ବଲାଙ୍ଗୀର: ଅପରାଜେୟ ନବୀନଙ୍କୁ ଚଖାଇଲେ ପରାଜୟ ସ୍ବାଦ । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଟର୍ଚ୍ଚା । କିଏ ଏହି ଲକ୍ଷ୍ମଣ ବାଗ୍‌ । ଯିଏ ନବୀନଙ୍କ ବିଜୟରେ ଲଗାଇଲେ ବିରାମ । ଅପରାଜେୟ ନବୀନଙ୍କଠୁ ଛଡାଇ ନେଲେ ଟ୍ୟାଗ । କଣ୍ଟାବାଞ୍ଜିରେ ନବୀନଙ୍କ ପାଇଁ ସାଜିଲେ କଣ୍ଟା । ଲକ୍ଷ୍ମଣଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ବଲାଙ୍ଗୀର ବିଜେପି ଖୁସିରେ ଝୁମୁଛି । ଏପରିକି ମୋଦି ଆସି ଲକ୍ଷ୍ମଣଙ୍କ ପାଇଁ ଭୋଟ ମାଗିଥିଲେ । ପ୍ରଚାର ବେଳେ ଦେଇଥିଲେ ‘ବାଘ’ର ଆଖ୍ୟା ।

ବଲାଙ୍ଗୀରର ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ଯେଉଁଠୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋଇଥିଲେ ପ୍ରାର୍ଥୀ । ତେବେ ତାଙ୍କ ସମ୍ମୁଖରେ ଅନ୍ୟ ପ୍ରାର୍ଥୀ ଅତି ଗୌଣ ହୋଇଥିବା ବେଳେ ଏକତରଫା ବିଜୟ ହେବ ବୋଲି ଆକଳନ କରାଯାଇଥିଲା । ହେଲେ ଏହାର ଓଲଟା ସମସ୍ତଙ୍କୁ ଚକିତ କଲା ଭଳି ଜଣେ ସାଧାରଣ ଚାଷୀ ତାଙ୍କୁ ଏକ ବଡ ବ୍ୟବଧାନରେ ପରାସ୍ତ କରିଛନ୍ତି । ସେ ହେଉଛନ୍ତି କଣ୍ଟାବାଞ୍ଜିର ଚଷା ପୁଅ ଲକ୍ଷ୍ମଣ ବାଗ । ରାଜନୀତିରେ ସେ ବେଶୀ ପୁରୁଣା କିମ୍ବା ବଡ ନେତା ନୁହନ୍ତି । ସେ ଜଣେ ସାଧାରଣ ବ୍ୟକ୍ତି ଭାବରେ କଣ୍ଟାବାଞ୍ଜିରେ ପରିଚିତ । ତେବେ ଗତ କୋଡିଏ ବର୍ଷ ହେବ ସେ ବିଜେପିରେ ଯୋଗଦାନ କରିଥିଲେ। କଣ୍ଟାବାଞ୍ଜିରେ ବିଜେପି ଦଳକୁ ସୁଦୃଢ଼ କରିବା ପାଇଁ କାମ କରି ଆସୁଥିଲେ । ସେ କଣ୍ଟାବାଞ୍ଜି ନିକଟ କୁଠୁଲୁମୁଣ୍ଡା ଗ୍ରାମର ନିବାସୀ ହୋଇଥିବା ବେଳେ ପାରିବାରିକ ଜମିରେ ଚାଷ ତ

ାଙ୍କର ରୋଜଗାରର ମୁଖ ମାଧ୍ୟମ ଅଟେ ।

ଲକ୍ଷ୍ମଣ ବାଗ ବିଜେପିରେ ଯୋଗଦାନ କରିବା ପରେ ଗତ 2014ରେ ବିଜେପି ଦଳରୁ ପ୍ରଥମ ଥର କଣ୍ଟାବାଞ୍ଜି ପ୍ରାର୍ଥୀ ହୋଇଥିଲେ । 17 ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନରେ ପରାଜିତ ହୋଇଥିଲେ । ସେହିପରି ଗତ 2019 ନିର୍ବାଚନରେ ମଧ୍ୟରେ ବିଜେପି ଦଳରୁ ପ୍ରାର୍ଥୀ ହୋଇଥିଲେ । 33 ପ୍ରତିଶତ ଭୋଟ ପାଇ ସେ କଂଗ୍ରେସ ପ୍ରାର୍ଥୀ ଠାରୁ ମାତ୍ର 138 ଭୋଟରେ ପରାଜିତ ହୋଇଥିଲେ । ଏହା ପରେ ସେ ଏଠି ତାଙ୍କର ସଂଗଠନ ସହିତ ଦଳକୁ ସୁଦୃଢ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ସେହିପରି ଏଥର ମଧ୍ୟ ସେ ଏଠୁ ବିଜେପି ଦଳରୁ ପ୍ରାର୍ଥୀ ହୋଇଥିଲେ । ବିଜେପିରୁ ଟିକେଟ ପାଇଥିଲେ ହେଲେ ଏଥର ସ୍ଥିତି ତାଙ୍କ ପାଇଁ ସହଜ ନଥିଲା । କାରଣ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋଇଥିଲେ । ତେବେ ନବୀନଙ୍କ ପାଇଁ ବଡ ବଡ ବିଜେଡି ନେତା ଓ ଏଠି ନିୟୋଜିତ ହୋଇଥିଲେ ।

