାଇଥିଲା । ମୁଁ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସ ହତ୍ୟାକାଣ୍ଡକୁ ବିରୋଧ କରୁଥିଲି । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଉଥିଲି । ମୋତେ କିପରି ବିରତ କରାଯାଇପାରିବ । ଏହା ତାହାର ଅଶଂବିଶେଷ ।’