ଭୁବନେଶ୍ବର: ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବିଜେଡି ସଭାପତି ପଦ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଧାର୍ଯ୍ୟ ସମୟ ମଧ୍ୟରେ ଆଉ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିବାରୁ ନବମ ଥର ପାଇଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବାକୁ ଯାଉଛନ୍ତି ନବୀନ । ଆସନ୍ତା 19 ତାରିଖରେ ଏନେଇ ଔପଚାରିକ ବିଧିବଦ୍ଧ ଘୋଷଣା ହେବ । ସେପଟେ ଅନ୍ୟ ଛାମୁଆ ସଂଗଠନ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହେବା ଲାଗି ଦଳରେ ଜୋରଦାର ଲବି ଆରମ୍ଭ ହୋଇଛି ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି । ପୂର୍ବାହ୍ନରେ ଶଙ୍ଖ ଭବନକୁ ଯାଇ ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସେ ବିଜୁ ଜନତା ଦଳ ସଭାପତି ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଅପରାହ୍ନ 1 ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପାଇଁ ସମୟ ଥିବା ଆଉ କେହି ପ୍ରାର୍ଥୀତ୍ବ ଦାଖଲ କରିନାହାନ୍ତି । ତେଣୁ ନିର୍ଦ୍ଵନ୍ଦ୍ବରେ ବିଜେଡି ସଭାପତି ନବୀନ ନିର୍ବାଚିତ ହେବେ । ଏନେଇ ଆସନ୍ତା 19 ତାରିଖରେ ବିଧିବଦ୍ଧ ଔପଚାରିକ ଘୋଷଣା ହେବ । ଫଳରେ ନବମ ଥର ପାଇଁ ନବୀନ ବିଜେଡି
ସଭାପତି ହେବା ସ୍ପଷ୍ଟ ହୋଇଛି । ନିର୍ବାଚନ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା 355 ଜଣିଆ ଷ୍ଟେଟ କାଉନସିଲ ଗଠନ ହୋଇଛି । ଆସନ୍ତା 19 ତାରିଖରେ 81 ଜଣିଆ କାର୍ଯ୍ୟକାରିଣୀ ବୈଠକ ବସି ନବୀନଙ୍କ ନାଁ ଘୋଷଣା ହେବ ।
ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ କହିଛନ୍ତି, ‘ଦଳର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ଚତୁର୍ଥ ପର୍ଯ୍ୟାୟରେ ଜିଲ୍ଲା ସଭାପତି ନିର୍ବାଚନ ହୋଇଛି । ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ସାଙ୍ଗରେ ହୁଏ । ରାଜ୍ୟ ପରିଷଦ ଓ ରାଜ୍ୟ ପରିଷଦରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚୟନ ହୁଏ । ସଭାପତି ପଦ ପାଇଁ ଆଜି ପୂର୍ବାହ୍ନ 10ରୁ ଅପରାହ୍ନ 1 ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଥିଲା । ଏହି ସମୟ ମଧ୍ୟରେ କେବଳ ନବୀନ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତା 19 ତାରିଖ ପୂର୍ବାହ୍ନ 11ରେ ଏନେଇ ବିଧିବଦ୍ଧ ଘୋଷଣା ହେବ । ରାଜ୍ୟ ପରିଷଦ ଓ ରାଜ୍ୟ କାର୍ଯ୍ୟକାରିଣୀର ବୈଠକ ଡକାଯାଇ ସଭାପତିଙ୍କ ନାଁ ଘୋଷଣା ହେବ । ରାଜ୍ୟ ପରିଷଦରରେ 355 ଜଣ ସଦସ୍ୟ ଅଛନ୍ତି । ସେହିପରି ରାଜ୍ୟ କର୍ଯ୍ୟକାରିଣୀ ସଦସ୍ୟ ସଂଖ୍ୟା 81 ।’