ନବୀନ ପଟ୍ଟନାୟକ ଏକ ତରଫା ଏଠି ବିଜୟ ହାସଲ କରିବେ ବୋଲି ସଭିଏଁ ଆକଳନ କରିଥିଲେ । ଏପରିକି ଏଠିକାର କଂଗ୍ରେସ ନେତା ମାନେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଆଶା ଛାଡି ଦେଇଥିଲେ । ଏପରିକି ଅନେକ କଂଗ୍ରେସ ନେତା ବିଜେଡିରେ ସାମିଲ ହୋଇଥିଲେ । ସ୍ଥିତି ଏକ ତରଫା ହୋଇଥିଲା । ହେଲେ ଏଭଳି ବିଷମ ପରିସ୍ଥିତିରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ଦୃଢ଼ ମନୋବଳ ସହ ଲଢେ଼ଇ ପାଇଁ ଆଗକୁ ଆସିଥିଲେ । ଦିନ ରାତି ଗାଁ ଗାଁ ବୁଲି ତାଙ୍କର ପ୍ରଚାର ଜାରି ରଖିଥିଲେ । ତେବେ ତାଙ୍କର ପରିଶ୍ରମକୁ ସଫଳ ମଣ୍ଡିତ କରିବା ପାଇଁ ଛତିଶ ମୁଖ୍ୟମନ୍ତ୍ରୀ ସହ ରାଜ୍ୟ ଓ ଜାତୀୟ ବିଜେପି ଆଗ ଧାଡ଼ିର ନେତା ପ୍ରଚାର ମଙ୍ଗ ଧରିଥିଲେ।

ତେବେ ଲକ୍ଷ୍ମଣ ବାଗ କଣ୍ଟାବାଞ୍ଜି ନିକଟ କୁଠୁଲୁ ମୁଣ୍ଡା ଗ୍ରାମର ଜଣେ ସାଧାରଣ ଚାଷୀ ଅଟନ୍ତି । ଚାଷ ହିଁ ତାଙ୍କର ରୋଜଗାରର ମୁଖ୍ୟ ଉତ୍ସ ଅଟେ । ସେହିପରି ସେ ମାଟ୍ରିକ ପାସ ପରେ ଆହ୍ଲାବାଦ ଓପନ ୟୁନିଭରସିଟିରୁ (ଡିସଟାନ୍ସ) ଯୁକ୍ତ ଦୁଇ ପାସ କରିଛନ୍ତି । ସେହିପରି ତାଙ୍କର ବ୍ୟାଙ୍କ ଏକାଉଣ୍ଟରେ ଚାରି ଲକ୍ଷରୁ ମାତ୍ର କିଛି ଟଙ୍କା ଜମା ରହିଛି । ସେହିପରି ଦୁଇଟି ଚାରି ଚକିଆ ଗାଡି ତାଙ୍କ ନାଁରେ ଥିବା ବେଳେ ମୋଟ ତାଙ୍କ ନାଁରେ 28 ଲକ୍ଷ ଟଙ୍କାର ଜମି ଜମା ସମ୍ପତ୍ତି ରହିଛି । ଚାଷରୁ ସେ ବାର୍ଷିକ ଦୁଇରୁ ଚାରି ଲକ୍ଷ ରୋଜଗାର ଥିବାର ସେ ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି । ସେହିପରି ତାଙ୍କ ନାଁରେ 12ଟି ଅପରାଧିକ ମାମଲା ଥିବାର ସେ ଦର୍ଶାଇ ଥିବା ବେଳେ ସେ ଏଯାଏଁ କୌଣସି ମାମଲାରେ ଦୋଷୀ ନ ଥିବାର ଦର୍ଶାଇଛନ୍ତି।

ତେବେ ବିଜୟ ହେବା ପରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘‘25 ବର୍ଷର ଉତ୍ପୀଡନର ଜବାବ ଲୋକେ ଦେଇଛନ୍ତି । ତାଙ୍କୁ ସ୍ନେହ ଆଶୀର୍ବାଦ ଦେଇ ଭୋଟ ଦେଇଛନ୍ତି । ଯାହା ତାଙ୍କର ବିଜୟ ନୁହେଁ ଲୋକଙ୍କର ବିଜୟ’’। ତେବେ ଲୋକ ତାଙ୍କୁ 16 ହଜାରରୁ ଅଧିକ ଭୋଟ ଦେଇ ଜୟଯୁକ୍ତ କରିଛନ୍ତି । ଲୋକଙ୍କ ପାଇଁ ସେ ଦିନ ରାତି କାମ କରିବେ ବୋଲି ସେ କହିଛନ୍ତି। ସେହିପରି ବିକାଶ ଏବେ କଣ୍ଟାବାଞ୍ଜି ଦେଖିବ ବୋଲି ସେ କହିଛନ୍ତି ।

0 Comments