ବଲାଙ୍ଗୀର: ବଲାଙ୍ଗୀର ମାଟି ପାଲଟିଛି ରାଜନୈତିକ ପ୍ରତିସ୍ପର୍ଦ୍ଧାର ମୈଦାନ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀରରେ ସମାବେଶ କରି ମୁଖ୍ୟମନ୍ତ୍ରୀ ଓ ବିଜେଡିକୁ ଟାର୍ଗେଟ କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଓ ବିଜେପିକୁ ପାଲଟା ଜବାବ ଦେଇଛନ୍ତି । ବଲାଙ୍ଗୀର ମାରାଥନ ଗସ୍ତରେ ଆସି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନୋଟି ସ୍ଥାନରେ ପ୍ରଚାର କରିଛନ୍ତି । ପ୍ରଥମେ ସେ କଳାହାଣ୍ଡି ଜିଲ୍ଲାରୁ ଆସି ସିନ୍ଧେକେଲା ହେଲିପେଡରୁ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା ଠାରେ ଏକ ବିଶାଳ ଜନ ସମାବେଶରେ ଲୋକଙ୍କୁ ଉଦବୋଧନ ଦେଇଥିଲେ । ନିଜେ ନବୀନ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପାଇଁ ତଥା ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ସେହିପରି ପରେ ସେ ମୁରିବାହାଲ ବ୍ଲକ ଯାଇ ସେଠି ଆୟୋଜିତ ବିଶାଳ ଜନ ସମାବେଶରେ ସାମିଲ ହୋଇଥିଲେ ।

ଜନସମାବେଶରେ ନବୀନ ବିରୋଧୀଙ୍କୁ ଟାର୍ଗେଟ କରିବା ସହ ତାଙ୍କ ଅଭିଭାଷଣରେ ବିଜେଡି ସରକାର ଦ୍ବାରା କରାଯାଉଥିବା ଜନକଲ୍ୟାଣ ଯୋଜନା ସବୁ ଉପରେ ଆଲୋକପାତ କରିଥିଲେ । ଆଗକୁ ଓଡ଼ିଶାର ଲୋକଙ୍କ ପାଇଁ ପୁରୁଣା ବିଦ୍ୟୁତ ବିଲ ରଦ୍ଦ ହେବାର ଘୋଷଣା କରିଥିଲେ । ସେହିପରି ସେ ବିଜେପିକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି ମିଛ କହୁଥିବାର କହିଥିଲେ ଏଵଂ କୁମ୍ଭୀର କାନ୍ଦଣା କରୁଥିବା କହି ବିଜେଡିକୁ ଭୋଟ ଦେବା ପାଇଁ ଅପିଲ କରିଥିଲେ । ସେହିପରି ଆଜି ତାଙ୍କ ସହ ୫ଟି ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନ ମଧ୍ୟ ଆସିଥିଲେ । ନିଜ ଅଭିଭାଷଣରେ ସେ ବିଜେପି ସମ୍ପୂର୍ଣ୍ଣ ମିଛ କହୁଥିବାର କହିଥିଲେ । ଯେଉଁଥିରେ ନିକଟରେ ଏଠି ପ୍ରଧାନମନ୍ତ୍ରୀ ମୋଦି ଆସି ଧାନ ମୂଲ୍ୟ 31 ଶହ କରିବାର କହିଥିଲେ । ହେଲେ ଧାନର ମୂଲ୍ୟ ନିର୍ଦ୍ଧାରଣ କରିବାର କ୍ଷମତା କେବଳ କେନ୍ଦ୍ରର ଥିବା ବେଳେ ଦଶ ବର୍ଷ ହେବ ସେମାନେ କେଉଁଠି ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏବେ ହାରିବାର ଭୟ ଥିବା ବେଳେ ଏଭଳି ମିଛ ଘୋଷଣା କରିଥିବାର ସେ କହିଛନ୍ତି ।

ସେହିପରି ବିଜେପି ସରକାର ଆସିଲେ ବିଦ୍ୟୁତ 100 ୟୁନିଟ ମାଗଣା ଦିଆଯିବ ବୋଲି ମୋଦି କହିଛନ୍ତି ଯାହା ଦିନରେ ଲଣ୍ଠନ ଲୋକଙ୍କୁ ଦେଖାଉଛନ୍ତି ବୋଲି ସେ କହିଛନ୍ତି । କାରଣ ଲୋକଙ୍କଠୁ ପଚାଶ ହଜାର ଟଙ୍କା ନେଇ ତାଙ୍କ ଘରେ ହିଁ ସୌର ବିଦ୍ୟୁତ ବ୍ୟବସ୍ଥା କରିବେ ଓ ଲୁଟ କରିବେ ବୋଲି ସେ କହିଛନ୍ତି । ସମାନ ଭାବରେ ଆୟୁଷ୍ମାନ ଯୋଜନାରେ ଓଡ଼ିଶାର ମାତ୍ର 45 ପ୍ରତିଶତ ଲୋକେ ଉପକୃତ ହୋଇଥାଆନ୍ତି । ହେଲେ ବିଜେଡ଼ି ନବୀନ ସରକାର ବିଏସକେୱାଇ ଯୋଜନାରେ 90 ପ୍ରତିଶତ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ମାଗଣା ଯୋଗାଉଥିବାର ସେ କହିଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ମୋଦି ଭୟ କରୁଥିବା ବେଳେ ମିଛ କଥା ଏଠି କହିଯାଇଛନ୍ତି ବୋଲି ସେ କହିଛନ୍ତି ଏବଂ ଆଗାମୀ ଜୁନ ୧୦ରେ ନବୀନ ପଟ୍ଟନାୟକ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ କହିଛନ୍ତି ।

ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଆସି ପହଞ୍ଚି ଥିଲେ ଏବଂ ରୋଡ଼ ସୋରେ ଆସି ସ୍ଥାନୀୟ କଳାମଣ୍ଡଳ ପଡ଼ିଆରେ ବିଶାଳ ଜନ ସମାବେଶରେ ଯୋଗ ଦେଇଥିଲେ । ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ସାତଟି ବିଧାୟକ ପ୍ରାର୍ଥୀ ତଥା ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ବଲାଙ୍ଗୀର ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହ ଦେଓ, ଟିଟିଲାଗଡ଼ ବିଧାୟକ ପ୍ରାର୍ଥିନୀ ଟୁକୁନି ସାହୁ, ପାଟଣାଗଡ ବିଧାୟକ ପ୍ରାର୍ଥୀ ସରୋଜ ମେହେର, ଲୋଇସିଂହା ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରା ଓ ସୋନପୁର ଜିଲ୍ଲା ବୀରମହାରାଜପୁର ପ୍ରାର୍ଥୀ ପଦ୍ମନାଭ ବେହେରା ଓ ସୋନପୁର ପ୍ରାର୍ଥୀ ନିରଞ୍ଜନ ବେହେରାଙ୍କ ପାଇଁ ସେ ଭୋଟ ଭିକ୍ଷା କରିଥିଲେ ।

0 Comments