ବଲାଙ୍ଗୀର: ଆରମ୍ଭ ହେଲା ଆଦିବାସୀ ଜନଜାତିଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ଆଦିବାସୀଙ୍କ ବିଭିନ୍ନ ବାଦ୍ୟଯନ୍ତ୍ର ପ୍ରତିଧ୍ବନିରେ ଉତ୍ସବମୁଖର ହୋଇଉଠିଛି ସୁଲିଆ ପୀଠ । ପାରମ୍ପାରିକ ରୀତିନୀତି ଅନୁଯାୟୀ ପୂର୍ବପୁରୁଷ ସୁଲିଆ ବୁଢାକୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ହଜାର ହଜାର ଶ୍ରଦ୍ଧାଳୁ ଓ ମାନସିକଧାରୀଙ୍କ ଭିଡ଼ ଜମିବା ଆରମ୍ଭ ହୋଇଛି । ଏହା ସହିତ ପଶୁବଳିରେ ରକ୍ତ ରଞ୍ଜିତ ହୋଇପଡ଼ିଛି ସମଗ୍ର ପୀଠ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ସଜାଗ ରହିଛି ।
ଆସ୍ଥା ଓ ବିଶ୍ୱାସର ଏହି ସୁଲିଆ ଯାତ୍ରାର ଇତିହାସ ବହୁ ପୁରାତନ ଅଟେ । ପୌଷ ମାସ ଶୁକ୍ଳ ପକ୍ଷ ପ୍ରଥମ ମଙ୍ଗଳବାରରେ ସୁଲିଆ ଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଯାତ୍ରା ପାଳନ ବିଷୟରେ ପୂର୍ବ ପୁରୁଷ ସୁଲିଆ ବୁଢାଙ୍କୁ ପୂ
ଜା କରିଥାନ୍ତି । ଆଦିବାସୀ ମାନ୍ୟତା ଅନୁଯାୟୀ ସୁଲିଆ ବୁଢା ପାଖରେ ସେମାନଙ୍କର ସବୁ ମାନସିକ ପୂରଣ ହୋଇଥାଏ । ଏହି ଯାତ୍ରା ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଠାରୁ ନେଇ ଜିଲ୍ଲା ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁ ଏଥିରେ ଯୋଗ ଦେଇଛନ୍ତି । ବିଶ୍ବାସ ରହିଛି ମାନମୋହିନୀ ସୁଲିଆ ଠାରେ ମନସ୍କାମନା କରିଲେ ତାହା ପୂରଣ ହୋଇଥାଏ । ଏହି ବିଶ୍ୱାସ ନେଇ ଲକ୍ଷାଧିକ ଭକ୍ତ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ଆଦିବାସୀଙ୍କ ପାରମ୍ପାରିକ ନୃତ୍ୟ ବାଦ୍ୟରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ପଡୁଛି ।
ଏହି ଯାତ୍ରା ଅବସରରେ ଆଜି(ମଙ୍ଗଳବାର) ପ୍ରାତଃ ସମୟରୁ ଲୋକେ ହଜାର ହଜାର ପଶୁପକ୍ଷୀଙ୍କ ବଳି ଦେଇଛନ୍ତି । ମାନସିକ ପୂରଣ ହେଲେ ଶ୍ରଦ୍ଧାଳୁମାନେ ସୁଲିଆ ବୁଢାଙ୍କ ନିକଟରେ ଧୂପ, ନଡ଼ିଆ ଓ ପଶୁପକ୍ଷୀ ବଳି ଅର୍ପଣ କରିଥାନ୍ତି । ପ୍ରଚଳିତ ପ୍ରଥା ପରମ୍ପରା ଅନୁସାରେ ଆଜି ଆଦିବାସୀ ପୂଜକ ସିଆଳ ପତ୍ର ପରିଧାନ କରି ପ୍ରଥମେ ସୁଲିଆ ବୁଢ଼ାଙ୍କ ଠାରେ ବାଉଁଶରେ ଚାଉଳ ଘିଅ ଭରି ପୂଜାର୍ଚ୍ଚନା କରିଥିଲେ । ପରେ ଉଦୀୟମାନ ସୂର୍ଯ୍ୟଙ୍କ ପୂଜା କରି ସୁଲିଆ ବୁଢ଼ାଙ୍କୁ ଆହ୍ୱାନ କରିଥିଲେ । ସୁଲିଆ ବୁଢ଼ାଙ୍କ ଠାରେ ନିଜର ଅର୍ଦ୍ଦଳି କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ଏଠି ସମାଗମ ଚଳିତବର୍ଷ ଦେଖିବାକୁ ମିଳିଛି ।
ବଲାଙ୍ଗୀର ଜିଲ୍ଲାର ପ୍ରମୁଖ 6ଟି ସ୍ଥାନରେ ଏହି ସୁଲିଆ ଯାତ୍ରା ପାଳନ ହେଉଛି । ମିର୍ଦ୍ଧା ପାଳି, ଘାତୁଳ, ଚାଣ୍ଟିପାଳି, କୁମାରିଆ, ଖଇରଗୁଡ଼ା ଓ ଖରଳିକାନି ଠାରେ ସୁଲିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ । ତନ୍ମଧ୍ୟରୁ ଖଇରଗୁଡା ଠାରେ ସ୍ଥିତ ମୁଖ୍ୟ ସୁଲିଆ ପୀଠରେ ପ୍ରବଳ ଜନସମାଗମ ହୋଇଛି । ଏଠାରେ ଭୋର ସମୟରୁ ସୁଲିଆ ଯାତ୍ରା ଆରମ୍ଭ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ୍ୟଧିକ ପଶୁ ପକ୍ଷୀଙ୍କ ବଳି ପଡିସାରିଛି । ଆଦିବାସୀ ପରମ୍ପରା ଅନୁସାରେ ଏହି ଯାତ୍ରା ପାଳନ ହେଉଛି । ଏବଂ ପୋଲିସ ପ୍ରଶାସନ ଏଠାରେ ଶାନ୍ତି ଶୃଙ୍ଖଳା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେଇଛନ୍ତି ।
ହାଇକୋର୍ଟ ସୁଲିଆ ନାଁରେ ବଳି ଉପରେ ରୋକ ଲଗାଇ ଥିଲେ । ହେଲେ ଆଦିବାସୀ ସଂଗଠନ ମାନେ ଏହାକୁ ନେଇ ଦେଶର ସର୍ବୋଚ୍ଚ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । 2015 ମସିହାରେ ସୁପ୍ରିମକୋର୍ଟ ଆଦିବାସୀଙ୍କ ପରମ୍ପରା ଓ ରୀତିନୀତି ଉପରେ କୌଣସି ହସ୍ତକ୍ଷେପ ହୋଇ ପାରିବ ନାହିଁ ବୋଲି ଆଦିବାସୀଙ୍କ ସପକ୍ଷରେ ରାୟ ଦେଇଥିଲେ । ସେହିଦିନ ଠାରୁ ଆଦିବାସୀ ଏଠାରେ ତାଙ୍କର ସୁଲିଆ ଯାତ୍ରା ପୂର୍ବ ରୀତିନୀତି ଅନୁସାରେ ପାଳନ କରି ଆସୁଛନ୍ତି ।