ଆସନ୍ତାକାଲି ସର୍ବ-ଶକ୍ତିଶାଳୀ ଦେଶ ଆମେରିକା ଉପରେ ସମଗ୍ର ବିଶ୍ବର ନଜର ରହିବ । 47ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ନବ-ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଦ୍ବିତୀୟ ଥର ପାଇଁ ହ୍ବାଇଟ ହାଉସରେ ପ୍ରବେଶ କରିବେ ଟ୍ରମ୍ପ । ଏନେଇ ବିଶାଳ ଆୟୋଜନ କରାଯାଇଛି । ସାରା ବିଶ୍ବରୁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ସମାରୋହରେ ସାମିଲ ହେବାକୁ ନିମନ୍ତ୍ରିତ ହୋଇଛନ୍ତି ।

ଆମେରିକୀୟ ସାମ୍ବିଧାନିକ ପରମ୍ପରା ଅନୁସାରେ, ରାଜଧାନୀ ଓ୍ବାଶିଂଟନ-ଡିସିରେ ଥିବା କ୍ୟାପିଟାଲ୍‌ ବିଲ୍ଡିଂ ସାମ୍ନାରେ ଏହି ଶପଥ ସମାରୋହ ହୋଇଥାଏ । ମାତ୍ର ଚଳିତଥର ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିବ । ତୁଷାରଝଡ ଜନିତ ପ୍ରତିକୂଳ ପାଗ କାରଣରୁ ବାହାରେ ନୁହେଁ ବରଂ କ୍ୟାପିଟାଲ ବିଲ୍ଡିଂ ଭିତରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରାୟ 40 ବର୍ଷ ପରେ ଆମେରିକା ରାଜନୀତି ଇତିହାସରେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିବ । 1885 ରେ ତତ୍କାଳୀନ ରାଷ୍ଟ୍ରପତି କୌଣସି କାରଣରୁ ଗୃହ ଭିତରେ ଶପଥ ଗ୍ରହଣ କରିଥିଲେ ।

ଭାରତୀୟ ଗାଣତାନ୍ତ୍ରିକ ପରମ୍ପରା ସଦୃଶ ଆମେରିକାରେ ମଧ୍ୟ ସ୍ଥାନୀୟ ପ୍ରଧାନ ବିଚାରପତି ଜନ୍ ରବର୍ଟସ୍ ନବନିର୍ବାଚିତ ରାଷ୍ଟ୍ରପତି ଟ୍ରମଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଆମେରିକାରେ ଶପଥ ଗ୍ରହଣର ସମୟ ମଧ୍ୟ ସମ୍ବିଧାନରେ ପୂର୍ବ ନିର୍ଦ୍ଧାରିତ ହୋଇଥାଏ । ବର୍ଷ ଶେଷରେ ନିର୍ବାଚନ ଶେଷ ହୋଇ ଫଳାଫଳ ସ୍ପଷ୍ଟ ହୋଇସାରିଥିଲେ

ସୁଦ୍ଧା ଜାନୁଆରୀ 20 ରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ ସହ କାର୍ଯ୍ୟଭାର ଗ୍ରହଣ କରିବାର ପରମ୍ପରା ପ୍ରଚଳିତ ହୋଇଆସୁଛି । ଭାରତୀୟ ସମୟ ପ୍ରାୟ ରାତି ସାଢେ 10ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ‘ବାଇବେଲ’ ଛୁଇଁ ଟ୍ରମ୍ପ ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ଶପଥ ପାଠ କରିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ଗଣମାଧ୍ୟମ ଜରିଆରେ ପ୍ରସାରିତ କରାଯିବ । ଏଥିରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ, ରାଷ୍ଟ୍ରଦୂତ, ବିଶିଷ୍ଟ ଶିଳ୍ପପତି, ବ୍ୟବସାୟୀ, ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଛି । କାର୍ଯ୍ୟକ୍ରମରେ ବିଦାୟୀ ରାଷ୍ଟ୍ରପତି ଜୋ.ବାଇଡେନ ମଧ୍ୟ ଉପସ୍ଥିତ ରହିବେ । ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବେ ବୋଲି ପୂର୍ବରୁ ବାଇଡେନ ସ୍ପଷ୍ଟ କରିସାରିଛନ୍ତି । କାର୍ଯ୍ୟକ୍ରମ ଶେଷରେ ଟ୍ରମ୍ପଙ୍କ କାରକେଡ ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସରେ ପ୍ରବେଶ କରିବ ।

ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହେବାକୁ ଭାରତ ସମେତ ବହୁ ଦେଶର ରାଷ୍ଟ୍ରନେତାଙ୍କୁ ନିମନ୍ତ୍ରଣ କରାଯାଇଛି । ଇଟାଲୀ, ଫ୍ରାନ୍ସ, ଚୀନ୍‌, ଋଷ, ୟୁକ୍ରେନ, ଉତ୍ତର-କୋରିଆ ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରିଛି ଓ୍ବାଶିଂଟନ୍‌ ।ଭାରତରୁ ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ.ଜୟଶଙ୍କର ଅତିଥି ରୂପେ ସାମିଲ ହେବେ । ରାଜନେତାଙ୍କ ବ୍ୟତୀତ ବିଶ୍ବର ଅନେକ ଚର୍ଚ୍ଚିତ ବ୍ୟବସାୟୀ ଓ ସେଲିବ୍ରେଟି ମଧ୍ୟ ଏଥିରେ ସାମିଲ୍‌ ହେବେ । ଆମେରିକାର ଦୁଇ ରାଜନୈତିକ ଦଳର ସିନେଟର ଓ ଅନ୍ୟ ବରିଷ୍ଠ ରାଜନେତାମାନେ ମଧ୍ୟ ସାମିଲ ହେବେ । ‘ଟେଲସା’ ସିଇଓ ତଥା ବିଶ୍ବର ପ୍ରଥମ ଧନୀ ଏଲନ ମସ୍କ, ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ, ମେଟା ସିଇଓ ମାର୍କ ଜୁକରବର୍ଗ ପ୍ରମୁଖ ସାମିଲ ହେବେ । ଏନେଇ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

0 Comments