_Noto_Sans_Fallback_fba9a0; font-size: 20px;"> ବଲାଙ୍ଗୀର ପଟଣାଗଡର ପର୍ଶୁରାମ ଛକରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ନିଆଁ ଲଗାଇ ପୋଡି ଦେଲେ ଦୁର୍ବୃତ୍ତ । ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ପଛରେ ଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେଡି ସାମ୍ବାଦିକ ସମ୍ମିଳନୀ କରିବା ସହ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଜଣେ ହୀନ ଓ ଦୁସ୍ଥ ମାନସିକତାର ବ୍ୟକ୍ତି ହୋଇଥିବେ । ଏ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏ ଘଟଣାରେ ଜଣେ ବ୍ୟକ୍ତି ଗିରଫ ହୋଇଛି । ଯଦି ଏହି ଘଟଣା ପଛରେ କିଛି ଷଡଯନ୍ତ୍ର ଥାଏ, ତେବେ ଏହାର ମଧ୍ୟ ପର୍ଦ୍ଦାଫାସ ହେବ । ରାଜ୍ୟର ସମସ୍ତ ବରପୁତ୍ରଙ୍କୁ ରାଜ୍ୟ ସରକାର ସମ୍ମାନ ଦେବାରେ ବିଶ୍ୱାସ କରନ୍ତି । ପୂଜ୍ୟପୂଜା ପାଇଁ ସମସ୍ତ ପଦକ୍ଷେପ ନେଇ ଆସୁଛନ୍ତି । ବିଜୁ ବାବୁଙ୍କ ପ୍ରତି ମୋର ବ୍ୟକ୍ତିଗତ ଭାବେ ଗଭୀର ସମ୍ମାନ ରହି ଆସିଛି । '' ନିକଟରେ ମାର୍ଚ୍ଚ 5 ତାରିଖରେ ବିଜୁବାବୁଙ୍କ ଜୟନ୍ତୀକୁ ରାଜ୍ୟ ସ୍ତରରେ ବିପୁଳ ଉତ୍ସାହର ସହ ପାଳନ କରାଯାଇଥିଲା । ସେଥିରେ ସେ ନିଜେ ଯୋଗ ଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ । ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ମଧ୍ୟ ଏପ୍ରଲ 17 ତାରିଖରେ ପାଳନ କରାଯିବ ।