କୋଲକାତା: ମୁର୍ଶିଦାବାଦରେ ସ୍ଥିତି ବେଳକୁ ବେଳ ବିଗୁଡୁଥିବା ବେଳେ ସେଠାରେ କେନ୍ଦ୍ରୀୟ ବାହିନୀ ମୁତୟନ ପାଇଁ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଦ୍ବାରା ଦାଖଲ ଏକ ଆବେଦନ ଉପରେ ବିଚାର କରି, ବିଚାରପତି ସୌମେନ ସେନ୍ ଏବଂ ରାଜା ବାସୁ ଚୌଧୁରୀଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଶୁଣାଣି ଆରମ୍ଭରେ, ହାଇକୋର୍ଟ ମୁର୍ଶିଦାବାଦରେ କେନ୍ଦ୍ରୀୟ ବାହିନୀ ମୁତୟନ ଉପରେ ମତାମତ ପ୍ରକାଶ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅଧ ଘଣ୍ଟା ସମୟ ଦେଇଥିଲେ। ସରକାର କହିଥିଲେ ଯେ କେନ୍ଦ୍ରୀୟ ବାହିନୀ ନିୟୋଜିତ କରିବାର କୌଣସି ଆବଶ୍ୟକତା ନାହିଁ, ପଶ୍ଚିମ ବଙ୍ଗ ପୋଲିସ ଡିଜି ରାଜୀବ କୁମାର ଖୁବ୍ ଶୀଘ୍ର ଜିଲ୍ଲା ଗସ୍ତ କରିବେ। କିନ୍ତୁ କୋର୍ଟ ଶେଷରେ କେନ୍ଦ୍ରୀୟ ବାହିନୀ ନିୟୋଜିତ କରିବା ସପକ୍ଷରେ ରାୟ ଦେଇଥିଲେ।

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ୱାକଫ (ସଂଶୋଧନ) ଆଇନ ସମ୍ବନ୍ଧୀୟ ହିଂସାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ମୃତକଙ୍କ ନାମ ମ

ଶାରଫ ହୁସେନ (୧୨), ଗଜୋଲ ଦାସ (୪୫) ଏବଂ ଚନ୍ଦନ ଦାସ (୨୦)। ଶୁକ୍ରବାର ସୁତିର ସାଜୁର ଛକରେ ଗୁଳି ମାଡ଼ରେ ଆହତ ହୋଇଥିବା ହୁସେନଙ୍କ ଶନିବାର ମୁର୍ଶିଦାବାଦ ମେଡିକାଲ କଲେଜ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ସେ ସୁତି ଥାନା ଅନ୍ତର୍ଗତ କାଶିମନଗରର ବାସିନ୍ଦା। ଅନ୍ୟପକ୍ଷରେ ସମଶେରଗଞ୍ଜ ବ୍ଲକର ଧୂଲିଆନ ମ୍ୟୁନିସିପାଲିଟି ଅଞ୍ଚଳ ଅନ୍ତର୍ଗତ ଜାଫରାବାଦରେ ବାପ-ପୁଅ ଗଜୋଲ ଏବଂ ଚନ୍ଦନଙ୍କୁ ଏକ ଧାରୁଆ ଅସ୍ତ୍ର ଦ୍ୱାରା ହତ୍ୟା କରାଯାଇଥିଲା। ସେମାନଙ୍କ ମୃତଦେହ ଦୀର୍ଘ ସମୟ ଧରି ଘରେ ପଡ଼ି ରହିଥିଲା। ଏହାପରେ ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଜାଙ୍ଗିପୁର ଉପ-ଜିଲ୍ଲା ହସ୍ପିଟାଲକୁ ପଠାଇଥିଲା। ସେପଟେ ଗୁଳି ମାଡ଼ ପରେ ଆଉ ଦୁଇ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲାର ସୁତି ଏବଂ ସମଶେରଗଞ୍ଜ ଅଞ୍ଚଳର ପରିସ୍ଥିତି ଗମ୍ଭୀର ରହିଛି।

