କେନ୍ଦ୍ରାପଡ଼ା: ବିଜେପିରୁ ବିଦା ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନକୁ ଭଙ୍ଗ କରିଥିବା କାରଣରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବରିଷ୍ଠ ବିଜେପି ନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ରଙ୍କୁ ଦଳରୁ ବହିଷ୍କୃତ କରିଥିବା ନେଇ ବିଜେପି ରାଜ୍ୟ ମିଡିଆ ସେଲ ସୂଚନା ଦେଇଛି । ବିଜୟଙ୍କ ସହ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ଶାରଦା ପ୍ରଧାନଙ୍କୁ ମଧ୍ୟ ଦଳ ବହିଷ୍କାର କରିଥିବା ସୂଚନା ଦିଆଯାଇଛି । ଟିକଟ ନମିଳିବାରୁ ଶାରଦା ଚଳିତ ନିର୍ବାଚନରେ ମାହାଙ୍ଗାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି । ଏହା ସହିତ ଦଳର ଏସ୍‌ସି ମୋର୍ଚ୍ଚା ରାଜ୍ୟ

ଉପସଭାପତି ରାଜେଶ ମଲ୍ଲିକଙ୍କୁ ମଧ୍ୟ ବହିଷ୍କାର କରିଛି ବିଜେପି ।

ତେବେ ୨୦୦୯, ୨୦୧୪ ଓ ୨୦୧୯ ମସିହା ସାଧାରଣ ନିର୍ବାଚନରେ ବିଜୟ ମହାପାତ୍ର ବିଜେପି ଟିକଟରୁ ଦୁଇଥର ପାଟକୁରା ଓ ଥରେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରୁ ଲଢ଼ି ପରାଜିତ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଚିର ପ୍ରତିଦ୍ବନ୍ଦ୍ବୀ କୁହାଯାଉଥିବା ବିଜୟ ମହାପାତ୍ରଙ୍କୁ ୨୦୦୦ ମସିହାରୁ ବିଧାନସଭା ମାଡିବା ପାଇଁ ସମ୍ଭବ କରାଇନଥିଲେ ବିଜେଡି ସୁପ୍ରିମୋ । ଅନ୍ୟପଟେ ଚଳିତ ନିର୍ବାଚନରେ ବିଜୟଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ପାଟକୁରାରୁ ପ୍ରାର୍ଥୀ କରିଥିବାବେଳେ ବିଜୟ ବହୁ ସ୍ଥାନରେ ପୁଅ ପାଇଁ ପ୍ରଚାର କରୁଥିବା ଦୃଶ୍ୟ ନଜରକୁ ଆସିଥିଲା । ବିଜେଡି ବ୍ୟାନର ଥିବା ମଞ୍ଚ ଉପରକୁ ନଯାଇ ମଞ୍ଚ ତଳେ ବିଜୟ ମହାପାତ୍ର ଉଭୟ ବିଧାୟକ ପ୍ରାର୍ଥୀ ପୁଅ ଅରବିନ୍ଦ ଓ ଲୋକସଭା ପ୍ରାର୍ଥୀ ଅଂଶୁମାନଙ୍କୁ ଆଶୀର୍ବାଦ ଦେବା ସହ ବିଜେଡି ପାଇଁ ପ୍ରଚାର କରୁଥିବା ବିଷୟ ଜାଣିବା ପରେ ବିଜେପି ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।

ଅନ୍ୟପଟେ ପୂର୍ବରୁ ବିଜୟଙ୍କୁ ଦଳ ସମ୍ପର୍କରେ ପଚାରିବା ସମୟରେ ସେ କୌଣସି ଦଳରେ ନଥିବା କହୁଥିବାବେଳେ ବିଜେପି ତାଙ୍କୁ କାହିଁକି ନିଲମ୍ଵନ କରୁନାହିଁ ବୋଲି ଓଲଟି ପ୍ରଶ୍ନ କରୁଥିଲେ । ତେବେ ଆଜି ବିଜେପିରୁ ବହିଷ୍କୃତ ହେବା ପରେ ବିଜୟଙ୍କ ପରବର୍ତ୍ତୀ ଆଭିମୁଖ୍ୟ କଣ, ସେନେଇ ସସପେନ୍ସ ଜାରି ରହିଛି । ନିର୍ବାଚନ ପରିପ୍ରେକ୍ଷୀରେ ଆସନ୍ତା ଦିନେ କି ଦୁଇଦିନ ମଧ୍ୟରେ ଚିତ୍ର ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

ସେହିପରି ବିଜେପି ଟିକଟ ଆଶାରେ ରହି ନିରାଶ ହେବାପରେ ମାହାଙ୍ଗାରୁ ସ୍ବାଧୀନ ଭାବେ ଲଢ଼ିବାକୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ୨୦୧୯ରେ ଏଠାରୁ ପ୍ରାର୍ଥୀ ହୋଇଥିବା ଶାରଦା ପ୍ରଧାନ (ବୁଲୁ) । ତେଣୁ ଦଳୀୟ ଶୃଙ୍ଖଳା ଭଙ୍ଗ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରାଯାଇଛି । ଗତ ୨୦୧୯ ମସିହା ସାଧାରଣ ନିର୍ବାଚନରେ ଶାରଦା ବିଜେଡି ପ୍ରାର୍ଥୀ ପ୍ରତାପ ଜେନାଙ୍କ ସହ କଡା ଟକ୍କର ଦେଇ ୬୭ ହଜାରରୁ ଅଧିକ ଭୋଟ ପାଇଥିବାବେଳେ ଚଳିତ ନିର୍ବାଚନ ପାଇଁ ସେ ବିଜେପିର ପ୍ରମୁଖ ଟିକଟ ଦାବିଦାର ଥିଲେ । ତେବେ ଏଠାରୁ ସୁକାନ୍ତ ଘଡେଇଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ଦଳ ବିରୋଧରେ ଯାଇ ଶାରଦା ସ୍ବାଧୀନ ପ୍ରାର୍ଥୀ ଭାବେ ନାମାନଙ୍କ ପତ୍ର ଦାଖଲ କରିଥିଲେ । ଆଜି ବିଜେପି ସଭାପତି ଉପକୂଳ ଜିଲ୍ଲାର ଏହି ଦୁଇ ହେଭିୱେଟଙ୍କୁ ବହିଷ୍କାର କରିଥିବା ପ୍ରେସବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି ।

0 Comments