ବାଲେଶ୍ବର: ନିର୍ବାଚନକୁ ଦୃଷ୍ଟିରେ ରଖି ଚାଲିଛି

ଜୋରଦାର ଚେକିଂ । ଆଜି ପଶ୍ଚିମବଙ୍ଗରୁ ଓଡ଼ିଶା ଅଭିମୁଖେ ପ୍ରାୟ 1 କୋଟି ଟଙ୍କାର ସୁନା ଆସୁଥିବା ବେଳେ SST ଟିମ ଦ୍ୱାରା ଜବତ କରାଯାଇଛି । ଏଥିରେ ଡ୍ରାଇଭର ସମେତ 3 ଜଣଙ୍କୁ ଅଟକ ରଖାଯାଇଛି । ସେହିପରି ଅନ୍ୟ ଏକ ଗାଡିରୁ ଜଣେ ଠିକାଦାରଙ୍କ ଠାରୁ ପ୍ରାୟ 4 ଲକ୍ଷ ଟଙ୍କା ଜବତ କରାଯାଇଛି । ଉଭୟ ଘଟଣାକୁ ନେଇ ନେଇ ତଦନ୍ତ ଜାରି ରହିଛି ।

ତେବେ ରାଜ୍ୟରେ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଯାନବାହାନକୁ କଡ଼ାକଡ଼ି ଯାଞ୍ଚ କରାଯାଉଛି । ଆଜି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଓଡ଼ିଶା ପଶ୍ଚିମବଙ୍ଗ ସୀମାରେ ପୋଲିସ, ଫ୍ଲାଇଙ୍ଗ ସ୍କ୍ବାଡ, ଏସଏସଟି ବିଭାଗ ଓ ଆୟକର ବିଭାଗ ତରଫରୁ ଯାଞ୍ଚ ଜାରି ରହିଥିଲା । ଆଜି ଅପରାହ୍ନ ସମୟରେ ପଶ୍ଚିମବଙ୍ଗ କୋଲକାତାରୁ ଦୀଘା ଦେଇ ୫୭ନଂ ରାଜ୍ୟ ରାଜପଥ ଦେଇ ଓଡ଼ିଶା ବାରିପଦା ଅଭିମୁଖେ ଏକ ଚାରିଚକିଆ ଗାଡ଼ିରେ ସୁନା ଭର୍ତ୍ତି ହୋଇ ଆସୁଥିଲା । ଆମ୍ବଳିଅଠାଠାରେ ଏସଏସଟି ବିଭାଗ ପକ୍ଷରୁ ଚେକିଂ ବେଳେ ବିଭାଗ ତରଫରୁ ଗାଡି ଭିତରେ ପ୍ରଚୁର ପରିମାଣରେ ସୁନା ଗହଣା ଥିବା ଦେଖିବାକୁ ପାଇଥିଲେ । ସୁନା ସହ ଉକ୍ତ ଗାଡିକୁ ଜବତ କରିବା ସହିତ ୩ ଜଣଙ୍କୁ ଅଟକ ରଖି ଜଳେଶ୍ୱର ପୋଲିସ ତଦନ୍ତ ଜାରି ରଖିଛି । ତେବେ ଜବତ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ 1 କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।

ସେହିପରି ଆଜି ପଶ୍ଚିମବଙ୍ଗ ପାଉଁଶକୁଡା ପାର୍ଶ୍ବରୁ WB 02A L9567 ନଂ ବିଶିଷ୍ଟ ଏକ କାର ୬୦ନଂ ଜାତୀୟ ରାଜପଥ ଦେଇ ଓଡ଼ିଶା ଅଭିମୁଖେ ଆସୁଥିଲା । ବାଲେଶ୍ବରର ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନାକା ପଏଣ୍ଟ ନିକଟରେ ପୋଲିସ କାରକୁ ଅଟକାଇ ଯାଞ୍ଚ କରିଥିଲେ । ଏହି ସମୟରେ କାର ମଧ୍ୟରୁ ଜଣେ ଠିକାଦାରଙ୍କ ଠାରୁ ନଗଦ ୪ଲକ୍ଷ ଟଙ୍କା ଜବତ କରାଯାଇଛି । ତେବେ ଟଙ୍କା ଜବତ କରାଯିବା ସହିତ କାର ଡ୍ରାଇଭର ଓ ଠିକାଦାରଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ।

0 Comments