ଭୁବନେଶ୍ବର: ରଂଗ୍‌ ରୁଟ୍‌ରେ ଗାଡି ଚଳାଉଛନ୍ତି କି ? ଚେକିଂ ବେଳେ ଚାଲାକ୍‌ ହୋଇ U Turn ଦେଉଛନ୍ତି କି ? ଯଦି ଦେଉଛନ୍ତି, ତେବେ ହୋଇ

ଯାନ୍ତୁ ସାବଧାନ ! କାରଣ କୌଣସି ବି ମୁହୂର୍ତ୍ତରେ ଆପଣଙ୍କ ଗାଡ଼ିରେ ପଶିଯାଇପାରେ କଣ୍ଟା । ଅମାନିଆଙ୍କ ପାଇଁ ରଂଗ୍‌ ରାଇଡ୍‌ ବ୍ୟାରିୟର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ଏହାକୁ ନେଇ ଏଣିକି ରାସ୍ତାର Wrong Sideରେ ଲାଗିବ Spike । ପୋଲିସର ଚେକିଂରୁ ବଞ୍ଚିବାକୁ ଯାଇ ଯେଉଁମାନେ ଖସି ଯାଉଛନ୍ତି, ସେମାନଙ୍କୁ ଧରିବ ଏହି Spike । ରଂଗ୍‌ ସାଇଡରେ ଯାଉଥିବା ଅମାନିଆଙ୍କ ଗାଡ଼ିକୁ Spike ଦ୍ଵାରା ରୋକିବ ପୋଲିସ୍ ।

ଗତକାଲି ଠାରୁ ଏହି ବ୍ୟାରିୟରକୁ ବ୍ୟବହାର କରାଯାଇ ୧୦ରୁ ଊର୍ଦ୍ଧ୍ବ ଗାଡିକୁ ଲିକ୍‌ କରାଯାଇଛି । ସେହିପରି ଯେଉଁମାନେ ଗାଡି ଡ୍ରାଇଭ୍‌ ବେଳେ ମୋବାଇଲ ବ୍ୟବହାର କରୁଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ ଆକ୍ସନ ମୋଡ଼କୁ ଆସିଛି କମିଶନରେଟ୍‌ ପୋଲିସ । ଏଥର କେବଳ ଗାଡି କିମ୍ବା ଡ୍ରାଇଭିଂ ଲାଇସେନ୍ସ ନୁହେଁ, ସିଧାସଳଖ ବ୍ୟବହାର ହେଉଥିବା ମୋବାଇଲକୁ ମଧ୍ୟ ଜବତ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ।

ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ସୂଚନା ଅନୁସାରେ ବିଗତ ୪ ଦିନରେ ଟ୍ରାଫିକ ଖିଲାପକାରୀଙ୍କର ୪୦୦ ଗାଡି ଜବତ କରି ଅମାନିଆଙ୍କ ନିଦ ହଜାଇ ଦେଇଛି କମିଶନରେଟ ପୋଲିସ । ଏଠାରେ ସୂଚନା ଥାଉ, 'ଭୁବନେଶ୍ବର ଡ୍ରାଇଭ୍‌' ଅଭିଯାନରେ ଟ୍ରାଫିକ ନିୟନ୍ତ୍ରଣ ଏକ ବଡ଼ ଦିଗ ରହିଥିବାବେଳେ ଅନ୍ୟକୁ ଅସୁବିଧାରେ ପକାଉଥିବା କାର୍ଯ୍ୟକଳାପ ଉପରେ କଡ଼ା ନିୟମ କରିଛି କମିଶନରେଟ ପୋଲିସ । ମଦ୍ୟପାନ କରି ଗାଡ଼ି ଚଳାଇବା, ଫୋନରେ କଥା ହୋଇ ଗାଡି ଚଳାଇବା, ରଂଗ୍‌ ସାଇଡରେ ଗାଡି ଚଳାଇବା ଭଳି କାର୍ଯ୍ୟକଳାପ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି କମିଶନରେଟ ପୋଲିସ । ତେବେ ଖୁବଶୀଘ୍ର ରଂଗ୍‌ ସାଇଡ୍‌ରେ କଣ୍ଟା ଲାଗିବ ଓ ପ୍ରଥମେ ଗାଡ଼ି ଓ ପରବର୍ତ୍ତୀ ସମୟରେ ଫୋନ ମଧ୍ୟ ଜବତ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । ସହରରେ ଦୁର୍ଘଟଣା କମାଇବା ଏହାର ଲକ୍ଷ୍ୟ ରହିଥିବା ସେ କହିଛନ୍ତି ।

0 Comments