ସମ୍ବଲପୁର: ଆସନ୍ତା ମାର୍ଚ୍ଚ ୨୧ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏଥିପାଇଁ ଆଜି ସମ୍ବଲପୁର ବୁର୍ଲା ସ୍ଥିତ ଏମସିଏଲ ଗେଷ୍ଟ ହାଉସରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାର ବିଧାୟକ, ନେତା କର୍ମୀ ଯୋଗ ଦେଇଥିଲେ l ଅମିତ ଶାହାଙ୍କ ଗସ୍ତ କିପରି ଭବ୍ୟ ଓ ସଫଳ ହୋଇପାରିବ ସେନେଇ ଆଲୋଚନା ହୋଇଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ l ସେପଟେ ବୈଠକରେ କ୍ଷୋଭ ଝାଡିଛନ୍ତି ବିଧାୟକ ଜୟନାରାୟଣ ମିଶ୍ର ।
ଏହି ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି," କେନ୍ଦ୍ର ଗୃହମନ୍ତ୍ରୀ ସମ୍ବଲପୁର ଆସୁଛନ୍ତି l ଯାହା ବର୍ତ୍ତମାନ ସୁଦ୍ଧା ସୂଚନା ମିଳିଛି ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତା 21 ତାରିଖରେ ବିମାନ ଜରିଆରେ ଝାରସୁଗୁଡାରେ ପହଞ୍ଚିବେ । ସେଠାରୁ ସମ୍ବଲପୁର ଏମସିଏଲ ଗେଷ୍ଟ ହାଉସ ଆସି ରାତ୍ରି ଯାପନ କରିବେ l ତା' ପରଦିନ ଅର୍ଥାତ 22 ତାରିଖ ସକାଳୁ ସମଲେଶ୍ୱରୀ ଦର୍ଶନ କରିବେ l ଏହା ପରେ ସେ ଅଇଁଠାପାଲ୍ଲି ପିଏଚଡ଼ି ପଡିଆରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ l ଏହାପରେ ସେଠାରେ ଅନୁଷ୍ଠିତ ସାଧାରଣ ସଭାରେ ସାଢେ 10ରୁ ସାଢେ 11ଯାଏଁ ଯୋଗ ଦେବେ l ଏହି କାର୍ଯ୍ୟକ୍ରମ ସରିଲା ପରେ ସେ ବୁର୍ଲା ଏମସିଏଲ ଗେଷ୍ଟ ହାଉସ ଯିବେ ଓ ସେଠାରେ ମଧ୍ୟାହ୍ନ ଭୋଜନ କରି ସରିଲା ପରେ ଅପରାହ୍ନ 2 ଟାରେ ଭୁବନେଶ୍ୱର ଯିବେ ।
ଭୁବନେଶ୍ୱରରୁ ସେ ପୁରୀ ଯିବେ ସେଠାରେ ହିଁ ରାତ୍ରି ରହଣି କରିବେ l ତା' ପରଦିନ ସକାଳେ ପୁରୀରେ ପ୍ରଭୁ ଜଗନ୍ନାଥ ଦର୍ଶନ କରି ପରେ ଜଟଣୀରେ ଫରେନସିକ ୟୁନିଭରସିଟିର ଶିଳାନ୍ୟାସ କରିବେ । ଯାହା ଗୁଜୁରାଟ ପରେ ଦେଶର ଦ୍ଵିତୀୟ ୟୁନିଭରସିଟି ଅଟେ l ଏହା ପରେ ଅନ୍ୟ ସବୁ ପ୍ରକଳ୍ପର ଶିଳାନ୍ୟାସ କରିଲା ପରେ ଅପରାହ୍ନରେ ଦିଲ୍ଲୀ ଫେରିଯିବେ" ବୋଲି କହିଛନ୍ତି ମନମୋହନ ।
ସେପଟେ ନିଜ ଦଳର ରାଜ୍ୟ ନେତୃତ୍ୱ ପ୍ରତି ନିଜର କ୍ଷୋଭ ଓ ଅସନ୍ତୋଷ ଜାହିର କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର l ଗୃହମନ୍ତ୍ରୀ ଅମିତ ଶାହଙ୍କ ସମ୍ବଲପୁର ଗସ୍ତକୁ ନେଇ ହୋଇଥିବା ପ୍ରସ୍ତୁତି ବୈଠକରେ ଜୟନାରାୟଣଙ୍କୁ ପଛ ଧାଡିରେ ବସିଥିବା ଦେଖିବାକୁ ମିଳିଥିଲା l ତାଙ୍କୁ ମଞ୍ଚରେ ବସିବା ପାଇଁ ବିଜେପି ନେତା ସିମାଞ୍ଚଳ ଖଟେଇ ଓ ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ ଆମନ୍ତ୍ରଣ କରିଥିଲେ ମଧ୍ୟ ସେ ଯାଇ ନଥିଲେ l
ଏନେଇ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶ୍ନ କରିବାରୁ ସେ ଉତ୍ତର କହିଥିଲେ,"ଗୋଟିଏ ଜାଗାରେ ବସିବା ପାଇଁ ଯୋଗ୍ୟତା ରହିବା କଥା । ମୋର ଯୋଗ୍ୟତା ସେ ଜାଗାରେ ନାହିଁ ବୋଲି ଭାବିଲି । ଆଉ ମୁଁ ଗଲି ନାହିଁ l ସେ ଜାଗାରେ ରାଜ୍ୟ ସଭାପତି, ରାଜ୍ୟ ସାଧାରଣ ସମ୍ପାଦକ ଓ ମନ୍ତ୍ରୀମାନଙ୍କ ପାଇଁ ଉଦିଷ୍ଟ ଥିଲା । ମୁଁ ତା' ଭିତରୁ କେହି ନୁହେଁ । ତ ବସିବାର କ'ଣ ଆବଶ୍ୟକତା ଥିଲା l"