ଭୁବନେଶ୍ବର: ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ ବର୍ତ୍ତମାନ ଗୋପାଳପୁର ଠାରୁ ୨୬୦ କିମି ପୂର୍ବ-ଦକ୍ଷିଣ-ପୂର୍ବରେ ରହିଛି । ସେହିପରି ପାରାଦ୍ବୀପ ଠାରୁ ୨୯୦ କିମି ଦୂର ଦକ୍ଷିଣ-ଦକ୍ଷିଣ-ପୂର୍ବରେ ଅବପାତ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ଗଭୀର ଅବପାତରେ ପରିଣତ ହେବ । ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଗଭୀର ଅବପାତ ହେବ । ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ ଗଭୀର ଅବପାତଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଗାଙ୍ଗେଟିକ୍ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡଖଣ୍ଡ ଦେଇ ଛତିଶଗଡ଼ ମୁହାଁ ହେବ । ପ୍ରଭାବରେ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଅତି ପ୍ରବଳ ଅର୍ଥାତ ୧୨ରୁ ୨୦ ସ

.ମି ବର୍ଷା ପାଇଁ ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ପାଇଁ ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ବରଗଡ଼, ସମ୍ବଲପୁର, ସୋନପୁର, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରାଯାଇଛି ।

ଲଘୁଚାପ ଅବପାତର ରୂପ ନେଇଥିବାରୁ ଆସନ୍ତାକାଲି ବର୍ଷାର ପରିମାଣ ବୃଦ୍ଧି ପାଇବ । ରାଜ୍ୟର ସବୁ ଜିଲ୍ଲାରେ ବର୍ଷା ଲାଗି ରହିବ । ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ପାଇଁ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ ଢେଙ୍କାନାଳ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ କୋରାପୁଟ, ଗଞ୍ଜାମ, ନୟାଗଡ଼, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ବରଗଡ଼, ସମ୍ବଲପୁର, ସୋନପୁର, ଅନୁଗୋଳ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ପାଇଁ ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ନୂଆପଡ଼ା, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ୧୦ ତାରିଖରେ ଯଦିଓ ବର୍ଷାର ପରିମାଣ ସାମାନ୍ୟ ହ୍ରାସ ପାଇବ ତଥାପି ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧୦ ତାରିଖରେ ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ ଅନୁଗୋଳ, ବୌଦ୍ଧ, ସୋନପୁର, ବରଗଡ଼, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରାଯାଇଛି । ୧୧ ତାରିଖରେ ମଧ୍ୟ ବର୍ଷାର ପରିମାଣ ହ୍ରସ ପାଇବ । ପ୍ରବଳ ବର୍ଷା ପାଇଁ କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ତେବେ ବର୍ଷା ସମେତ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଏହାସହ ଝଟକା ପବନ ଘଣ୍ଟାପ୍ରତି ୬୦ କିଲୋମିଟର ରହିପାରେ । ପ୍ରଭାବରେ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି । ସେହିପରି ତଳିଆ ଅଞ୍ଚଳରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । କଚ୍ଚା ଘର କଚ୍ଚା ରାସ୍ତା ପ୍ରଭାବିତ ହେବା ସହ ଗଛ ଡାଳ ଭାଙ୍ଗିବାର ସମ୍ଭାବନା ରହିଥିବ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଅବପାତ ପ୍ରଭାବରେ ଅଶାନ୍ତ ହେବ ସମୁଦ୍ର । ଏଥିପାଇଁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ବାରଣ କରାଯାଇଛି । ଧାମରା, ପାରାଦୀପ, ପୁରୀ ଏବଂ ଗୋପାଳପୁର ପୋର୍ଟକୁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

0 Comments