ନୂଆଦିଲ୍ଲୀ: ୱାକଫ୍ ବୋର୍ଡ ଏବଂ ପରିଷଦରେ କୌଣସି ନିଯୁକ୍ତି କରାଯିବ ନାହିଁ। ଏପରିକି ଉପଭୋକ୍ତାମାନଙ୍କ ଦ୍ୱାରା ୱାକଫ୍ ଭାବେ ଘୋଷିତ କିମ୍ବା ପଞ୍ଜୀକୃତ ୱାକଫ୍ ସମ୍ପତ୍ତିକୁ ପରବର୍ତ୍ତୀ ଶୁଣାଣି ତାରିଖ ପର୍ଯ୍ୟନ୍ତ ଡି-ନୋଟିଫାଏ କରାଯିବ ନାହିଁ ବୋଲି କେନ୍ଦ୍ର ପ୍ରତିଶ୍ରୁତି ଦେବାପରେ ସୁପ୍ରିମକୋର୍ଟ ଗୁରୁବାର ୱାକଫ ଆଇନରେ ସମ୍ପ୍ରତି କରାଯାଇଥିବା ପରିବର୍ତ୍ତନଗୁଡ଼ିକୁ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି।

ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା, ବିଚାରପତି ସଞ୍ଜୟ କୁମାର ଏବଂ ବିଚାରପତି କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ସଲିସିଟର ଜେନେରାଲ ତୁଷାର ମେହେତା ବିତର୍କ ଆରମ୍ଭ କରିଥିଲେ। ପରବର୍ତ୍ତୀ ଶୁଣାଣ

ି ପାଇଁ କୋର୍ଟ ମେ 5 ତାରିଖକୁ ସମୟ ଦେଇଛନ୍ତି।

ୱାକଫ୍ ସଂଶୋଧନ ଆଇନ 2025ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ଜବାବ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ରକୁ ଗୋଟିଏ ସପ୍ତାହ ସମୟ ଦେଇଛନ୍ତି। ଶୁଣାଣି ସମୟରେ କେନ୍ଦ୍ର କୋର୍ଟକୁ ଏହା ମଧ୍ୟ କହିଛି ଯେ, କେନ୍ଦ୍ରୀୟ କିମ୍ବା ରାଜ୍ୟ ୱାକଫ୍ ବୋର୍ଡରେ ଅଣ-ମୁସଲମାନମାନଙ୍କୁ ନିଯୁକ୍ତି ଦିଆଯିବ ନାହିଁ।

ସୁପ୍ରିମକୋର୍ଟ କେନ୍ଦ୍ର ଦ୍ୱାରା ଦିଆଯାଇଥିବା ପ୍ରତିଶ୍ରୁତିକୁ ରେକର୍ଡ କରିଥିଲେ ଏବଂ କହିଥିଲେ ଯେ, ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି ୱାକଫ ସମ୍ପତ୍ତିକୁ ଡିନୋଟିଫାଇ କରାଯିବ ନାହିଁ କିମ୍ବା ଏହାର ଚରିତ୍ରରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏଥିରେ ଉପଭୋକ୍ତା ଦ୍ୱାରା ୱାକଫ୍ ଭାବେ ଘୋଷିତ ଏବଂ ପଞ୍ଜିକୃତ ସମ୍ପତ୍ତି ଅନ୍ତର୍ଭୁକ୍ତ।

ଏହି ପ୍ରତିଶ୍ରୁତି ବିଶେଷକରି ୱାକଫ ଆଇନ, 1995 ଅଧୀନରେ ପଞ୍ଜିକୃତ ୱାକଫ୍ ସମ୍ପତ୍ତିର ସ୍ଥିତି ସମ୍ପର୍କରେ ଅସ୍ଥାୟୀ ଆଶ୍ୱସ୍ତି ପ୍ରଦାନ କରୁଛି। ଭାରତର ପ୍ରଧାନ ବିଚାରପତି (CJI) ଗୁରୁତ୍ୱାରୋପ କରିଛନ୍ତି ଯେ, ଏହି ସମୟ ମଧ୍ୟରେ କୌଣସି ପଞ୍ଜିକୃତ ୱାକଫ୍ ସମ୍ପତ୍ତି ସହିତ ହେରଫେର କରାଯାଇପାରିବ ନାହିଁ।

ୱାକଫ୍ ଆଇନ ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ମନା କଲେ ସୁପ୍ରିମକୋର୍ଟ, କହିଲେ ସମ୍ପତ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ୱାକଫ୍ ଆଇନ ଉପରେ ଶୁଣାଣିର ଦ୍ୱିତୀୟ ଦିନରେ, କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ୱାକଫ୍ ସମ୍ପତ୍ତିର ଚରିତ୍ରରେ କୌଣସି ପରିବର୍ତ୍ତନ ହେବା ଉଚିତ୍ ନୁହେଁ।

ଆଜି ସୁପ୍ରିମକୋର୍ଟ ୱାକଫ୍ ସଂଶୋଧନ ଆଇନ 2025ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନଗୁଡ଼ିକର ଶୁଣାଣି କରିଥିଲେ। ଆଜି ସରକାରଙ୍କୁ ଏହି ମାମଲାରେ ଜବାବ ଦେବାର ଥିଲା, କିନ୍ତୁ ସଲିସିଟର ଜେନେରାଲ ଉତ୍ତର ଦାଖଲ କରିବା ପାଇଁ ଗୋଟିଏ ସପ୍ତାହ ସମୟ ମାଗିଥିଲେ। ଯେଉଁଥିରେ ସହମତ ହୋଇଥିଲେ ସୁପ୍ରିମକୋର୍ଟ। ତଥାପି କୋର୍ଟ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ସମୟ ମଧ୍ୟରେ ୱାକଫ ବୋର୍ଡରେ କୌଣସି ନୂତନ ନିଯୁକ୍ତି କରାଯିବ ନାହିଁ।

0 Comments