ଆମେରିକାରେ ପୁଣି ଥରେ ଆରମ୍ଭ ହେଲା ଟ୍ରମ୍ପ ଯୁଗ । ଦେଶର 47ତମ ରାଷ୍ଟ୍ରପତି ଭାବେ ଆଜି ଡୋନାଲ୍ଡ ଟ୍ରାମ୍ପ ଶପଥ ଗ୍ରହଣ କରିଛନ୍ତି । ରାଜଧାନୀ ଓ୍ବାଶିଂଟନ-ଡିସିର କ୍ୟାପିଟାଲ ବିଲ୍ଡିଂ ଇନଡୋର ହଲରେ ଆୟୋଜିତ ଭବ୍ୟ ସମାରୋହରେ ଆମେରିକାର ପ୍ରଧାନ ବିଚାରପତି ଜନ୍ ରବର୍ଟସ୍ ଟ୍ରମ୍ପଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପ୍ରଥମେ ଉପ-ରାଷ୍ଟ୍ରପତି ଭାବେ ଜେଡି ଭାନ୍ସ ଶପଥ ନେଇଥିଲେ । ଏହା ପରେ ଟ୍ରମ୍ପ ପୋଡିୟମକୁ ଆସି ଶପଥ ପାଠ କରିଛନ୍ତି । କାର୍ଯ୍ୟକ୍ରମରେ ବିଦାୟୀ ରାଷ୍ଟ୍ରପତି ଜୋ.ବାଇଡେନ ଓ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଓ ଜର୍ଜ ବୁସ ମଧ୍ୟ ଉପସ୍ଥିତ ଥିଲେ । ଶପଥ ନେବା ପରେ ବାଇଡେନ, ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହା ପରେ ଆମେରିକୀୟ ପରମ୍ପରା ଅନୁସାରେ, ଟ୍ରମ୍ପ ଦେଶକୁ ସମ୍ବୋଧିତ କରିଛନ୍ତି ।
ଶପଥ ନେବା ପରେ ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି ଟ୍ରମ୍ପ । କହିଛନ୍ତି,‘‘ ଆମେରିକାର ସୁବର୍ଣ୍ଣ ଯୁଗ ଆରମ୍ଭ ହେଲା । ଆମେରିକା ‘ପ୍ରଥମ ନୀତି’ରେ ମୋ ପ୍ରଶାସନ କାର୍ଯ୍ୟ କରିବ । ଆମେରିକାର ସାର୍ବଭୌମତ୍ବ, ଜାତୀୟ ନିରାପତ୍ତା ଓ ନ୍ୟାୟକୁ ପ୍ରାଥମିକତା ମିଳିବ । ଆମେରିକାର ପୂର୍ବାପେକ୍ଷା ଦୃଢ ଓ ଶକ୍ତିଶାଳୀ ହେବ । ଆମେରିକାର ଶତ୍ରୁକୁ ପରାସ୍ତ କରିବା ପାଇଁ ସେନାକୁ ପୂର୍ଣ୍ଣ ସ୍ବାଧୀନତା ମିଳିବ ।’&rsqu
;
ଟ୍ରମ୍ପ କ ହିଛନ୍ତି,‘‘ଏବେ ବିଶ୍ବରେ ଜାରି ରହିଥିବା ବିଶ୍ବାସ ଅଭାବର ସଙ୍ଗଟକୁ ଆମେରିକା ଦୂର କରିବ । 250 ବର୍ଷ ମଧ୍ୟରେ ସର୍ବାଧିକ ଆହ୍ବାନ ସାମ୍ନା କରିଥିବା ରାଷ୍ଟ୍ରପତି ମୁଁ ନିଜେ । ମତେ ହତ୍ୟା ଉଦ୍ୟମ ହୋଇଛି । ମତେ ମୋର ସୁରକ୍ଷା କର୍ମୀମାନେ ରକ୍ଷା କରିଥିଲେ । ମତେ ରକ୍ଷା କରିବାର ଉଦ୍ଦେଶ୍ୟ ଥିଲା ମହାନ ଆମେରିକାର ଆଉ ଥରେ ପୁନର୍ଗଠନ କରିବା । ଚଳିତବର୍ଷର ନିର୍ବାଚନ ଇତିହାସରେ ଉଲ୍ଲେଖ ହୋଇ ରହିବ । ଆମେରିକାର ପୁନର୍ଗଠନ ହେବ । ମୋ ପ୍ରଶାସନ ଦକ୍ଷିଣ-ସୀମାରେ ଜାତୀୟ ଜରୁରୀ ସ୍ଥିତି ଘୋଷଣା । ବେଆଇନ ଅନୁପ୍ରବେଶକୁ ରୋକାଯିବ । ମୋକ୍ସିକୋ ସୀମାକୁ ସୈନ୍ୟ ପଠାଇବାକୁ ମୁଁ ନିର୍ଦ୍ଦେଶ ଦେବି ।’’
ଗତବର୍ଷ (2024) ନଭେମ୍ବର 5 ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଡେମୋକ୍ରାଟିକ ଦଳର ପ୍ରାର୍ଥୀ ତଥା ବିଦାୟୀ ଉପରାଷ୍ଟ୍ରପତି କମଲା ହାରିସ ଓ ରିପବ୍ଲିକାନ ଦଳର ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଏକାଧିକ ନିର୍ବାଚନୀ ସଭାରେ ଟ୍ରମ୍ପଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ମଧ୍ୟ ହୋଇଥିଲା । ଶେଷରେ ସର୍ବାଧିକ ଭୋଟ ପାଇ ବିଜୟୀ ହୋଇଥିଲେ ଟ୍ରମ୍ପ । ଟ୍ରମ୍ପ ରାଷ୍ଚ୍ରପତି ଭାବେ ଦ୍ବିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି ।