ଭୁବନେଶ୍ବର: ନକଲି ସସ୍‌ ଫ୍ୟାକ୍ଟ୍ରିରେ ବଡ଼ ଧରଣର ରେଡ୍‌ । ଚଢ଼ାଉ କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ । ଭୁବନେଶ୍ବର ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନୀରେ ସ୍ପେଶାଲ ସ୍କ୍ବାଡ ଓ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ମିଳିତ ଚଢ଼ାଉ ପରେ ସାମ୍ନାକୁ ଆସିଛି ଖାଦ୍ୟରେ ସାଙ୍ଘାତିକ ଅପମିଶ୍ରଣର ଜାଲିଆତି । ଚଢ଼ାଉ ବେଳେ ଜବତ ହେଲା ବିପୁଳ ପରିମାଣର ନକଲି ସସ, ରଙ୍ଗ ଓ କଞ୍ଚାମାଲ । ଏହା ସହ ସସ୍‌ ତିଆରି ହେଉଥିବା କିଛି ମେସିନ ମଧ୍ୟ ଜବତ କରାଯାଇଛି ।

ସାଧାରଣ ଲୋକଙ୍କ ଜୀବନ ସହ ଖେଳ । ବିନା ଟମାଟୋ ଓ ବିନା ଲଙ୍କାରେ ପ୍ରସ୍ତୁତ ହେଉଥିଲା ସସ୍‌ । ଅର୍ଥାତ୍ ଟମାଟୋ ପାଉଡର ଓ ଲଙ୍କା ପାଉଡରକୁ ୟୁରିଆ ଓ ଚାଉଳ ଗୁଣ୍ଡରେ ମିଶାଇ ପ୍ରସ୍ତୁତ ହେଉଥିଲା ନକଲି ସସ୍ । ସେସବୁକୁ ଅପମିଶ୍ରଣ କରି ଏଭଳି ସସ୍ ପ୍ରସ୍ତୁତ ହେଉଥିଲା ଯାହା ଦେଖିବାକୁ ଅବିକଳ ଅସଲି ସସ୍‌ ପରି । ନକଲି ସସ୍‌ ତିଆରି

କରି ବେଆଇନ ଭାବେ ଟ୍ୟାଗ ଲଗାଇ ବିକ୍ରି ପାଇଁ ବଜାରକୁ ପଠାଯାଉଥିଲା । ଭୁବନେଶ୍ୱର ଭୀମଟାଙ୍ଗୀ ଅଞ୍ଚଳରେ ଏଭଳି ନକଲି ସସ୍‌ ତିଆରି ହେଉଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବାଇଥିଲା କମିଶନରେଟ ପୋଲିସ ।

