କେନ୍ଦ୍ରାପଡା: ଦୀର୍ଘ ୩ ମାସ ବନ୍ଦ ରହିବା ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । ଏଥର ପର୍ଯ୍ୟଟକଙ୍କ ପାଇଁ କିଛି ନୂଆ ବ୍ୟବସ୍ଥା ଗ୍ରହଣ କରିଛି ବନ ବିଭାଗ । ଏହା ମଧ୍ୟରେ ସର୍ବାଧିକ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଛି ଦୀର୍ଘ ଅଧା କି.ମିରୁ ଅଧିକ ଲମ୍ବା ସ୍କାଏ-ଓ୍ୱାକ । କୁମ୍ଭୀର ପ୍ରଜନନ ପାଇଁ ମେ’ ମାସ ପହିଲାରୁ ଜୁଲାଇ ମାସ ୩୧ତାରିଖ ପର୍ଯ୍ୟନ୍ତ ଦୀ

ର୍ଘ ୩ ମାସ ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ, ବୁଦ୍ଧିଜୀବି ଏବଂ ପରିବେଶବିତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଛି ।

ତେବେ ଚଳିତବର୍ଷ ଭିତରକନିକାରେ ପ୍ରଥମ ଥର ପାଇଁ ନିର୍ମାଣ କରାଯାଇଛି ସ୍କାଏ-ଓ୍ଵାକ୍ । ଏହାର ଲମ୍ବ ରହିଛି ପ୍ରାୟ 6ଶହ ମିଟର ବା ଅଧା କି.ମିରୁ ଅଧିକ । ଭପୃଷ୍ଠରୁ କିଛି ମିଟର ଉଚ୍ଚତାରେ ନିର୍ମାଣ ହୋଇଥିବା ଏହି କରିଡର ମାଧ୍ୟମରେ ଜଙ୍ଗଲ ଉପରେ ଚାଲିଚାଲି ହେନ୍ତାଳ ବଣ ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକମାନେ ଉପଭୋଗ କରିପାରିବେ । ଏଥିପାଇଁ ବନ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି । ଏହାର ସୁରକ୍ଷାକୁ ଦୃଷ୍ଟିରେ ରଖି ଥରକେ 20ରୁ ଅଧିକ ପର୍ଯ୍ୟଟକ ନଛାଡିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ବନ ଅଧିକାରୀ ।

ଆହୁରି ମଧ୍ୟ ଷ୍ଟଡିଟୁର ଓ ହେନ୍ତାଳ ମାନଗ୍ରୋଭ ଇକୋ-ସିଷ୍ଟମ ସମ୍ପର୍କରେ ରିସର୍ଚ୍ଚ କରିବାକୁ ଆସୁଥିବା ବିଦ୍ୟାର୍ଥୀ ଓ ଗବେଷକଙ୍କୁ ବନ ବିଭାଗ ସହଯୋଗ କରିବ । ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକଙ୍କ ସହ ଭିତରକନିକା ଉପରେ ଜୀବିକା ନିର୍ବାହ ପାଇଁ ନିର୍ଭର କରୁଥିବା ବୋଟ ଚାଳକ, ହୋଟେଲ ବ୍ୟବସାୟୀ, ଟ୍ରାଭେଲ୍ ଏଜେନ୍ସି, କ୍ଷୁଦ୍ର ବ୍ୟବସାୟୀ ଓ ଟୁରିଷ୍ଟ ଗାଇଡ଼ମାନେ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛନ୍ତି ।

ଉପକୂଳ ଓଡିଶାରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ହେଉଛି ସରୀସୃପଙ୍କ ପାଇଁ ଏକ ଭୂସ୍ୱର୍ଗ । ଭାରତ ତଥା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ବିଶେଷ ସ୍ଥାନ ସୃଷ୍ଟି କରିଛି ଏହି ଜାତୀୟ ଉଦ୍ୟାନ । ଏହା ଏବେ ଜୈବ୍ୟମଣ୍ଡଳର ମାନ୍ୟତା ମଧ୍ୟ ପାଇଛି । ବିଶ୍ୱର ଦ୍ବିତୀୟ ବୃହତ୍ତମ ଲୁଣା ଜଙ୍ଗଲ ହେଉଛି ଭିତରକନିକା । ବଉଳା କୁମ୍ଭୀର ପାଇଁ ଜାତୀୟ ଉଦ୍ୟାନ ସାରା ବିଶ୍ୱର ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ବିଶ୍ୱବ୍ୟାପୀ ଲକ୍ଷାଧିକ ପର୍ଯ୍ୟଟକ ଭିତରକନିକା ଜାତୀୟ ଉଦ୍ୟାନ ପରିଭ୍ରମଣରେ ଆସିଥାନ୍ତି । ଏଥର ମଧ୍ୟ ଭିତରକନିକାରେ ରେକର୍ଡସଂଖ୍ୟକ ପର୍ଯ୍ୟଟକଙ୍କ ଭିଡ ହେବା ନେଇ ଆକଳନ କରାଯାଉଛି ।

0 Comments