ମୁର୍ଶିଦାବାଦ ଜିଲ୍ଲାର ସୁତି ଏବଂ ସମଶେରଗଞ୍ଜର ପରିସ୍ଥିତି ନିୟନ୍ତ୍ରଣାଧିନ ବୋଲି ପୋଲିସ ଦାବି କରୁଥିଲେ ବି ବାସ୍ତବତା କିନ୍ତୁ ଭିନ୍ନ। ଶନିବାର ସକାଳ ଠାରୁ ଚାନ୍ଦପୁର ଏବଂ ଡାକ ବାଙ୍ଗଳା ସମେତ ବିଭିନ୍ନ ଅଞ୍ଚଳରୁ ବିକ୍ଷିପ୍ତ ହିଂସାର ରିପୋର୍ଟ ସହିତ ସମଶେରଗଞ୍ଜରେ ପୁଣି ଉତ୍ତେଜନା ପ୍ରକାଶ ପାଇଛି।

ଜଳାଙ୍ଗି ବିଡିଓ କାର୍ଯ୍ୟାଳୟ ଭଙ୍ଗାରୁଜା କରାଯାଇଛି ଏବଂ ବିଏସଏଫ ଯବାନମାନେ ସେହି ଅଞ୍ଚଳରେ ପାଟ୍ରୋଲିଂ କରୁଛନ୍ତି। ବିକ୍ଷୋଭକାରୀମାନେ ଆଜିମଗଞ୍ଜ ରେଳ ଷ୍ଟେସନରେ ଏକ ସିଗନାଲ ନିୟନ୍ତ୍ରଣ କକ୍ଷକୁ ମଧ୍ୟ ପୋଡ଼ି ଦେଇଛନ୍ତି। କାର୍ଯ୍ୟାଳୟର ଜେନେରେଟରକୁ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି।

ଜନସାଧାରଣଙ୍କ ଅଶାନ୍ତି, ସୁରକ୍ଷା କିମ୍ବା ଶୃଙ୍ଖଳାକୁ ରୋକିବା ପାଇଁ ସମଶେରଗଞ୍ଜରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା 163 ଲାଗୁ କରାଯାଇଛି। ଇଣ୍ଟରନେଟ୍ ବନ୍ଦ କରାଯିବା ସହିତ ସମସ୍ତ ପ୍ରକାରର ସମାବେଶକୁ ମଧ୍ୟ ନିଷେଧ କରାଯାଇଛି।

ଶୁକ୍ରବାର ମୁର୍ଶିଦାବାଦର ଅନେକ ଅଞ୍ଚଳରେ ୱାକଫ୍ (ସଂଶୋଧନ) ଆଇନ ବିରୋଧରେ ପ୍ରତିବାଦ ଦେଖାଦେଇଥିଲା। ସୁତିରେ ଏକ ସରକାରୀ ଗାଡ଼ି ସମେତ ଅନେକ ଗାଡ଼ି ପୋଡ଼ି ଦିଆଯାଇଥିଲା। ପୋଲିସ ଉପରେ ବୋମା ଫିଙ୍ଗାଯାଇଥିବା ଏବଂ ଗୁଳିଚାଳନା ଜାରି ରହିଥିବା ଅଭିଯୋଗ ହୋଇଛି।

ଜାତୀୟ ରାଜପଥରେ ପୋଡ଼ି ଯାଇଥିବା ଗାଡ଼ିଗୁଡ଼ିକ ସହିତ ସମଶେରଗଞ୍ଜର ରାସ୍ତାଗୁଡ଼ିକ ଶୂନଶାନ ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ଘଟଣାରେ ସମ୍ପୃକ୍ତ 122 ଜଣଙ୍କୁ ଗିରଫ କରାଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟ୍ ରାଜଶ୍ରୀ ମିତ୍ର କହିଛନ୍ତି, "BSFକୁ ଡକାଯାଇ ନଥିଲା। ଯେହେତୁ ଏହା ଭାରତ-ବାଂଲାଦେଶ ସୀମାରେ ଏକ ଅଞ୍ଚଳ, ତେଣୁ BSF ଏହି ଅଞ୍ଚଳରେ ପାଟ୍ରୋଲିଂ କରୁଛି।"

0 Comments