ଆଉ ମାତ୍ର କିଛି ଘଣ୍ଟା ପରେ ରାଷ୍ଟ୍ରମୁଖ୍ୟ ବାଛିବା ପାଇଁ ଭୋଟ ଦେବ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଏହାର ଫଳାଫଳ ଉପରେ ସମଗ୍ର ବିଶ୍ୱର ନଜର ରହିଛି । ଚଳିତଥର ପ୍ରାର୍ଥୀ ହୋଇଥିବା ଉପରାଷ୍ଟ୍ରପତିଙ୍କ ସହ ମୁକାବିଲା କରୁଛନ୍ତି ଜଣେ ପୂର୍ବତନ ରାଷ୍ଟ୍ରପତି । ବିରୋଧୀ ଦଳ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଭାବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୈଦାନରେ ଥିବା ବେଳେ ଶାସକ ଦଳର ପ୍ରାର୍ଥୀ ହୋଇଛନ୍ତି ଉପ-ରାଷ୍ଟ୍ରପତି କମଲା ହାରିସ । ତେବେ ଉଭୟ ପ୍ରାର୍ଥୀ କିଛି ଭିନ୍ନ ରେକର୍ଡ କରିବାକୁ ଯାଉଛନ୍ତି ।

ଟ୍ରମ୍ପ ବିଜୟୀ ହେଲେ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବେ । ସେହିପରି କମଲା ବିଜୟୀ ହେଲେ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଇତିହାସ ରଚିବେ । ଆମେରିକୀୟ ବିଧି-ବ୍ୟବସ୍ଥା ଅନୁସାରେ, ୨୦୨୫ ଜାନୁଆରୀ ୨୦ ତାରିଖରେ ଏହି ନିର୍ବାଚନ ପ୍ରକ୍ରିୟା ଶେଷ ହେବା ସହ ନୂତନ ରାଷ୍ଟ୍ରପତି ସଂସଦରେ ଶପଥ ଗ୍ରହଣ କରିବେ ।

ଆମେରିକାରେ ରାଷ୍ଟ୍ରପତୀୟ ଶାସନ ବ୍ୟବସ୍ଥା କାର୍ଯ୍ୟକାର

ହେଉଛି । ଅର୍ଥାତ ଦେଶର ସାମ୍ବିଧାନିକ ମୁଖ୍ୟ ରାଷ୍ଟ୍ରପତି । ସେ 4 ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି ଓ ଜଣେ ବ୍ୟକ୍ତି ସର୍ବାଧିକ ଦୁଇଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇପାରିବେ । ଭାରତ କିମ୍ବା ଅନ୍ୟ ଦେଶ ପରି ଏକାଧିକ ଥର ନୁହେଁ । ପ୍ରତି 4 ବର୍ଷରେ ଥରେ ଏଠାରେ ନିର୍ବାଚନ ହୋଇଥାଏ । ତେବେ ଆମେରିକା ‘କଂଗ୍ରେସ’ (ଜାତୀୟ ବ୍ୟବସ୍ଥାପିକା ବା ସଂସଦ)ରେ ମୋଟ ଦୁଇଟି ସଦନ ରହିଛି । ଉଚ୍ଚ ସଦନ ‘ସିନେଟ୍‌’ ଓ ନିମ୍ନ ସଦନ ‘ପ୍ରତିନିଧି ସଭା’ । ଅନ୍ୟାନ୍ୟ ଗଣତନ୍ତ୍ର ପରି ନିମ୍ନ ସଦନଟି ହିଁ ପ୍ରାୟତଃ ଅଧିକ ଆସନ ବିଶିଷ୍ଟ ଓ ସଂଖ୍ୟା ଦୃଷ୍ଟିରୁ ଶକ୍ତିଶାଳୀ ମଧ୍ୟ । ଉଭୟ ଗୃହରେ ମୋଟ 538 ଚୟନକର୍ତ୍ତା ବା ‘ଇଲେକ୍ଟର’ ଅଛନ୍ତି ।

ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ବିଧି ମଧ୍ୟ ପୂର୍ବ ନିର୍ଦ୍ଧାରିତ ହୋଇଥାଏ । ଭୋଟ ଗ୍ରହଣ ନଭେମ୍ବର ୫ରେ ହେଉଥିବା ବେଳେ, ଜାନୁଆରୀ 20 ତାରିଖରେ ଶପଥ ନିଅନ୍ତି ନୂଆ ରାଷ୍ଟ୍ରପତି । ସଂସଦରେ ଆୟୋଜିତ ଶପଥ ବିଧି କାର୍ଯ୍ୟକ୍ରମରେ ସେ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କ ଦ୍ୱାରା ପଦ ଓ ଗୋପନୀୟତାର ଶପଥ ପାଠ କରନ୍ତି । ଏହାସହ ପରବର୍ତ୍ତୀ 4 ବର୍ଷ ପର୍ଯ୍ୟନ୍ତ ଆମେରିକୀୟ ବ୍ୟବସ୍ଥାର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରନ୍ତି ।

0 Comments