ବଲାଙ୍ଗୀର: ଆଦିବାସୀ ସମାଜର ପ୍ରସିଦ୍ଧ ସୁଲିଆ ଯାତ୍ରାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପାରମ୍ପରିକ ଆଦିବାସୀ ରୀତିନୀତି ଅନୁଯାୟୀ ଆସନ୍ତା (ଜାନୁଆରୀ) ୭ ତାରିଖରେ ପାଳନ ହେବାକୁ ଯାଉଛି ଏହି ଯାତ୍ରା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି ।

ଏଥର ବଲାଙ୍ଗୀର ଓ ସୋନପୁର ଜିଲ୍ଲା ଆଦିବାସୀ ଏକାଠି ହୋଇ ଏହି ଯାତ୍ରା ପାଳନ କରିବେ । ଯାହା ପାଇଁ ସୁଲିଆ କମିଟି ଗଠନ ହୋଇଛି ଏବଂ ସୁରୁଖୁରରେ ଯାତ୍ରା ସମ୍ପାଦନ ପାଇଁ ଏହି କମିଟିରେ ଆଲୋଚନା ହୋଇଛି । ସେହିପରି ଚଳିତ ବର୍ଷ ମଧ୍ୟ ୩ ଦିନ ଧରି ସୁଲିଆ ମହୋତ୍ସବ ପାଳନ ହେବ ଓ ଶେଷ ଦିନ ୭ ତାରିଖରେ ସୁଲିଆ ବଳି ଯାତ୍ରା ପାଳନ ହେବ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ଓ ସହଯୋଗ ପାଇଁ ପ୍ରଶାସନ ତଥା ପୋଲିସକୁ ପଦକ୍ଷେପ ନେବାକୁ ନିବେଦନ କରିଛି ସୁଲିଆ କମିଟି ।

ସୁଲିଆ କମିଟିର ସମ୍ପାଦକ ରୂପାଧର ପୁଟା କହିଛନ୍ତି," ଏଥର ସୁଲିଆ ମହୋତ୍ସବ ତିନି ଦିନ ଧରି ହେବ । ଜାନୁଆରୀ 5 ତାରିଖରୁ ସୁଲିଆ ମହୋତ୍ସବ ହେବ ଏବଂ ସାତ ତାରିଖରେ ଅର୍ଥାତ ପୌଷ ମାସ ପ୍ରଥମ ମଙ୍ଗଳବାର ଦିନ ସୁଲିଆ ବଳିଯାତ୍ରା ପାଳନ ହେବ । ଏଥିରେ କନ୍ଧ ଆଦିବାସୀମାନେ ରୀତିନୀତି ଅନୁସାରେ ସୁଲିଆ ବୁଢ଼ାଙ୍କ ପୂଜାର୍ଚ୍ଚନା କରିବେ । ଯେଉଁଥିରେ ଆମର ମୁଖ୍ୟ ଦେହୁରୀ ରାତି ଉଜାଗର ରହି ଭୋରରେ ନିଶିଗୁଡି ପୂଜା ହେବ ଏବଂ ପରେ ଉଦ୍ୟମାନ ସୂର୍ଯ୍ୟଙ୍କୁ ପୂଜା କରି ପାଟ ବୁକାର ବଳି ଚଢ଼ିବ । ଜିଲ୍ଲା ଓ ଜିଲ୍ଲା ବାହାର ତଥା ରାଜ୍ୟ ବାହାରୁ ଆସିଥିବା ଭକ୍ତମାନେ ମାନସିକ ପୂରଣ ପାଇଁ ପଶୁପକ୍ଷୀ ବଳି ଦେବା ସହ ଧୂପ ନଡ଼ିଆରେ ପୂଜା କରିବେ । ଚଳିତବର୍ଷ ସୁଲିଆ ଯାତ୍ରାକୁ ଧୂମଧାମରେ ପାଳନ କରିବୁ ।"

ବଲାଙ୍ଗୀର ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟର ପ୍ରସିଦ୍ଧ ପର୍ବ ସୁଲିଆ ଯାତ୍ରା । ଯେଉଁଥିରେ ସେମାନେ ପୂର୍ବ ପୁରୁଷ ସୁଲିଆ ବୁଢ଼ାଙ୍କୁ ପୂଜା କରଥାନ୍ତି । ତେବେ ବଲାଙ୍ଗୀର ଜିଲ୍ଲାର ମୁଖ୍ୟ ଖଇର ଗୁଡା, କୁମରିଆ, ମିର୍ଦ୍ଧା ପାଳି, ଦେଓଗାଁ ଓ ତୁଷରାର କିଛି ଅଞ୍ଚଳରେ ମୁଖ୍ୟତଃ ଆଦିବାସୀ ଏକାଠି ହୋଇ ଏହି ସୁଲିଆ ଯାତ୍ରା ପାଳନ କରିଥାନ୍ତି । ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ମାନ୍ୟତା ଅନୁସାରେ ହଜାର ହଜାର ପଶୁପକ୍ଷୀଙ୍କ ବଳି ମଧ୍ୟ ଦିଆଯାଇଥାଏ ।

0 Comments