ସେପଟେ ସୂଚନା ପାଇବା ପରେ ଖାଦ୍ୟ ସୁରକ୍ଷା ବିଭାଗ ସହାୟତାରେ ଚଢ଼ାଉ କରିଥିଲା ସ୍ପେଶାଲ ସ୍କ୍ୱାଡ । ଚଢ଼ାଉ ବେଳେ ପେଟି ପେଟି ଚିଲି ଓ ଟମାଟ ସସ୍ ପ୍ୟାକିଂର ବଟଲ ଜବତ କରଯାଇଛି । ଏହାସହ ଅସ୍ବାସ୍ଥ୍ୟକର ପରିସ୍ଥିତିରେ ତିଆରି ହେଉଥିବା ମେସିନ ସହ ରନ୍ଧା ସାମଗ୍ରୀ, ରଙ୍ଗ, ୟୁରିଆ ପାଉଡର, ଚାଉଳ ଗୁଣ୍ଡ, ଅଟା ଓ ମଇଦା ଆଦି ଅନ୍ୟାନ୍ୟ ଅପମିଶ୍ରିତ ସାମଗ୍ରୀ ଜବତ କରାଯାଇଛି । ଏପରିକି ରେଡ ବେଳେ ଜଣାପଡିଛି ଯେ, ସବୁ ସସ୍‌ ବଟଲକୁ ବିୟର ଓ ମଦ ପାଇଁ ବ୍ୟବହାର ହେଉଥିବା କାଗଜ ପେଟିକୁ ଓଲଟାଇ ପ୍ୟାକ କରାଯାଇ ବଜାରକୁ ଛଡାଯାଉଥିଲା । ଏନେଇ 3 ଜଣ ମିସ୍ତ୍ରୀଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସର ସ୍ପେଶାଲ ଟିମ୍ ।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, "ଭୁବନେଶ୍ୱର ଭୀମଟାଙ୍ଗୀ ଅଞ୍ଚଳରେ ନକଲି ସସ୍‌ ପ୍ରସ୍ତୁତ ହେଉଥିବା ନେଇ ପୋଲିସକୁ ଖବର ମିଳିଥିଲା । ଏହାପରେ ଖାଦ୍ୟ ସୁରକ୍ଷା ବିଭାଗ ସହାୟତାରେ ଉକ୍ତ ନକଲି ସସ୍‌ କାରଖାନା ଉପରେ ଚଢ଼ାଉ କରାଯାଇଥିଲା । ବିଭିନ୍ନ ଦିଗକୁ ଉଲ୍ଲଙ୍ଘନ କରି ଅସ୍ୱାସ୍ଥ୍ୟକର ପରିସ୍ଥିତିରେ ଏହି ନକଲି ସସ୍‌ ଫ୍ୟାକ୍ଟ୍ରି ଚାଲୁଥିବା ଜଣାପଡିଛି । ଏନେଇ ସମସ୍ତ ସସ୍‌ ବଟଲ ଜବତ ସହ କାରଖାନାରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । କାରଖାନାକୁ ସିଲ୍ କରାଯାଇଛି । ଏନେଇ 3 ଜଣଙ୍କୁ ଅଟକ ରଖାଯାଇଛି । ଅମ୍ରିତା ଫୁଡସ୍‌ ନାଁରେ କମ୍ପାନୀ ଚାଲୁଥିବା ଜଣାପଡିଛି ।"

ତେବେ ବିଶେଷ କରି ବଜାରରେ ବିକ୍ରି ହେଉଥିବା ଫାଷ୍ଟ ଫୁଡ୍ ଓ ଅନ୍ୟାନ୍ୟ ମସଲା ଯୁକ୍ତ ଖାଦ୍ୟ ଦୋକାନରେ ଏଭଳି ଅପମିଶ୍ରିତ ସସ୍‌କୁ ବ୍ୟବହାର କରାଯାଉଥିଲା । ଏପରିକି ବଜାରର ଅନ୍ୟ ସସ୍‌ କମ୍ପାନୀ ଭଳି ଏହି ନକଲି ସସ୍‌କୁ ପ୍ୟାକିଂ କରି ବିକ୍ରି କରାଯାଉଥିଲା । ଅନ୍ୟ ବ୍ରଣ୍ଡ କମ୍ପାନୀର ଦାମ୍‌ ଠାରୁ ଏସବୁ ନକଲି ଜିନିଷ ଟିକେ ଶସ୍ତାରେ ମିଳୁଥିବାରୁ କିଛି ଦୋକାନୀ ଏହାକୁ କମ୍‌ ଟଙ୍କାରେ କିଣି ହୋଟେଲ, ଫାଷ୍ଟ ଫୁଡ୍ ଓ ଅନ୍ୟାନ୍ୟ ଦୋକାନରେ ବ୍ୟବହାର କରୁଥିଲେ । ବର୍ତ୍ତମାନ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଜରିଆରେ ସବୁ ସାମଗ୍ରୀର ସାମ୍ପୁଲ୍ ଟେଷ୍ଟ ପାଇଁ ପଠା ଯାଇଥିବା ବେଳେ ଫାକ୍ଟ୍ରି ସିଲ୍ କରିଛି ପୋଲିସ୍ । ଏହା ସହ ଏସବୁ କଞ୍ଚାମାଲ କେଉଁଠୁ ଆସୁଥିଲା ଓ ଫାକ୍ଟ୍ରି ମାଲିକ କିଏ ସେନେଇ ଖୋଳତାଡ ଆରମ୍ଭ କରିଛି ପୋଲିସ ।

0 Comments